ନୀଳଗିରିରେ ଝାଡଖଣ୍ଡ ହାତୀପଲ, ଚୌଦ୍ବାରରେ ୧୨ହାତୀଙ୍କ ଉପଦ୍ରବ, ଚମ୍ପୁଆରେ ହାତୀଲାଞ୍ଜ ଟାଣି ବନ୍ଧାହେଲେ ୩ ଯୁବକ

Published By : Prameya-News7 Bureau | October 30, 2018 IST

ଭୁବନେଶ୍ବର ୩୦|୧୦: ସାତକୋଶିଆରେ ସୁନ୍ଦରୀ ପାଇଁ ବନ ବିଭାଗ ଟେନସନରେ ଥିବା ବେଳେ ବାଲେଶ୍ବର ନୀଳଗିରିରେ ପଶି ସାରିଲେଣି ଝାଡ଼ଖଣ୍ଡୀ ହାତୀ । ଚୌଦ୍ବାର ସହର ଉପକଣ୍ଠରେ ଦେଖିବାକୁ ମିଳିଛି ହାତୀଙ୍କ ଉପଦ୍ରବ । ତେବେ ସବୁଠାରୁ ଦୁଃସାହାସିକ କାଣ୍ଡ ଘଟିଛି କେନ୍ଦୁଝର ଚମ୍ପୁଆରେ । ଜୀବନକୁ ବାଜି ଲଗାଇ ଜଙ୍ଗଲ ଭିତରେ ହାତୀଙ୍କ ସହ ଲାଗିବା ୩ ଜଣ ଯୁବକଙ୍କୁ ମହଙ୍ଗା ପଡ଼ିଛି । ମରଣକୁ ବରଣ କରୁଛନ୍ତି  ଯୁବକମାନେ । ହାତୀ ତାର ଚୁପଚାପ୍ ଜଙ୍ଗଲ ଭିତରେ ଛିଡ଼ା ହୋଇଥିଲା । କିନ୍ତୁ ଯୁବକମାନେ ଜଙ୍ଗଲ ଭିତରକୁ ଯାଇ ତା ସହ ଖୋଳେଇ ହୋଇଛନ୍ତି । ଲାଞ୍ଚ ଧରି ଟାଣିଛନ୍ତି, ତାକୁ ରଗାଇଛନ୍ତି । ଆଉ ହାତୀ ବି ରାଗି ଯାଇଛି । କେତେବେଳେ ପଛୁଆ ଲାତ ମାରିବାକୁ ଚେଷ୍ଟା କରିଛି ତ ଆଉ କେତେବେଳେ ଶୁଣ୍ଢ ବୁଲାଇ ତଡ଼ି ଆଣିଛି । ୨ଜଣ ଯୁବକ ହାତୀ ସହ ଲାଗୁଥିବା ବେଳେ ଅନ୍ୟ ଜଣେ ମୋବାଇଲରେ ଭିଡିଓ ଉଠାଇଛନ୍ତି । ଆଉ ଭିଡିଓ ଭାଇରାଲ୍ ପରେ ହାତୀ ସହ ମଜା କରିବା ଏହି ତିନି ଯୁବକଙ୍କୁ ମହଙ୍ଗା ପଡ଼ିଛି । ଚମ୍ପୁଆ ଅଞ୍ଚଳରୁ ଏମାନଙ୍କୁ ଗିରଫ କରିଛି ବନବିଭାଗ । ଏମାନେ ହେଲେ ଅବଦ୍ଦୁଲ୍ ହାଲିମ୍, ଏମ୍. ଡି. ଇସ୍ମାଇଲ୍ ଏବଂ ଦେବାଶିଷ ବେହେରା । ଚମ୍ପୁଆ ପରେ ଏବେ ଆସନ୍ତୁ ଯିବା ନୀଳଗିରି । ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ପଶ୍ଚିମବଙ୍ଗ ଦେଇ ଦୁଇ ପଲରେ ଏହି ହାତୀଗୁଡ଼ିକ ଆସିଛନ୍ତିଗୋଟେ ପଲରେ ୪୦ ଏବଂ ଆଉ ଗୋଟେ ପଲରେ ୩୫ ହାତୀ ଅଛନ୍ତି । କାଶିଆ ଜଙ୍ଗଲରେ ଆସି ଡେରା ପକାଇଛନ୍ତି । ଏବେ ଏହି ହାତୀ ପଲ ନୀଳଗିରି ମୁହାଁ ହୋଇଥିବା ବେଳେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି । ଏତେ ହାତୀଙ୍କୁ ଦେଖି ବନ ବିଭାଗର ନିଦ ହଜିଯାଇଛି । ଫିଲ୍ଡ ଷ୍ଟାଫଙ୍କୁ ଧରି ବିଭାଗର ବରିଷ୍ଠ ଅଧିକାରୀମାନେ ଗ୍ରାଉଣ୍ଡରେ ଜଗି ରହିଛନ୍ତି । ହାତୀଗୁଡ଼ି ଯେମିତି ଜନବସତି ମୁହାଁ ନହେବେ, ସେନେଇ ଚେଷ୍ଟା ଜାରି ରଖିଛି ବନବିଭାଗ । ବିଦ୍ୟୁତ୍ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି । ଏଥି ସହିତ ଲୋକମାନେ ଘରେ ହାଣ୍ଡିଆ କିମ୍ବା ମଦ ନରଖିବାକୁ ବନବିଭାଗ ପରାମର୍ଶ ଦେଇଛି । ଚୌଦ୍ବାରରେ ମଧ୍ୟ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଗତରାତିରେ ୧୨ଟି ହାତୀ, ସହର ଉପକଣ୍ଠ ପାଇକେରପୁର ଗାଁ ନିକଟରେ ଧାନବିଲ ଘାଣ୍ଟି ଦେଇଛନ୍ତି । ଚାରବାଟିଆରେ ଥିବା ବିମାନ ଉଡ଼ାଣ ଗବେଷଣା କେନ୍ଦ୍ରର ପାଚେରୀ ଭାଙ୍ଗି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.