ବାଣ ବିସ୍ଫୋରଣ ଘଟଣାରେ ୧୧ ଅଟକ, ଦୁଇ ଜଣଙ୍କ ନାଁରେ ମାମଲା

Published By : Prameya-News7 Bureau | November 25, 2022 IST

କେନ୍ଦ୍ରାପଡ଼ା ୨୫/୧୧: କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାଲିଆ ବଜାରରେ ବୁଧବାର ରାତିରେ କାର୍ତ୍ତିକେଶ୍ୱର ଭସାଣି ବେଳେ ଘଟିଥିବା ବାଣ ବିସ୍ଫୋରଣର ଆହତଙ୍କ ମଧ୍ୟରୁ ୧୦ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି । ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । କଟକ ବଡ଼ ମେଡିକାଲ୍‌ର ବର୍ଣ୍ଣ ଆଇସିୟୁରେ ୫ ଜଣ ଓ କେନ୍ଦ୍ରୀୟ ଆଇସିୟୁରେ ଆଉ ୫ଜଣଙ୍କର ଚିକିତ୍ସା କରାଯାଉଛି ।

ଗତକାଲି ୩୪ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ୩୩ ଜଣ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ବେଳେ କେବଳ ଜଣେ ଆହତ ନିଜ ଆଡୁ ଭର୍ତ୍ତି ହୋଇଛନ୍ତି । ଜମଧରର ନିତ୍ୟାନନ୍ଦ ବେହେରା ମେଡିକାଲରେ ପହଞ୍ଚିବା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି । ଆହତଙ୍କ ମଧ୍ୟରେ ୨୮ ଜଣ ପୁରୁଷ, ୩ ଜଣ ଲେଖାଏଁ ମହିଳା ଓ ନାବାଳକ ଅଛନ୍ତି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଣ୍ଣ ୱାର୍ଡରେ ୫ଜଣ ଆହତ ଏବେ ଚିକିତ୍ସାଧୀନ ଅଛନ୍ତି ।

wp:gallery {"linkTo":"none"} /wp:gallery

ଜଣେ ବାଣୁଆ ନିଶ୍ଚିନ୍ତକୋଇଲି ଥାନା ବୁହାଳ ଗ୍ରାମର ଉଦୟନାଥ ଭୋଇ ସମେତ ଅବସରପ୍ରାପ୍ତ ଶିକ୍ଷକ ପୋଇଲୋର ପ୍ରାଣକୃଷ୍ଣ ବେଜ୍‌, ସାନଗାଁର ମହେଶ ଲେଙ୍କା, ଜଇପୁରାର ସେକ୍‌ ମାରୁଫ, ପିଣ୍ଟୁ ଖାନ୍‌ କଟକ ବଡ଼ ମେଡିକାଲର ବର୍ଣ୍ଣ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ସେହିପରି କେନ୍ଦ୍ରୀୟ ଆଇସିିୟୁରେ ପାଟକୁରାର କାଳନ୍ଦୀ ଚରଣ ସାହୁ, ପୋଇଲର ହିମାଂଶୁ ଶେଖର ବେହେରା, ସାନଗାଁର ବଳରାମ ମହାରଣା, ବାଲିଆର ସୁରଜ ସୌମ୍ୟଦର୍ଶୀ ବାରିକ୍‌, ନିଆଳିର ସରୋଜ ଭଟ୍ଟ ଚିକିତ୍ସିତ ହେଉଛନ୍ତି । ଅନ୍ୟମାନେ ସର୍ଜରି ଓ ଟ୍ରମା କାଜୁଆଲଟିରେ ଚିକିତ୍ସାଧୀନ ଅଛନ୍ତି ।

କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଆଜି ବିସ୍ଫୋରଣ ସ୍ଥଳ ବାଲିଆ ବଜାର ପରିଦର୍ଶନ କରିବା ସହ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଏସ୍‌ପି ମଦକର ସନ୍ଦୀପ ସମ୍ପଦ, ସଦର ଥାନାଧିକାରୀ ପବିତ୍ର ମହାରଣା ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥିତିର ସମୀକ୍ଷା କରିଛନ୍ତି । କେନ୍ଦ୍ରାପଡ଼ା ତହସିଲଦାର ହେମଲତା ବାହାଲିଆ ମଧ୍ୟ ବିଭାଗୀୟ ଟିମ୍‌ ସହ ଆଜି ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଯାଞ୍ଚ୍‌ କରିଛନ୍ତି । ଆହତଙ୍କ ସଂଖ୍ୟା ଆକଳନ କରିବା ସହ କେତେ ସମ୍ପତ୍ତି ନଷ୍ଟ ହୋଇଛି ବୁଲି ଦେଖିଛନ୍ତି । ସେହିପରି ଆଜି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ରେଡ୍‌କ୍ରସ ପକ୍ଷରୁ ଆଇସିୟୁରେ ଥିବା ଗୁରୁତର ଆହତଙ୍କୁ ୨୦ ହଜାର ଏବଂ ଅନ୍ୟମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି ।

ବିସ୍ଫୋରଣ ଅଘଟଣକୁ ନେଇ ସଦର ପୁଲିସ ଆଜି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଶୋଭାଯାତ୍ରା ଆୟୋଜନକାରୀ କମିଟି ଚଣ୍ଡି ଶ୍ରମିକ ସଂଘର ସଭାପତି, ସମ୍ପାଦକଙ୍କ ସମେତ ୨ ବାଣୁଆଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ପୁଲିସ କହିଛି । ଆଜି ଏହି ଘଟଣାରେ ସଦର ଥାନା ପୁଲିସ ୧୧ ଜଣଙ୍କୁ ଉଠାଇ ଆଣି ପଚରା ଉଚରା କରୁଥିବା ଆଇଆଇସି ପବିତ୍ର ମହାରଣା କହିଛନ୍ତି । ସେହିପରି ଜିଲ୍ଲାପାଳ ଅମ୍ରିତ ଋତୁରାଜ କହିଛନ୍ତି ଯେ କଟକ ବଡ଼ ମେଡିକାଲରେ ୩୪ ଜଣଙ୍କର ଚିକିତ୍ସା ଚାଲିଥିବା ବେଳେ ୫ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି । ଭସାଣି ଶୋଭାଯାତ୍ରାରେ ବାଣ ଫୁଟାଇବା ପାଇଁ କୌଣସି ଅନୁମତି ଦିଆଯାଇ ନ ଥିଲା । ଆଇନ ଖିଲାପକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମିଳିଥିବା ସୂଚନା ଅନୁସାରେ, ଚଣ୍ଡି ଶ୍ରମିକ ସଂଘ କମିଟି ଓ ଧୋବା ସାହି ମେଢ଼ କମିଟି ମଧ୍ୟରେ ମେଢ଼ ଭସାଣି ବେଳେ ବାଣଫୁଟାକୁ ନେଇ ପ୍ରତିଯୋଗିତା ହେଉଥିଲା । ବାଲିଆ ବଜାର ପ୍ରବେଶ ପଥ ନିକଟରେ ଚଣ୍ଡି ଶ୍ରମିକ ସଂଘ ପକ୍ଷରୁ ବାଣ ଫୁଟା ଯାଉଥିବାବେଳେ ଅଚାନକ ଅନ୍ୟତ୍ର ବିସ୍ଫୋରଣ ହୋଇଥିଲା । ସିଙ୍ଗଲ୍‌ ସଟ୍‌ ବାଣ ଗୁଡ଼ିକ ସମୂହ ଭାବେ ଲୁହା ପାଇପ୍‌ରେ ରଖି ଫୁଟାଇବା ବଦଳରେ ପଟିଲ୍‌ରେ ଆବଦ୍ଧ ପାଇପ୍‌ରେ ଏକାଠି ରଖି ଫୁଟାଯାଇଥିଲା । ଫଳରେ ୧୦ଟି ବାଣ ମଧ୍ୟରୁ ୪ ନଂ. ପଟିଲ୍‌ ପାଇପ୍‌ରେ ଥିବା ସିଙ୍ଗଲ ସଟ୍‌ ବାଣ ଉପରକୁ ଉଠିବା ବଦଳରେ ପାଖରେ ଏକ ଦୋକାନରେ ରଖାଯାଇଥିବା ବାଣଗଦା ଉପରେ ଛିଟିକି ପଡ଼ିଥିଲା ।

ଉକ୍ତ ପଟିଲ୍‌ରେ ସମ୍ଭବତଃ ପୂର୍ବରୁ ଛିଦ୍ର ଥିବାରୁ ବାଣ ଉପରକୁ ନଯାଇ ଦକ୍ଷିଣ ପାଶ୍ୱର୍କୁ ମାଡ଼ିଯାଇ ସୁନା ଦୋକାନ ସାମନାରେ ଥିବା ବାଣ ବ୍ୟାଗ୍‌ ବା ବସ୍ତା ଉପରେ ପଡ଼ିଥିଲା । ଯେଉଁଠି ବାଣ ଗଦା ରହିଥିଲା । ବାଣୁଆ ମେଲଣ ପଡ଼ିଆ ପର୍ଯ୍ୟନ୍ତ ଠାଏ ଠାଏ ବାଣ ଗଦା କରି ରଖି ରଖି ଫୁଟାଇ ଆସୁଥିଲେ । ତେବେ ପଟିଲ୍‌ ପାଇପ୍‌ରେ ଛିଦ୍ର ଥିବା କାରଣରୁ ବାଣ ଉପରକୁ ନଯାଇ ତଳେ ବାଣଗଦା ଉପରେ ପଡ଼ି ଫୁଟିବାରୁ ଲୋକଙ୍କ ଭିଡ଼ ଭିତରେ ବିସ୍ଫୋରଣ ହୋଇଥିଲା ।

ବାଣ ଝୁଲ ବାଣ ଗଦା ଉପରେ ପଡ଼ି ଭୟଙ୍କର ଭାବେ ବିସ୍ଫୋରିତ ହେବାରୁ ଗହଳି ଭିତରେ ଲୋକେ ପୋଡ଼ି ଯାଇଥିଲେ, ଆହତ ହୋଇଥିଲେ । ବିସ୍ଫୋରଣ ଏତେ ତୀବ୍ର ଓ ଶକ୍ତିଶାଳୀ ଥିଲା ଯେ ଯେଉଁ ସ୍ଥାନରେ ବାଣ ବ୍ୟାଗ୍‌ ରହିଥିଲା ଉକ୍ତ ଘରର ଟିଣ କବାଟକୁ ଫଟାଇ ଦେଇଛି । ଆଜ୍‌ବେଷ୍ଟସ୍‌ ମଧ୍ୟ ଭାଙ୍ଗିରୁଜି ଗଳିପଡ଼ିଛି । ଗତକାଲିର ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ପୁଲିସ ସ୍ଥିତି ଉପରେ ନଜର ରଖିଛି । ଶୋଭାଯାତ୍ରାରେ ବାଣ ଫୁଟାଇବାକୁ ଆଦୌ ଅନୁମତି ନଥିବା ବେଳେ କିପରି ପୁଲିସ ଉପସ୍ଥିତିରେ ଏତେ ବାଣ ଫୁଟାଯାଉଥିଲା ଓ ରୀତିମତ ବାଣ ପ୍ରତିଯୋଗିତା ହେଉଥିଲା, ତାହା ସବୁ ମହଲରେ ପ୍ରଶ୍ନ ଛିଡ଼ା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.