୧୨ ଜଣ ବିଜେଡି ସାଂସଦଙ୍କ କଟି ପାରେ ଟିକେଟ : ବିଜେଡିରେ ଗୁଞ୍ଜରଣ

Published By : Prameya-News7 Bureau | August 31, 2018 IST

ଭୁବନେଶ୍ୱର ୩୧/୮ : ଆଗାମୀ ସାଧାରଣ ନିର୍ବାଚନରେ ବର୍ତ୍ତମାନ ସାଂସଦ ଥିବା ୨୦ ଜଣଙ୍କ ମଧ୍ୟରୁ ୧୨ ଜଣ ଟିକେଟ ପାଇବେ ନାହିଁ | ଏଭଳି ଏକ ନିଷ୍ପତ୍ତି ବିଜେଡି ସୁପ୍ରିମୋ ନେଇଥିବା ଚର୍ଚ୍ଚା ଜୋର ଧରିଛି | ଗୁଇନ୍ଦା ରିପୋର୍ଟ, ଗୁପ୍ତ ସର୍ଭେ ଏବଂ ଅଘୋଷିତ ପର୍ଯ୍ୟବେକ୍ଷକଙ୍କ ମତ ସାଙ୍ଗକୁ ରାଜନୈତିକ ସମୀକରଣ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା ଆଲୋଚନା ହୋଇଛି | ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳରେ ଟିକେଟକୁ ନେଇ କସରତ ସେତିକି ବଢ଼ିବାରେ ଲାଗିଛି | କଂଗ୍ରେସ ୫୦ ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବୋଲି ସୂଚନା ଦେଇସାରିଲାଣି | ଜଡ ବିଜେଡି ପକ୍ଷରୁ ଖୋଲାଖୋଲି ଭାବେ ଏଭଳି କୌଣସି ଘୋଷଣା କରାଯାଇନାହିଁ ତଥାପି ଭିତରେ ଭିତରେ ରିପୋର୍ଟ ପ୍ରସ୍ତୁତ ଚାଲିଛି | ସେଥିପାଇଁ ସବୁ ନେତା ଏକ ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି | ନିର୍ବାଚନରେ ବିଜୟ ସମ୍ଭାବନା କାହାର କେତେ ତାକୁ ସବୁ ରାଜନୈତିକ ଟିକେଟ ପ୍ରଦାନର ଆଧାର ବୋଲି କହିବା ସ୍ୱାଭାବିକ କଥା | କିନ୍ତୁ ବିଜେଡିରେ ଏହା କେବଳ ଏକ ମାତ୍ର ଆଧାର ନୁହେଁ | କାରଣ ବିଜେଡିରେ ନିଷ୍ପତ୍ତି ନେଉଥିବା ବଡ଼ପଣ୍ଡା ମାନଙ୍କ ଧାରଣା ଯେ, ଭୋଟ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ନାଁରେ ଆସୁଛି | ତେଣୁ ଯାହାକୁ ମଧ୍ୟ ପ୍ରାର୍ଥୀ କରାଯାଇପାରେ | ବର୍ତ୍ତମାନ ଯେଉଁମାନେ ବିଧାୟକ ବା ସାଂସଦ ଅଛନ୍ତି ସେମାନଙ୍କ ଟିକେଟ ଅପରିବର୍ତ୍ତିତ ରହିବ ବୋଲି କଂଗ୍ରେସ ଯେମିତି ମାପଦଣ୍ଡ ନିର୍ଧାରଣ କରିଛି ବିଜେଡିରେ ସେମିତି ନାହିଁ | ଆଗାମୀ ନିର୍ବାଚନ ବେଳେ ଟିକେଟ ପ୍ରଦାନ କ୍ଷେତ୍ରରେ ଯୁବନେତାଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ନବୀନ ଦେଇଥିବା ସଂକେତ ବିଜେଡିରେ କମ୍ପନ ସୃଷ୍ଟି କରିଥିଲା | ଏବେ ୧୨ ଜଣ ସାଂସଦଙ୍କ ଟିକେଟ କଟିବ ବୋଲି ଖବର ଦଳ ମଧ୍ୟରେ ବେଶ ଗୁଞ୍ଜରଣ ସୃଷ୍ଟି କରିଛି | କେବଳ ୧୨ଟି ଆସନ ନୁହେଁ ଆଉ ୪ଟି ଆସନର ପ୍ରାର୍ଥୀ ବଦଳାଇବା ପାଇଁ ମଧ୍ୟ ମାନସ ମନ୍ଥନ ଚାଲିଥିବା କୁହାଯାଉଛି | ତେବେ କେଉଁ ୧୨ ଟି ଆସନରେ ସାଂସଦ ବଦଳିବେ ସେନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ | ଦଳର ଜଣେ ବରିଷ୍ଠ ନେତା ଅନୁମାନ କରି କହିଛନ୍ତି ଯେ, ସାଂସଦ ବଦଳିନ କ୍ଷେତ୍ରରେ ସମ୍ବଲପୁର ସର୍ବାଗ୍ରେ ରହିଛି | ସେଭଳି ଜଗତସିଂହପୁର, ଯାଜପୁର, ବ୍ରହ୍ମପୁର, କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ, ନବରଙ୍ଗପୁର, ଫୁଲବାଣୀ, ଆସିକା ଭଦ୍ରକ, କେନ୍ଦ୍ରାପଡା, ବରଗଡ଼ ସମ୍ପର୍କରେ ମଧ୍ୟ ଆଲୋଚନା ହେଉଛି | ଏହି ଆସନର ସାଂସଦମାନଙ୍କ ମଧ୍ୟରୁ କେହି କେହି ବିଧାନସଭା ପାଇଁ ନିଜ ଆଡୁ ଆଗ୍ରହ ପ୍ରକାଶ କରିଥିବା ବେଳେ ଆଉ ଆଉ କାହାକୁ ଦଳ ନିଜ ଆଡୁ ବିଧାନସଭାରେ ପ୍ରାର୍ଥୀ କରିବାକୁ ଚାହୁଁଥିବା କୁହାଯାଉଛି | ବିଧାନସଭା ପାଇଁ ନିଜ ଆଡୁ ଆଗ୍ରହ ପ୍ରକାଶ କରିଥିବା ସାଂସଦଙ୍କ ମଧ୍ୟରେ କୋରାପୁଟ ସାଂସଦ ଝିନ ହିକକା, ଫୁଲବାଣୀ ସାଂସଦ ପ୍ରତ୍ୟୁଷ ରାଜେଶ୍ୱରୀ ଥିବା ଆଲୋଚନା ହେଉଛି | ଅପରପାର୍ଶ୍ଵରେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ବିଧାନସଭାକୁ ଆଣି ତାଙ୍କ ସ୍ଥାନରେ କଂଗ୍ରେସରୁ ଆସି ବିଜେଡିରେ ଯୋଗଦେଇଥିବା ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ଟିକେଟ ଦେବା ପାଇଁ ଯୋଜନା ହେଉଥିବା ଚର୍ଚ୍ଚା ହେଉଛି | ସେହିଭଳି ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ଚିଟ ଫଣ୍ଡ ଲିଙ୍କ କାରଣରୁ ଟିକେଟ ପାଇବାରୁ ବଂଚିତ ହେବ ଆଶଙ୍କା ରହିଛି | ବିଭିନ୍ନ ସମୟରେ ଦଳ ଓ ଦଳର ମୁଖିଆଙ୍କ ସମ୍ପର୍କରେ ଟୀକା ଟିପ୍ପଣୀ ଦେଇଥିବାରୁ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ଅଡୁଆରେ ପଡିପାରନ୍ତି | ବିଜେପୁର ନିର୍ବାଚନରେ ବରଗଡ଼ ସାଂସଦ ପ୍ରଭାସ ସିଂଙ୍କ ଅବଦାନ ନେଇ ମଧ୍ୟ ଦଳ ସମୀକ୍ଷା କରିଥିବା ଆଲୋଚନା ହେଉଛି | ମୁଖ୍ୟତଃ ଦଳ ପାଇଁ କାହାର ଅବଦାନ ରହିଛି | ପାର୍ଲିଆମେଣ୍ଟରେ କେଉଁ ସାଂସଦ କେତେ ଦକ୍ଷତା ପ୍ରଦର୍ଶନ କରିଛନ୍ତି, ଲୋକଙ୍କ ପାଖରେ କେଉଁ ସାଂସଦ କେତେ ପହଂଚୁଛନ୍ତି, ଏଭଳି ବିଭିନ୍ନ ପ୍ରସଙ୍ଗରେ ବହୁ ତର୍ଜମା କରିବା ପରେ ଦଳ ପାଖାପାଖି ୧୨ ସାଂସଦଙ୍କୁ ଟିକେଟ ନଦେବାକୁ ନିଷ୍ପତ୍ତି ନେଇଥିବା କୁଜିଛି | ଏହା ବ୍ୟତୀତ ଭୁବନେଶ୍ୱର, ପୁରୀ, ଢେଙ୍କାନାଳ ଓ ବାଲେଶ୍ଵର ସମ୍ପର୍କରେ ମଧ୍ୟ ରାଜନୈତିକ ସମୀକରଣ କାରଣରୁ ଟିକେଟ ଏପଟ ସେପଟ ହେବା ସମ୍ଭାବନା ରହିଛି | ସଦ୍ୟ ବିଜେଡିରେ ଯୋଗ ଦେଇଥିବା ପୂର୍ବତ୍ତନ ଏଜି ଅମର ପଟ୍ଟନାୟକ ଏବଂ ପୂର୍ବତ୍ତନ ଆଇପିଏସ ଅରୂପ ପଟ୍ଟନାୟକଙ୍କୁ ଟିକେଟ ମିଳିପାରେ ଚର୍ଚ୍ଚା ହେଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.