ନବରଙ୍ଗପୁର ୦୩/୦୧: ବିଜେପିର ୧୨ ଘଣ୍ଟିଆ ନବରଙ୍ଗପୁର ମୁନୁସିପାଲିଟି ବନ୍ଦ ପାଳନ । ନବରଙ୍ଗପୁର ନଗରପାଳ କୁନୁ ନାୟକଙ୍କୁ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାଶଙ୍କ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ କରି ପ୍ରତିବାଦରେ ଏହି ବନ୍ଦ ପାଳନ କରୁଛି ଜିଲ୍ଲା ବିଜେପି ।
ସକାଳ ୬ରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ । ଫଳରେ ସହରର ବିଭିନ୍ନ ସ୍ଥାନ ଓ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି ଜିଲ୍ଲା ବିଜେପିର କର୍ଯ୍ୟକର୍ତ୍ତା । ଯାହାଫଳରେ ସହର ଭିତର ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଛି । ଏହାସହ ସହର ମଧ୍ୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଏହି ବନ୍ଦ ପାଳନ ସମୟରେ ଜରୁରୀ ସେବାକୁ ବାଦ୍ ଦିଆଯାଇଛି ।
ଗତ ୧ତାରିଖ ନବ ବର୍ଷ ଦିନ ହକି ବିଶ୍ୱକପ ଟ୍ରଫିର ସ୍ୱାଗତ କାର୍ଯ୍ୟକ୍ରମ ସମୟରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାଶ ନବରଙ୍ଗପୁର ନଗରପାଳଙ୍କୁ ହୁ ଆର ୟୁ ଏବଂ ତୁମେ ପ୍ରୋଟୋକଲ ଜାଣି ନାହଁକି ବୋଲି କହି ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି । ଯାହାର ପ୍ରତିବାଦରେ ଗତକାଲି ଜିଲ୍ଲା ବିଜେପି କାର୍ଯ୍ୟକର୍ତା ମାନେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ମୁଖ୍ୟ ଫାଟକ ତାଲା ଦେଇ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ଆସି ନଗରପାଳଙ୍କୁ କ୍ଷମା ମାଗିବା ପାଇଁ ଦାବି କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ପୋଲିସ ରାସ୍ତା ଅବରୋଧ କାରୀ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଉଠାଇ ନେଇଥିଲା ପୋଲିସ ।
ପ୍ରତିବାଦରେ ଆଜି ନବରଙ୍ଗପୁର ମୁନୁସିପାଲିଟି ଅଞ୍ଚଳ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି । ଜଣେ ଆଇଏସ ଅଧିକାରୀ ହୋଇ ନିର୍ବାଚିତ ପ୍ରତିନିଧିଙ୍କୁ ଏଭଳି ଆଚରଣ ପ୍ରଦର୍ଶନ କରିବା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହଁ ଏବଂ ଅଧିକାରୀ ଜଣକ ନିସର୍ତ କ୍ଷମା ପ୍ରାର୍ଥନା ଦାବି କରିଛି ବିଜେପି।