ଗତ ୧୦ ଦିନରେ ୧୨ଜଣଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛି ସାଉଦୀ ଆରବ, ଜାଣନ୍ତୁ କ’ଣ ଥିଲା ଅପରାଧ?

Published By : Prameya-News7 Bureau | November 23, 2022 IST

ଅବୁଧାବୀ ୨୩।୧୧: ସାଉଦୀ ଆରବ ଝଲମଲ ଜୀବନ ଶୈଳୀ ଲାଗି ଯେପରି ଚର୍ଚ୍ଚିତ ସେହିପରି କଠୋର ଓ ଭୟାନକ ଦଣ୍ଡ ବିଧାନ ଲାଗି ମଧ୍ୟ ଜଣାଶୁଣା। ଏହାର ମୁଖ୍ୟ କାରଣ ହେଉଛି ଏଠାକାର ଆଇନ ବ୍ୟବସ୍ଥା। ଏପରି ଆଇନ ଯୋଗୁ କୌଣସି ପରିସ୍ଥିତିରେ ଦୋଷୀଙ୍କୁ କ୍ଷମା ମିଳେନା। ତେବେ ଗତ କିଛି ସମୟ ହେଲା ଏଠାରେ ଦିଆଯାଉଥିବା କଠୋର ଦଣ୍ଡ ସାମାନ୍ୟ କୋହଳ ଥିଲା।

ହେଲେ ପୁଣି ଥରେ ଏପରି ଖବର ସାମ୍ନାକୁ ଆସିଛି ଯାହା କୌଣସି ଲୋକର ଆତ୍ମାକୁ ଥରେଇ ଦେବାକୁ ଯଥେଷ୍ଟ। ସାଉଦୀ ଆରବରେ ଗତ ୧୦ ଦିନରେ ୧୨ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ କରାଯାଇଥିବା ବେଳେ ଦୋଷୀମାନଙ୍କର ସର୍ବସାଧାରଣରେ ମୁଣ୍ଡ କାଟ କରାଯାଇଛି। ଆଜିର ଦିନରେ କୌଣସି ଠାରେ ଏପରି ଦଣ୍ଡବିଧାନ କଥା ଚିନ୍ତା କରିବା ମଧ୍ୟ କଷ୍ଟକର। ତେବେ ସାଉଦୀ ଆରବରେ ଏହି ଦଣ୍ଡବିଧାନ ହୋଇଛି।

{"id":712735,"width":837,"height":617,"sizeSlug":"full","linkDestination":"none"}

ଆଧୁନିକତା ଓ ବିକାଶର ସିଡି ଚଢୁଥିବା ସାଉଦୀ ଆରବ ପ୍ରଚଳିତ କୁପ୍ରଥାରୁ ନିଜକୁ ମୁକ୍ତ କରିପାରି ନାହିଁ। ରିପୋର୍ଟ ଅନୁସାରେ ସାଉଦୀ ଆରବରେ ଯେଉଁ ୧୨ ଜଣଙ୍କୁ ଦଣ୍ଡିତ କରାଯାଇଛି ସେମାନଙ୍କ ମଧ୍ୟରେ ଅଧିକାଂଶ ପ୍ରବାସୀ ଥିଲେ। ଏମାନଙ୍କ ମଧ୍ୟରେ ୩ ଜଣ ପାକିସ୍ତାନୀ ଥିବା ବେଳେ ୪ ଜଣ ସିରିୟ ଓ ୨ ଜଣ ଜୋର୍ଡାନର ନାଗରିକ। ବାକି ୩ ଜଣ ସାଉଦୀ ଆରବର ନାଗରିକ।

ସମସ୍ତ ଦୋଷୀଙ୍କ ବିରୋଧରେ ଡ୍ରଗ୍ସ ସମ୍ପର୍କିତ ଆଇନ ଉଲ୍ଲଂଘନର ଅଭିଯୋଗ ଥିଲା। ଏଣୁ ସେମାନଙ୍କୁ ସାଉଦୀ କୋର୍ଟ ମୃତ୍ୟୁଦଣ୍ଡାଦେଶ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଗତ ମାର୍ଚ୍ଚ ମାସରେ ସାଉଦୀ ଆରବ ସରକାର ୮୧ ଜଣଙ୍କୁ ଭୟାନକ ମୃତ୍ୟୁଦଣ୍ଡାଦେଶ କରିଥିଲେ। ଏମାନଙ୍କ ମଧ୍ୟରେ ଉଗ୍ରବାଦ ସଙ୍ଗଠନଙ୍କ ସହ ସମ୍ପର୍କିତ ଲୋକେ ବି ଥିଲେ। ସାଉଦୀ ଆରବର ଆଧୁନିକ ଇତିହାସରେ ପ୍ରଥମ ଥର ଏତେ ସଂଖ୍ୟକ ଲୋକଙ୍କୁ ମୃତ୍ୟୁଦଣ୍ଡାଦେଶ କରାଯାଇଥିଲା।

ସାଉଦୀ ଆରବରେ ଏପରି ଦଣ୍ଡବିଧାନ ହ୍ରାସ ଲାଗି ସରକାର ୨୦୧୮ ମସିହାରେ ନିଷ୍ପତ୍ତି ନେଇଥିଲେ। ଏଣୁ ସେତେବେଳେ ଅନୁମାନ କରାଯାଉଥିଲା ଦେଶରେ ଏପରି ଦଣ୍ଡ ଏବେ କେବଳ ସେହି ଅପରାଧୀଙ୍କୁ ମିଳିବ ଯେଉଁମାନେ ଜଘନ୍ୟ ହତ୍ୟା ବା ସେପରି କୌଣସି ଅପରାଧରେ ସଂସ୍ଲିଷ୍ଟ ଥିବେ। ମହମ୍ମଦ ବିନ ସଲମାନ କହିଥିଲେଯେ ଏ ପ୍ରକାର ମୃତ୍ୟୁ ଦଣ୍ଡ କମରୁ କମ୍‌ ଲୋକଙ୍କୁ ଯେପରି ମିଳେ ତାହା ନିଶ୍ଚିତ କରାଯିବ। ତେବେ ତାଙ୍କ ନିଷ୍ପତ୍ତି ଅଧିକ ଦିନ ପର୍ଯ୍ୟନ୍ତ ଚଳି ପାରି ନାହିଁ। ଦେଶରେ ପୁଣି ପ୍ରାଗଐତିହାସିକ ଦଣ୍ଡ ବିଧାନ କରାଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.