ଦଶମ ପିଲା ପଢ଼ିବେ କୋଭିଡ୍ ପାଠ

Published By : Prameya-News7 Bureau | July 10, 2022 IST

କଟକ ୧୦/୦୭: ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଏବର୍ଷ କୋଭିଡ୍‌ ମହାମାରୀ ଏବଂ ଏହାର ପରିଚାଳନା ସମ୍ପର୍କିତ ପାଠ ପଢ଼ିବେ। ଏଥିଲାଗି ଚଳିତ ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ଦଶମ ଶ୍ରେଣୀର ଜୀବ ବିଜ୍ଞାନ ପାଠ୍ୟପୁସ୍ତକରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ପକ୍ଷରୁ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଜୀବ ବିଜ୍ଞାନ ବହିରେ ପୂର୍ବରୁ ୧୦ଟି ବିଷୟ ରହିଥିବା ବେଳେ ଏବେ ବିଶ୍ୱ ମହାମାରୀ-କୋଭିଡ୍‌ ୧୯ ଓ ତାହାର ପରିଚାଳନା ନାମକ ଏକ ନୂତନ ଅଧ୍ୟାୟ ଯୋଡ଼ା ହୋଇଛି । ଫଳରେ ଜୀବ ବିଜ୍ଞାନ ବହିର ଅଧ୍ୟାୟ ସଂଖ୍ୟା ଏବେ ୧୧ ହୋଇଛି।

ଚଳିତ ବର୍ଷ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଜୀବ ବିଜ୍ଞାନରେ ଉକ୍ତ ୧୧ଟି ଅଧ୍ୟାୟ ପଢ଼ି ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ସେହିପରି ଭୂଗୋଳ ବହିରେ ମଧ୍ୟ ଆଉ ଏକ ଅଧ୍ୟାୟ ଅନ୍ତର୍ଭୁକ୍ତ କରାଯାଇଥିବାର ସୂଚନା ମିଳିଛି । ଜଳବାୟୁ ଜନିତ ବିପତ୍ତି ଏବଂ ପରିଚାଳନା ଜନିତ ଏକ ନୂତନ ଅଧ୍ୟାୟ ବହିରେ ଯୋଡ଼ା ହୋଇଛି ।

ସଂସ୍କୃତ ବହିରେ ଥିବା ଶୃଗାଳ ଶିଶୁ କଥା ଅଧ୍ୟାୟ ପୂର୍ବରୁ ପଢ଼ା ଯାଉନଥିବା ବେଳେ ଚଳିତ ଶିକ୍ଷାବର୍ଷରେ ସଂସ୍କୃତ ଇଚ୍ଛାଧିନ ବିଷୟ ରଖିଥିବା ଛାତ୍ରଛାତ୍ରୀମାନେ ଉକ୍ତ ବିଷୟଟି ପଢ଼ିବେ ବୋଲି ସୂଚନା ମିଳିଛି । କୋଭିଡ୍‌ ରୋଗ ଏବଂ ଏହାର ପରିଚାଳନା ପାଠ ପଢ଼ିଲେ ପିଲାମାନେ ଅନେକ ଶିକ୍ଷା ଲାଭ କରିବା ସହ ସେମାନଙ୍କ ପରିବାର ଏବଂ ସମ୍ପର୍କୀୟମାନେ ମଧ୍ୟ ସଚେତନ ହୋଇପାରିବେ ବୋଲି ଶିକ୍ଷାବିତ୍‌ମାନେ ମତ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.