ମା' ଶାରଳାଙ୍କ ମନ୍ଦିରରେ ୩ ଦିନ ପାଇଁ ୧୪୪ ଧାରା ଜାରି, ପୀଠକୁ ଆସିବାକୁ ଶ୍ରଦ୍ଧାଳୁମାନଙ୍କୁ ବାରଣ

Published By : Prameya-News7 Bureau | October 11, 2021 IST

ଜଗତସିଂହପୁର, ୧୧/୧୦: ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ ମା' ଶାରଳାଙ୍କ ମନ୍ଦିରର ପାର୍ବଣ ପୂଜା ପାଇଁ ଲାଗିଲା ୧୪୪ ଧାରା । ଆସନ୍ତାକାଲି ମହାଷ୍ଟମୀ ୧୨ ତାରିଖ ଠାରୁ ୧୪ ତାରିଖ ତିନି ଦିନ ପାଇଁ ୧୪୪ଧାରା ଜାରି କରାଯାଇଛି। ମା'ଶାରଳାଙ୍କ ପୀଠକୁ ଶ୍ରଦ୍ଧାଳୁମାନଙ୍କୁ ଆସିବାକୁ ବାରଣ କରାଯାଇଛି। ଜଗତସିଂହପୁର ସବଡିଭିଜନାଲ ମାଜିଷ୍ଟ୍ରେଟଙ୍କ ଅଦାଲତ ମିସ୍ କେସ ନଂ ୬/୨୧ରେ ମାଜିଷ୍ଟ୍ରେଟ ତଥା ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକଙ୍କ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।

କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା କରି ୧୪୪ ଧାରା ଜାରି କରାଯାଇଥିବା ବେଳେ କେବଳ ମନ୍ଦିର ପୂଜକ, ସେବକ, ସେବା ନିୟୋଗୀ ନିର୍ଦ୍ଧିଷ୍ଟ ସଂଖ୍ୟକଙ୍କୁ ନେଇ ପୂଜାନୀତି ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି। ରାଜ୍ୟ ସରକାରଙ୍କ ଏସଆରସି ଜାରି କରିଥିବା ସ୍ୱତନ୍ତ୍ର ଏସ.ଓ.ପି ମାନି ପାର୍ବଣ ପୂଜା ସମାପନ କରିବାକୁ ଶାରଳା ମନ୍ଦିର ପ୍ରଶାସନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଦୀର୍ଘ ଦିନ ପରେ ମା'ଶାରଳାଙ୍କୁ ପାର୍ବଣ ପୂଜାର ମହାଷ୍ଟମୀରେ ସ୍ୱର୍ଣ୍ଣିମ ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ କରି ବିଶେଷ କୃପାଲାଭ ପାଇଁ ଉତ୍ସୁକ ଭକ୍ତଶ୍ରଦ୍ଧାଳୁ, ତାନ୍ତ୍ରିକ, ସାଧକ, ସାହିତ୍ୟିକ, ଗବେଷକ ସମସ୍ତ ବର୍ଗର ଭକ୍ତ ନିରାଶ। କଟକଣା ମାନି ପୂଜାର୍ଚ୍ଚନା ପାଇଁ ମନ୍ଦିର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସଜବାଜ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.