ଦିଲ୍ଲୀ କଂଝାବାଲା କେସ୍: ସ୍ପେଶାଲ କମିସନରଙ୍କ ରିପୋର୍ଟ ପରେ ହେଲା କାର୍ଯ୍ୟାନୁଷ୍ଠାନ, ୧୧ ପୋଲିସ କର୍ମଚାରୀ ନିଲମ୍ବିତ

Published By : Prameya-News7 Bureau | January 13, 2023 IST

ନୂଆଦିଲ୍ଲୀ ୧୩।୧:  ଦିଲ୍ଲୀ କଂଝାବାଲା କାର ଦୁର୍ଘଟଣା ମାମଲାରେ କର୍ତ୍ତବ୍ୟରେ ଅବହେଳା ଯୋଗୁ ୧୧ ପୋଲିସ କର୍ମଚାରୀ ଚାକିରୀରୁ ନିଲମ୍ବିତ ହୋଇଛନ୍ତି। ଜାତୀୟ ରାଜଧାନୀରେ ଜନୈକା ୨୦ ବର୍ଷ ବୟସ୍କା ମହିଳାଙ୍କୁ କାର ଚକ ତଳେ ୧୩ କିଲୋମିଟର ଘୋଷାରି ଘୋଷାରୀ ହତ୍ୟା ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ନୂଆ ବର୍ଷ ଲାଗି ଉତ୍ସବ ରାତିରେ ହୋଇଥିବା ଏହି ଘଟଣାରେ କେନ୍ଦ୍ର ଗୃହମନ୍ତ୍ରାଳୟଙ୍କ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ହୋଇଛି। ନିଲମ୍ବିତ କର୍ମଚାରୀମାନେ ଦିଲ୍ଲୀ ପୋଲିସର ରୋହିଣୀ ଜିଲ୍ଲାରେ ମୁତୟନ ଥିଲେ।

କାର୍ଯ୍ୟାନୁଷ୍ଠାନ ନିମନ୍ତେ କେନ୍ଦ୍ର ଗୃହମନ୍ତ୍ରାଳୟ ଦିନକ ପୂର୍ବରୁ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀ ପୋଲିସ ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରାଳୟଙ୍କ ନିର୍ଦ୍ଦେଶକୁ ପାଳନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରାଳୟ ଦିଲ୍ଲୀ ପୋଲିସ ମୁଖ୍ୟଙ୍କୁ ୩ ପିସିଆର ଭ୍ୟାନରେ ମୁତୟନ ସମସ୍ତ ପୋଲିସ କର୍ମଚାରୀଙ୍କ ସମେତ ୨ ପିକେଟ୍‌ରେ ମୁତୟନ ପୋଲିସ କର୍ମଚାରୀଙ୍କୁ ଘଟଣାରେ ନିଲମ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିଲମ୍ବିତ କର୍ମଚାରୀଙ୍କ ମଧ୍ୟରେ ୨ ଜଣ ଏସଆଇ, ୪ ଜଣ ଏଏସଆଇ,୪ ହେଡ କନଷ୍ଟେବଲ ଓ ଜଣେ କନଷ୍ଟେବଲ ଅଛନ୍ତି। ଏମାନଙ୍କ ମଧ୍ୟରୁ ୬ ଜଣ ପିସିଆର ଡ୍ୟୁଟିରେ ମୁତୟନ ଥିବା ବେଳେ ୫ ଜଣ ପିକେଟ୍‌ ସମ୍ଭାଳୁଥିଲେ।

ଦିଲ୍ଲୀ ପୋଲିସ ସ୍ପେଶାଲ କମିଶନର ଶାଳିନୀ ସିଂହ ଗୃହମନ୍ତ୍ରାଳୟଙ୍କ ନିର୍ଦ୍ଦେଶରେ ମାମଲାର ତଦନ୍ତ କରିଥିଲେ। ସ୍ପେଶାଲ କମିଶନରଙ୍କ ଯାଞ୍ଚରେ ପୋଲିସ କର୍ମଚାରୀଙ୍କ କର୍ତ୍ତବ୍ୟରେ ଅବହେଳା ସାମ୍ନାକୁ ଆସିଥିଲା। ସ୍ପେଶାଲ କମିଶନରଙ୍କ ରିପୋର୍ଟ ଆଧାରରେ ଗୃହମନ୍ତ୍ରାଳୟ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଏହି ମାମଲାରେ ପୋଲିସ କମିଶନରଙ୍କୁ ହତ୍ୟା ଧାରା ବଢେଇବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା। ଏହି ମାମଲାରେ ପୋଲିସ ମୋଟ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ୫ ଅଭିଯୁକ୍ତଙ୍କୁ ପୋଲିସ ଘଟଣା ପରଦିନ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଆଶୁତୋଷ ଓ ଅଙ୍କୁଶ ଖାନ୍ନାକୁ ପରେ ଗିରଫ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଅଞ୍ଜଳି ସିଂହ (୨୦) ତାଙ୍କ ବାନ୍ଧବୀଙ୍କ ସହ ୩୧ ଜାନୁୟାରୀ ରାତି ପ୍ରାୟ ୨ ଟା ବେଳେ ନୂଆ ବର୍ଷ ପାର୍ଟିରୁ ସ୍କୁଟର ଯୋଗେ ଘରକୁ ଫେରୁଥିବା ବେଳେ ଏକ କାର ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ଅଞ୍ଜଳିଙ୍କ ସାଙ୍ଗ ଛିଟକି ପଡି ସାମାନ୍ୟ ଆହତ ହୋଇଥିବା ବେଳେ ଅଞ୍ଜଳିଙ୍କ ଗୋଡ କାରର ଆଗ ଚକରେ ଫଶି ଯାଇଥିଲା। ଏହା ପରେ କାର ଅଞ୍ଜଳିଙ୍କୁ ଉତ୍ତର ଦିଲ୍ଲୀର ସୁଲତାନପୁରୀରୁ କଂଝାବାଲା ପର୍ଯ୍ୟନ୍ତ ପ୍ରାୟ ୧୩ କିଲୋମିଟକ ଘୋଷାରି ନେଇଥିଲା। ଫଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ମାମଲାକୁ କଲପେବଲ ହୋମିସାଇଡ ଦର୍ଶାଇ ରଫାଦଫା କରିଦେଉଥିବା ବେଳେ ଜନଆକ୍ରୋଶ ଯୋଗୁ ଏବେ କାର୍ଯ୍ୟାନୁଷ୍ଠାନ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.