୧୨ ଘଣ୍ଟିଆ ନୀଳଗିରି ବନ୍ଦ ଡାକରା, ସ୍ୱତନ୍ତ୍ର ଜିଲ୍ଲା ଘୋଷଣା ଦାବିରେ ଆନ୍ଦୋଳନ
3/10/2023 at 9:33 AM

ନୀଳଗିରି ୦୩।୧୦: ୧୨ ଘଣ୍ଟିଆ ନୀଳଗିରି ବନ୍ଦ ଡାକରା । ବାଲେଶ୍ୱର ଜିଲ୍ଲା ନୀଳଗିରିକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଯାହାଫଳରେ ଦୋକାନ ବଜାର ବନ୍ଦ ଥିବା ବେଳେ ବାଇପାସ ଛକ ଠାରେ ରାସ୍ତା ଉପରେ ଅଟକି ରହିଛି ଅନେକ ଗାଡି ।

ସେପଟେ ସେରଗଡ଼ ଝରଣାଘାଟି ୧୯ ନମ୍ବର ରାଜ୍ୟ ରାଜପଥରେ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି । ପୂର୍ବରୁ ନୀଳଗିରି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଥିଲେ। ପ୍ରାୟ ସବୁ ଦଳ ଓ ସମସ୍ତ ବର୍ଗର ବ୍ୟକ୍ତି ସାମିଲ ଅଛନ୍ତି। ସ୍ଵାଧୀନ ଭାରତରେ ରାଜତନ୍ତ୍ରର ବିଲୋପ କରି ପ୍ରଥମ ଗଡଜାତ ରାଜ୍ୟ ଭାବେ ସ୍ଵାଧୀନ ଭାରତରେ ମିଶ୍ରଣ ସମୟରେ ନୀଳଗିରିକୁ ସ୍ଵତନ୍ତ୍ର ଅଧିକାର ମିଳିବ ବୋଲି ଚୁକ୍ତି ହୋଇଥିଲା।

ଚୁକ୍ତି ଅନୁଯାୟୀ ନୀଳଗିରିକୁ ବିଶେଷ ଅଧିକାର ସ୍ୱରୂପ ଜିଲ୍ଲା ମାନ୍ୟତା ହକଦାର ବୋଲି ନୀଳଗିରି ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆବାହକ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଦୃଢ଼ ମତବ୍ୟକ୍ତ କରିଛନ୍ତି। ଯେତେ ଶୀଘ୍ର ଜିଲ୍ଲା ଘୋଷଣା କରାଗଲେ ଆଦିବାସୀ ଅଧ୍ୟୁଷିତ ନୀଳଗିରି ସ୍ଵତନ୍ତ୍ର କ୍ଷମତା ହାସଲ କଲେ ନୀଳଗିରି ଅଞ୍ଚଳରେ ବିକାଶ ହୋଇପାରିବ ବୋଲି କୁହାଯାଇଛି। ଏହି ବନ୍ଦ ଡ଼ାକରାରେ ନୀଳଗିରିର ସମସ୍ତ ରାଜନୀତି ଦଳ ସମର୍ଥନ କରିଛନ୍ତି।