ଜରୁରୀ ସେବାରେ ବି ବଡ କେଳେଙ୍କାରୀ; ୧୦୮ ଆମ୍ବୁଲାନ୍ସ ସେବାରେ ୩୦୦କୋଟିର ହେର୍ଫେର୍ ଅଭିଯୋଗ

Published By : Prameya-News7 Bureau | December 27, 2019 IST

ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ବିରୋଧରେ ୩୦୦ କୋଟି ଟଙ୍କାର ଘୋଟାଲା ଅଭିଯୋଗ ହୋଇଛି । ଏଥିରେ କେନ୍ଦ୍ର, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର କିଛି କର୍ମଚାରୀ ଏବଂ ଆମ୍ୱୁଲାନ୍ସ ସେବା ଯୋଗାଉଥିବା କମ୍ପାନୀ ଜିକିଟ୍‌ଜା କମ୍ପାନୀର କର୍ମଚାରୀଙ୍କ ସମ୍ପୃକ୍ତି ରହିଛି । ଏମାନଙ୍କ ଯୋଗୁଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ଲୁଟ୍‌ ଅଭିଯୋଗ ହୋଇଛି। ଏହି ଘଟଣାର ସିବିଆଇ ତଦନ୍ତ ସହ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା।

ଏହି ମାମଲାର ଶୁଣାଣି କରି ହାଇକୋର୍ଟ କେନ୍ଦ୍ର ସରକାର, ରାଜ୍ୟ ସରକାର, ଜିକିଟ୍‌ଜା ହେଲ୍‌ଥ କେୟାର ଲିମିଟେଡ୍‌, ସିବିଆଇ, ୩୦ଟି ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀଙ୍କୁ ଜବାବ ଦାଖଲ ପାଇଁ ନୋଟିସ୍‌ ଜାରି କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦୨୦ ମସିହା ଜାନୁଆରୀ ମାସ ୨୧ତାରିଖରେ ହେବ।

ରାଜ୍ୟରେ ୨୦୦୫ ମସିହାରେ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା ଏନେଇ ଆବେଦନକାରୀ ପିଟିସନ୍ ଦାଖଲ କରିଛନ୍ତି। ସର୍ବ ପ୍ରଥମେ ଏହି ସେବା ରାଜ୍ୟର ୧୫ଟି ଜିଲ୍ଲାରେ ଲାଗୁ ହୋଇଥିଲା । ଏହିସବୁ ଜିଲ୍ଲାକୁ ୨୮୦ଟି ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା । ପରବର୍ତ୍ତି ସମୟରେ ଅନ୍ୟ ୧୫ଟି ଜିଲ୍ଲାରେ ଏହି ସେବା ଆରମ୍ଭ ହୋଇଥିଲା। ଏହା ସହ ଆଉ ୧୪୦ଟି ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା ।

ଏହି ଯୋଜନା ଜିକିଟ୍‌ଜା ହେଲ୍‌ଥ କେୟାର ଲିମିଟେଡ୍‌ ପକ୍ଷରୁ ପରିଚାଳନା କରୁଥିଲା । କିନ୍ତୁ ବିଭିନ୍ନ ହସ୍ପିଟାଲର ଅଧିକାରୀ, ଏନ୍‌ଏଚ୍‌ଆରଏମ୍‌ର କର୍ମକର୍ତ୍ତା ଏବଂ ଜିକିଟ୍‌ଜାର କର୍ମଚାରୀମାନେ ଘୋଟଲା ଆରମ୍ଭ କରିଥିଲେ। ଜାଲ୍‌ କାଗଜପତ୍ର କରି ୧୦୮ ଆମ୍ବୁଲାନ୍ସ ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌ କରୁଛନ୍ତି । ପ୍ରତି ମାସରେ କମ୍ପାନୀ ୩ରୁ ୫ ଲକ୍ଷ ଟଙ୍କାର ଘୋଟାଲା କରୁଛି ।

ସବୁ ଘଟଣାର ସିବିଆଇ ଦ୍ୱାରା ତଦନ୍ତ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଏଥିସହ ନ୍ୟାସନାଲ ଆମ୍ବୁଲାନ୍ସ ସର୍ଭିସ ଲାଗି ଏକ ଷ୍ଟାଣ୍ଡାର୍ଡ ଅପରେସନ୍‌ ପ୍ରୋସିଡିଓର କରାଯାଉ । ଯେଉଁମାନେ ଏହି ସରକାରୀ ଅର୍ଥ ଲୁଟ୍‌ରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଦମା ରୁଜୁ କରିବା, ସେମାନଙ୍କଠାରୁ ହରିଲୁଟ୍‌ ଅର୍ଥ ଆଦାୟ କରିବା, ୧୦୨ ପରିବର୍ତ୍ତେ ୧୦୮ରେ ଲୋକଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି ।

ଆବେଦନକାରୀ ଏହି ମାମଲାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ନ୍ୟାସନାଲ ହେଲଥ୍‌ ମିସନର ପରିଚାଳନା ନିର୍ଦ୍ଦେଶକ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଚିବ, ରାଜ୍ୟ ନ୍ୟାସନାଲ ହେଲଥ୍‌ ମିସନର ନିର୍ଦ୍ଦେଶକ, ସିବିଆଇ, ୩୦ଟି ଯାକ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପକ୍ଷଭୁକ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.