୧ କି ୨ ନୁହେଁ ବିଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କଠାରୁ ମିଳିଲାଣି ଓମିକ୍ରନର ୧୧ ଭାରିଆଣ୍ଟ
5/01/2023 at 3:30 PM

ନୂଆଦିଲ୍ଲୀ ୫।୧: ଜାପାନ, ଦକ୍ଷିଣ କୋରିଆ ଓ ଆମେରିକା ସମେତ ବିଶ୍ୱର ବିଭିନ୍ନ ଦେଶରେ ଏବେ କରୋନା ପୁଣି ପ୍ରକୋପ କରୁଛି। ପଡୋଶୀ ଚୀନ୍ରେ ଏବେ କରୋନାର ଲହର ବହୁଛି। ଏ ସବୁ ମଧ୍ୟରେ ଭାରତକୁ ଆସୁଥିବା ଯାତ୍ରୀଙ୍କ ନମୁନା ସିକ୍ୱେନସିଂରେ ୧ କି ୨ ନୁହେଁ ଓମିକ୍ରନର ୧୧ ଭାରିଆଣ୍ଟ ମିଳିଥିବାର ଜଣାପଡିଛି। ସୂଚନା ଅନୁସାରେ ୨୪ ଡିସେମ୍ବରରୁ ୩ ଜାନୁୟାରୀ ମଧ୍ୟରେ ଏୟାରପୋର୍ଟ ଓ ସମୁଦ୍ର ରାସ୍ତାରେ ଭାରତ ଆସିଥିବା ଯାତ୍ରୀଙ୍କ କରୋନା ପରୀକ୍ଷଣ କରାଯାଇଥିଲା। ଏଥିରେ ପଜିଟିଭ ମିଳିଥିବା ଯାତ୍ରୀଙ୍କ ନମୁନାରୁ ଓମିକ୍ରନର ୧୧ଟି ଭାରିଆଣ୍ଟ ମିଳିଥିବା ଜଣାପଡିଛି।

୨୪ରୁ ୩ ଜାନୁୟାରୀ ମଧ୍ୟରେ ଭାରତକୁ ବିଭିନ୍ନ ମାର୍ଗରେ ଆସିଥିବା ୧୯ ହଜାର ୨୨୭ ଯାତ୍ରୀଙ୍କ କରୋନା ଟେଷ୍ଟିଂ କରାଯାଇଛି। ଏଥିରୁ ୧୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଲୋକଙ୍କ ଜିନୋମ ସିକ୍ୱେନସିଂ କରାଯିବାରେ ୧୧ କରୋନା ଭାରିଆଣ୍ଟ ପୁଷ୍ଚି ହୋଇଛି। ତେବେ ଏହି ସବୁ ଭାରିଆଣ୍ଟ ଭାରତ ଲାଗି ନୂଆ ନୁହେଁ, ପୂର୍ବରୁ ଭାରତରେ ଏହି ସବୁ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି।

ଭାରତରେ ଗତ ୨୪ ଘଣ୍ଟାରେ ୧୮୮ ନୂଆ ମାମଲା ସାମ୍ନାକୁ ଆସିଛି। ଏହି ଅବଧିରେ ୨୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଣୁ ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ୨,୫୫୪ କୁ ଖସିଆସିଛି। ଭାରତରେ ଏବେ ରିକୋଭରି ହାର ୯୮.୮ ପ୍ରତିଶତ ଥିବା ବେଳେ ଦୈନିକ ପଜିଟିଭିଟି ହାର ୦.୧୦ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୧,୯୩, ୦୫୧ ଟେଷ୍ଟିଂ ହୋଇଛି। ଏହି ଅବଧିରେ ଦେଶରେ କରୋନା ଭେକ୍ସିନର ୬୧ ହଜାର ୮୨୮ଟି ଡୋଜ ଦିଆଯାଇଛି।