ସ୍କୁଲରେ ବ୍ୟାପିଲା କରୋନା, ୧୧ ଛାତ୍ରଛାତ୍ରୀ ସଂକ୍ରମିତ, ଏପରି ପଦକ୍ଷେପ ନେଲା ପ୍ରଶାସନ

Published By : Prameya-News7 Bureau | November 23, 2021 IST

ଜୟପୁର, ୨୩/୧୧: ରାଜସ୍ଥାନର ଜୟପୁର ପେଡ଼ିୱାଲ୍‌ ସ୍କୁଲ୍‌ର ୧୧ ଜଣ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଗୋଟିଏ ସ୍କୁ୍ଲ୍‌ରୁ ଏତେ ସଂଖ୍ୟକ ପିଲା କରୋନା ପଜିଟିଭ୍‌ ମିଳିବା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି । ବର୍ତ୍ତମାନ ପାଇଁ ପ୍ରଶାସନ ସ୍କୁଲକୁ ବନ୍ଦ କରିବା ସହିତ ଏହା ଅନ୍ୟ ପିଲାଙ୍କୁ ବ୍ୟାପିଛି ନା ନାହିଁ ସେ ନେଇ ସମସ୍ତ ଛାତ୍ରଛାତ୍ରୀଙ୍କ ନମୁନା ପରୀକ୍ଷଣ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ମଙ୍ଗଳବାର ଦିନ ଜୟଶ୍ରୀ ପେଡିୱାଲ ସ୍କୁଲରେ କିଛି ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ସମସ୍ତ ପଜିଟିଭ୍‌ ଗୋଟିଏ ବିଦ୍ୟାଳୟର ହୋଇଥିବାରୁ ଅନ୍ୟ ପିଲାଙ୍କୁ ନେଇ କତ୍ତୃପକ୍ଷ ଅଧିକ ଚିନ୍ତିତ ଥିଲେ । ବିଦ୍ୟାଳୟ ପକ୍ଷରୁ ଏନେଇ ତୁରନ୍ତ ପ୍ରଶାସନକୁ ଜଣାଯାଇଥିଲା । ପଦକ୍ଷେପ ସ୍ୱରୂପ ସ୍କୁଲକୁ ଏବେ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ସମୟରେ ସ୍କୁଲ ପିଲାମାନେ ଅଧିକ କରୋନାର ଶିକାର ହେଉଥିବା ଜଣାପଡ଼ିଛି ।

ରବିବାର ଦିନ ତେଲେଙ୍ଗାନା କାମାମ ଜିଲ୍ଲାର ସରକାରୀ ଆବାସିକ ବିଦ୍ୟାଳୟର ୨୮ ବାଳିକା ଛାତ୍ର କରୋନାରେ ପଜିଟିଭ୍ ହୋଇଥିଲେ । ତେଲେଙ୍ଗାନା ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଫୋନ୍‌ ଯୋଗେ ସଂକ୍ରମିତ ଛାତ୍ରଛାତ୍ରୀଙ୍କୁ ଭଲ ଭାବେ ଚିକିତ୍ସା ସେବା ଯୋଗାଇ ଦେବାକୁ କହିଥିଲେ । ଏଥିସହ ସେହି ଅଞ୍ଚଳରେ କରୋନା କିପରି ନବ୍ୟାପିବ ସେନେଇ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.