ଭୋଗରାଇରେ ୧୧୧ କଇଁଛ ଉଦ୍ଧାର, ବେପାରୀ ଗିରଫ       

Published By : Prameya-News7 Bureau | October 16, 2022 IST

ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇର ଜଳସୋହରିଆରୁ ରବିବାର ଅଚାନକ ଚଢ଼ାଉ କରି ବନ ବିଭାଗ ୧୧୧ଟି କଇଁଛ ଉଦ୍ଧାର କରିଛନ୍ତି। ଘଟଣାରେ ବେପାରୀ ହାଡିବନ୍ଧୁ ମଣ୍ଡଳଙ୍କ ପୁଅ ଗୌରାଙ୍ଗ କଟି ମଣ୍ଡଳ (୬୦)ଙ୍କୁ ଗିରଫ କରାଯାଇଛି।  ଓଆର କେସ ନଂ୪୯।୨୨-୨୩ରେ ମାମଲା ରୁଜୁ ହୋଇଥିବା ଜଳେଶ୍ଵର ରେଞ୍ଜ ଅଧିକାରିଣୀ ଜୟଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଜଣେ ବେପାରୀ ବସରେ କଇଁଛ ନେଉ ଥିବାବେଳେ ବନ ବିଭାଗ ହାବୁଡରେ ପଡିଥିଲେ। ତାଙ୍କ ଠାରୁ ସୁରାକ ପାଇ ରେଞ୍ଜ ଅଧିକାରିଣୀ ସଦଳବଳେ ରବିବାର ଉପର ଓଳି ୨ଟାରେ ଜଳସୋହରିଆ ଗାଁର ଉକ୍ତ ବେପାରୀଙ୍କ ଘରେ ଚଢାଉ କରିଥିଲେ। ଚଢାଉରେ ଗୌରାଙ୍ଗଙ୍କ ଘରୁ ୧୧୧ଟି କଇଁଛ ଜବତ ହୋଇ ଥିଲା। କଇଁଛ ସବୁକୁ ସେ ଘର ଭିତରେ ଜାଲ ଘେରାଇ ରଖିଥିଲେ। କଇଁଛ ସବୁର ଓଜନ ୧କିଲୋରୁ ୫କିଲୋ ମଧ୍ଯରେ ହେବ। ଏହା ଇଣ୍ଡିଆନ ସଫ୍ଟ ସେଲ୍ଡ ପ୍ରଜାତିର। ସାଧାରଣତଃ ଉକ୍ତ କଇଁଛ ଏହି ଅଂଚଳରେ ବିରଳ ବୋଲି ରେଞ୍ଜ ଅଧିକାରିଣୀ କହନ୍ତି।

ତେବେ ଜଣେ ପେଶାଦାର ବେପାରୀଙ୍କ ଠାରୁ ଗୌରାଙ୍ଗ ଏହି କଇଁଛ ଆଣି ପଶ୍ଚିମବଙ୍ଗକୁ ଚାଲାଣ କରିଥାଏ। ଏହି କଇଁଛ ସବୁ କେଉଁଠୁ ଆସୁଥିଲା, କେବେଠୁ ଏହା ଚାଲୁଛି ସ୍ପଷ୍ଟ ଭାବେ ଜଣା ପଡିନାହିଁ। ମାତ୍ର ଏଥିରେ ଜଡିତ ସମସ୍ତଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ବନ ଅଧିକାରିଣୀ କହନ୍ତି। ଚଢାଉରେ ବନପାଳ ଭକ୍ତିଲତା ଦାସ, ଫରେଷ୍ଟ ଗାର୍ଡ ମନୋହର ସିଂ, ଦିଲ୍ଲୀପ ସିଂ, ସଞ୍ଜୟ ମହାନ୍ତି, ମିନତୀ ମାଝୀ, ରଞ୍ଜିତା ବିଶ୍ବାଳଙ୍କ ସମେତ ଉଦୟପୁର, ବରଡିହା ଓ ଜଳେଶ୍ୱର ସେକ୍ସନର ବିଭାଗୀୟ କର୍ମଚାରୀ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.