ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ୧୧ ମୁଖ୍ୟମନ୍ତ୍ରୀ, ନୀତୀଶ-ମମତା-ନବୀନ ସମେତ ଦୂରରେ ରହିଲେ ଏସବୁ ନେତା
27/05/2023 at 11:53 PM

ନୂଆଦିଲ୍ଲୀ: ନୀତି ଆୟୋଗର ୮ମ ବୈଠକ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଯୋଗ ଦେବାକୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା। ହେଲେ ଏଥିରେ ୧୧ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନାହାନ୍ତି। ପ୍ରଗତି ମଇଦାନରେ ଅନୁଷ୍ଠିତ ବୈଠକରେ ଆଲୋଚନାର ଶୀର୍ଷକ ଥିଲା ଭାରତ@2047: ଟିମ୍ ଇଣ୍ଡିଆର ଭୂମିକା। ବୈଠକରେ ଏମଏସଏମଇ, ଭିତ୍ତିଭୂମି ନିର୍ମାଣ, ନିବେଶ, ମହିଳା ସଶକ୍ତୀକରଣ, ସ୍ଵାସ୍ଥ୍ୟ, ପୋଷଣ, କୌଶଳ ବିକାଶ ଏବଂ ଗତି ଶକ୍ତି ସମେତ ପ୍ରମୁଖ ବିଷୟରେ ଆଲୋଚନା ହୋଇଛି।
ନୀତି ଆୟୋଗ ବୈଠକରେ ଯୋଗ ଦେଇନଥିବା ମୁଖ୍ୟମନ୍ତ୍ରୀମାନେ ହେଉଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ, କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଏବଂ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ବୈଠକରେ ଯୋଗ ଦେଉନଥିବାର ସୂଚନା ଦେଇଥିଲେ। ସେ କହିଥିଲେ, ଅଧ୍ୟାଦେଶ ଆଣି ଦେଶର ସଂଘୀୟ ଢାଞ୍ଚାର ପରିହାସ କରାଯାଉଛି। ଏମିତିରେ ନୀତି ଆୟୋଗର ବୈଠକରେ ଯୋଗ ଦେବାକୁ ମୁଁ ଉଚିତ୍ ମନେ କରୁନି। ସାଂପ୍ରତିକ ସ୍ଥିତିରେ ବୈଠକରେ ଯୋଗ ଦେବା ମୋ ପକ୍ଷେ ସମ୍ଭବ ନୁହେଁ, ଏଥିପାଇଁ ମୁଁ ଏହାକୁ ବହିଷ୍କାର କରୁଛି।
ଏହି ଖବର ପଢ଼ନ୍ତୁ-ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀର ଦୋଷ କ୍ଷମା କରାଯାଇଛି, ୟାସିନ ମଲ୍ଲିକର ମାମଲାରେ ପୁନର୍ବିଚାର ହେଉ; ମେହବୁବା ମୁଫ୍ତୀ
ସେ ଟୁଇଟ୍ କରି କହିଥିଲେ, ଯଦି ଦେଶର ପ୍ରଧାନମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ଆଦେଶକୁ ମାନିବେ ନାହିଁ ତେବେ ସାଧାରଣ ଜନତା ନ୍ୟାୟ ପାଇଁ ଆଉ କେଉଁଠି କି ଯିବେ ? ପ୍ରଧାନନନ୍ତ୍ରୀ ଜୀ ଆପଣ ଦେଶ ପାଇଁ ବାପା ସଦୃଶ। ଆପଣ ଅଣ ବିଜେପି ଶାସିତ ସରକାରମାନଙ୍କୁ କାମ କରିବାକୁ ଦିଅନ୍ତୁ। ଉନ୍ନତିମୂଳକ କାମରେ ବାଧା ଦିଅନ୍ତୁ ନାହିଁ। ଜନତା ଆପଣଙ୍କ ଅଧ୍ୟାଦେଶକୁ ନେଇ ଉତକ୍ଷୀପ୍ତ। ତେଣୁ ମୋ ପାଇଁ ନୀତି ଆୟୋଗ ବୈଠକରେ ଯୋଗ ଦେବା ସମ୍ଭବ ନୁହେଁ।

ଅନ୍ୟପଟେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ କାରଣରୁ ବୈଠକରେ ସାମିଲ୍ ହୋଇ ପାରିନଥିବା କହିଛନ୍ତି। ସେହିପରି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ କହିଥିଲେ କେନ୍ଦ୍ର ସରକାର ପଞ୍ଜାବର ହିତକୁ ଦୃଷ୍ଟିରେ ରଖୁ ନାହାନ୍ତି। ଏଥିପାଇଁ ମୁଁ ବୈଠକରେ ଯୋଗ ଦେଉନାହିଁ।
ଏ ଖବର ପଢନ୍ତୁ- ବିକଶିତ ଭାରତ @୨୦୪୭: ପିଏମ୍ ମୋଦୀଙ୍କ ଅଧ୍ୟକ୍ଷତାରେ ଟିମ୍ ଇଣ୍ଡିଆ ପ୍ରସ୍ତୁତ କରିବ ରୋଡମ୍ୟାପ୍, ୮ ସେକ୍ଟର ଉପରେ ଗୁରୁତ୍ୱ
ସ୍ବାସ୍ଥ୍ୟଗତ କାରଣରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବୈଠକରେ ଯୋଗ ଦେଇନଥିବା ବେଳେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଯୋଗନଦେବାର କୌଣସି ଦର୍ଶାଇ ନାହାନ୍ତି । ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି, ଯେତେ ସବୁ ମୁଖ୍ୟମନ୍ତ୍ରୀ ବୈଠକରେ ଯୋଗ ଦେଇ ନାହାନ୍ତି, ସେମାନଙ୍କ ସହ ନୀତି ଆୟୋଗ ଭେଦଭାବ କରୁଛନ୍ତି। ଗଣତନ୍ତ୍ରରେ ଯଦି ବିରୋଧୀଙ୍କୁ ସମ୍ମାନ ଦିଆଯିବ ନାହିଁ ତେବେ ଏମିତି ଗଣତନ୍ତ୍ରର ମୂଲ୍ୟ କଣ ?