‘ବନ୍ଦେ ଭାରତ ମିସନ’: ୨ ଦିନରେ ଭାରତ ଫେରିଲେଣି ୧୨ଶହରୁ ଅଧିକ ନାଗରିକ
8/05/2020 at 2:14 PM

କୋଚ୍ଚି ୮।୫: କରୋନା ଲକଡାଉନ୍ ଯୋଗୁ ବିଶ୍ୱର ବିଭିନ୍ନ ଦେଶରେ ଫଶି ରହିଥିବା ଭାରତୀୟଙ୍କ ଘର ଲେଉଟାଣି ଆରମ୍ଭ ହୋଇଯାଇଛି। ଏଥିପାଇଁ ଭାରତର ସରକାର ହାତକୁ ନେଇଥିବା ‘ବନ୍ଦେ ଭାରତ ମିସନ’ ଓ ସମୁଦ୍ର ସେତୁ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ ୧୨ଶହ ନାଗରିକଙ୍କୁ ବିଭିନ୍ନ ସ୍ଥାନରୁ ଅଣାଯାଇଥିବା ବେଳେ ବିଦେଶରୁ ଆସିବା ଲାଗି ପଞ୍ଜିକୃତ କରିଥିବା ଅନ୍ୟ ନାଗରିକଙ୍କୁ ମଧ୍ୟ ୭ ଦିନ ମଧ୍ୟରେ ଫେରାଇ ଅଣାଯିବ ବୋଲି କୁହାଯାଇଛି।

ମିସନର ପ୍ରଥମ ଦିନ ଗୁରୁବାର ଦୁବାଇ ଓ ୟୁଏଇରୁ ୯ ନବଜାତ ଶିଶୁଙ୍କ ସମେତ ମୋଟ ୩୫୪ ଜଣଙ୍କୁ ଭାରତ ଅଣାଯାଇଥିଲା। ୨ଟି ଅନ୍ତର୍ଜାତୀୟ ଉଡାଣରେ ଆସିଥିବା ଏହି ନାଗରିକଙ୍କୁ କେରଳର କୋଚ୍ଚି ଓ କୋଝିକୋଡରେ ଅବତରଣ କରାଯାଇଛି। ଦେଶରେ କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ନାଗରିକଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବା ପରେ ସେମାନଙ୍କୁ ଘରକୁ ଫେରିବାକୁ ଅନୁମତି ମିଳିବ।

ସେହିପରି ଶୁକ୍ରବାର ବାଂଲାଦେଶରେ ଫଶି ରହିଥିବା ୧୬୮ ଭାରତୀୟ ଛାତ୍ରଙ୍କୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଅଣାଯାଇଛି। ଏମାନଙ୍କୁ ଶ୍ରୀନଗର ବିମାନ ବନ୍ଦରରେ ଅବତରଣ କରାଯିବା ପରେ କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଯିବ। ସେପଟେ ସମୁଦ୍ର ସେତୁ କାର୍ଯ୍ୟକ୍ରମରେ ମାଲଦୀପରେ ଫଶି ରହିଥିବା ୭୫୦ ଭାରତୀୟଙ୍କୁ ପାଣି ଜାହାଜରେ ଭାରତ ଅଣାଯାଇଛି।

ବିଦେଶରୁ ଫେରୁଥିବା ଭାରତୀୟଙ୍କଠାରୁ ବିମାନ ଯାତ୍ରା ବାବଦ ଶୁଳ୍କ ଅସୁଲ କରାଯିବ। ଉପସାଗରୀୟ କ୍ଷେତ୍ରରୁ ଆସୁଥିବା ଭାରତୀୟଙ୍କ ଲାଗି ଟିକେଟ୍ ମୂଲ୍ୟ ୧୫ ହଜାର ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ବାଂଲାଦେଶରୁ ଆସୁଥିବା ଭାରତୀୟ ନାଗରିକଙ୍କ ଲାଗି ଯଥାକ୍ରମେ ୧୨ ଓ ୧୫ ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ଏହା ବାଦେ ସେମାନେ କ୍ୱାରେଣ୍ଟାଇନ ବାବଦ ଖର୍ଚ୍ଚ ମଧ୍ୟ ସେମାନେ ଭରଣା କରିବେ।