ନୂଆଦିଲ୍ଲୀ ୨।୫: ଲକ୍ ଡାଉନ୍ ଏବଂ ସମସ୍ତ ପଦକ୍ଷେପ ସତ୍ତ୍ବେ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ମେ’ ୩ ରେ ଶେଷ ହେବାକୁ ଥିବା ଲକ୍ ଡାଉନ୍ କୁ ମେ’ ୧୭ ପର୍ଯ୍ୟନ୍ତ ସରକାର ବଢାଇ ଦେଇଛନ୍ତି । କିନ୍ତୁ କରୋନାର ଗତି ବ୍ରେକ୍ ଲାଗିବା ପରି ମନେ ହେଉନାହିଁ । ବର୍ତ୍ତମାନ ଏହି ମାରାତ୍ମକ ଭାଇରସ୍ ସୁରକ୍ଷାଦାତାମାନଙ୍କୁ ସଂକ୍ରମିତ କରିବାରେ ଲାଗିଛି ।
ପୋଲିସ ପରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ର ଅନେକ ଯବାନ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଶୁକ୍ରବାର ଦିନ ୧୨ CRPF କର୍ମଚାରୀଙ୍କ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାକୁ ମିଶାଇ କରୋନା ଭାଇରସରେ ସଂକ୍ରମିତ CRPF କର୍ମଚାରୀଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି । ୧୫୦ ଯବାନ ପରୀକ୍ଷା ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ ।
ସମସ୍ତ ସଂକ୍ରମିତ CRPF ଯବାନ ୩୧ ବାଟାଲିୟନର ବୋଲି ଜଣାପଡିଛି । ଏହି ବାଟାଲିୟନ ଜାତୀୟ ରାଜଧାନୀ ଦିଲ୍ଲୀର ମୟୂର ବିହାର ଫେଜ୍ ୩ରେ ରହିଛି । ସୂଚନାଯୋଗ୍ୟ ଯେ, CRPF ର ୩୧ ବାଟାଲିୟନ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ୫୫ ବର୍ଷ ବୟସ୍କ ମହମ୍ମଦ ଇକ୍ରାମ ହୁସେନ୍ଙ୍କର ଅପ୍ରେଲ ୨୮ ତାରିଖରେ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇ ମୃତ୍ୟୁ ହୋଇଛି । ଚିକିତ୍ସା ସମୟରେ ସଫଦରଜଙ୍ଗ ହସ୍ପିଟାଲରେ ଇକ୍ରାମଙ୍କର ମୃତ୍ୟୁ ହୋଇଥିଲା । ହୁସେନ୍ଙ୍କ ମୃତ୍ୟୁକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଦୁଃଖ ପ୍ରକାଶ କରିଥିଲେ । କରୋନା ପାରାମିଲିଟାରୀ ଫୋର୍ସରେ ପହଞ୍ଚିବା ପରେ ସେଠାରେ ଆତଙ୍କ ସୃଷ୍ଟି ହୋଇଥିଲା ।