ଖଣ୍ଡଗିରି ଯାତ୍ରା: ୩୦ରୁ ଦୁଲୁକିବ ମଞ୍ଚ, ଏଥର ସାମିଲ୍ ହେଉ ନାହାନ୍ତି ଏହି ୬ ଯାତ୍ରା ପାର୍ଟି
25/01/2023 at 10:46 PM

ଭୁବନେଶ୍ଵର: ଆସନ୍ତା ୨୮ରୁ ଖଣ୍ଡଗିରି ଯାତ୍ରା ଏବଂ ୩୦ ତାରିଖରୁ ଦୁଲୁକିବ ଅପେରା ମଞ୍ଚ । ରାଜ୍ୟର କୋଣ ଅନୁକୋଣରୁ ଓଡ଼ିଆ ଯାତ୍ରା ପ୍ରେମୀଙ୍କ ସୁଅ ଛୁଟିବ ରାଜଧାନୀକୁ । ତେବେ ଏଥର ଖଣ୍ଡଗିରି ମେଳାରେ ନାଟକ ମଞ୍ଚସ୍ଥ କରିବାକୁ ଆସୁ ନାହାନ୍ତି ଅନେକ ଯାତ୍ରା ପାର୍ଟି । ତେଣୁ ଜଲିଉଡ୍ର ଅନେକ ଲୋକପ୍ରିୟ ଅଭିନେତା, ଅଭିନେତ୍ରୀ, ହାସ୍ୟ ଅଭିନେତାଙ୍କୁ ଦେଖିବାର ସୁଯୋଗ ପାଇବେ ନାହିଁ ଦର୍ଶକ ।
୨ ବର୍ଷର ବ୍ୟବଧାନ ପରେ ଖଣ୍ଡଗିରିରେ ପୁଣି ଦୁଲୁକିବ ଅପେରା ମଞ୍ଚ । ଚିକ୍ ମିକ୍ ଆଲୁଅ ସାଙ୍ଗକୁ ଦମ୍ଦାର ଡାଇଲଗରେ କମ୍ପିବ ଯାତ୍ରା ପେଣ୍ଡାଲ । ହିରୋ ହିରୋଇନଙ୍କ ରୋମାଣ୍ଟିକ୍ ଯୋଡ଼ି ହେଉ କି ଦୁର୍ଦ୍ଦଶ ଖଳନାୟକଙ୍କ ଛାତିଥରା ସଂଳାପ । ଯାତ୍ରା କଳାକାରଙ୍କ ଜୀବନ୍ତ ଅଭିନୟକୁ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ରହିଛି ନାହିଁ ନଥିବା ଉତ୍କଣ୍ଠା । ଏଥର ୬ଟି ପେଣ୍ଡାଲରେ ନାଟକ ମଞ୍ଚସ୍ଥ କରିବେ ୧୧ ଅପେରା ପାର୍ଟି । ତେବେ ସ୍ବପ୍ନ ମହଲ, ଧଉଳି ଗଣନାଟ୍ୟ, ଚକୋଲେଟ ରଙ୍ଗମଞ୍ଚ, ପାର୍ବତୀ ଗଣନାଟ୍ୟ, ବାଘା ଯତୀନ ଲୋକନାଟ୍ୟ ଭଳି ଆଗଧାଡ଼ିର ଯାତ୍ରା ପାର୍ଟି ଏଥର ଖଣ୍ଡଗିରି ମେଳାକୁ ଆସୁ ନାହାନ୍ତି । ତେଣୁ ଗୌର ଦାସ, ମୁନା, ଲରେନ୍ସ, ନମିତା, ମିନୁ, ବାସୁ ମହାନ୍ତି, ନରି ପଣ୍ଡା, ସାନ ମଣି ଭଳି ଭେଟେରାନ୍ ଅଭିନେତା, ଅଭିନେତ୍ରୀ ଓ ହାସ୍ୟ ଅଭିନେତାଙ୍କୁ ଖଣ୍ଡଗିରିରେ ଦେଖିବାକୁ ସୁଯୋଗ ପାଇବେନି ଦର୍ଶକ ।
ଖଣ୍ଡଗିରି ମେଳା ଅବସରରେ ଆୟୋଜିତ ହୋଇଥାଏ ଯାତ୍ରା ମହାକୁମ୍ଭ । ଏହି ଠାରେ ହିଁ ଅପେରା ପାର୍ଟିଙ୍କ ମଧ୍ୟରେ ଦମ୍ଦାର୍ ନାଟକ ପରିବେଷଣକୁ ନେଇ ପ୍ରତିଯୋଗୀତା ହୋଇଥାଏ । ଖଣ୍ଡଗିରି ମେଳାରୁ ହିଁ ଆରମ୍ଭ ହୋଇଥାଏ ଅନେକ ଯାତ୍ରା ପାର୍ଟିଙ୍କ ବର୍ଷକର ଅଭିଯାନ । ଆଉ ଏହାରି ଭିତରେ ଦମଦାରଙ୍କ ମୂଲଚାଲ ବି ହୋଇଥାଏ । ଅର୍ଥାତ୍ ଆଗାମୀ ବର୍ଷ ପାଇଁ କେଉଁ କଳାକାର କେଉଁ ପାର୍ଟିକୁ ଯିବେ ତାହା ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ହିଁ ସ୍ଥିର ହୋଇଥାଏ । ଏମିତିକି ନାମୀ ଦାମୀ କଳାକାରଙ୍କୁ ଆଡଭାନ୍ସ ଦେଇ ନିଜ ପାର୍ଟିକୁ ନେବାକୁ ଚାଲେ କମ୍ପିଟେସନ । ହେଲେ ଏଥର ଅନେକ ହାଇପେଡ୍ ଯାତ୍ରା ଆର୍ଟିଷ୍ଟ ଖଣ୍ଡଗିରି ମଞ୍ଚକୁ ଯାଇ ପାରୁ ନାହାନ୍ତି ।