୩ ଥର କରୋନାକୁ ମାତ ଦେଇ ସୁସ୍ଥ ହେଲେ ବୃଦ୍ଧା, କୋଭିଡ ଯୋଦ୍ଧାଙ୍କ ଲିଷ୍ଟରେ ଯୋଡ଼ି ହେଲା ୧୦୧ ବର୍ଷୀୟା ମାରିଆଙ୍କ ନାଁ

Published By : Prameya-News7 Bureau | December 01, 2020 IST

ନୂଆଦିଲ୍ଲୀ ୦୧/୧୨: ବୟସ କେବଳ ଏକ ସଂଖ୍ୟା। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ୧୦୧ ବର୍ଷୀୟା ବୃଦ୍ଧା। ଥରେ କି ଦୁଇ ଥର ନୁହେଁ ତିନି ତିନ ଥର କରୋନାକୁ ମାତ ଦେଇ ସୁସ୍ଥ ହୋଇଥିବା ବୃଦ୍ଧାଙ୍କୁ କରୋନା ଯୋଦ୍ଧାଙ୍କ ଲିଷ୍ଟରେ ସାମିଲ କରାଯାଇଛି। ଦ୍ବିତୀୟ ବିଶ୍ବ ଯୁଦ୍ଧ, ସ୍ପାନିସ୍‌ ଫ୍ଲୁ ଆଦିର ଭୟାବହତା ଦେଖିଥିବା ବୃଦ୍ଧା ପୁଣି କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ଘଟଣାକୁ ବିରଳ ବୋଲି କୁହାଯାଉଛି।

ଇଟାଲୀର ୧୦୧ ବର୍ଷୀୟା ବୃଦ୍ଧା ମାରିଆ ଓରସିଙ୍ଘର। ଚଳିତବର୍ଷ ଫେବୃଆରୀରରେ ପ୍ରଥମେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ବୟାସାଧିକ୍ୟ ଯୋଗୁ ଡାକ୍ତରମାନେ ତାଙ୍କର ଯତ୍ନ ଭଲ ଭାବେ ନେଇଥିଲେ। ପ୍ରଥମେ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ମାରିଆ ଦିନ କେଇଟାରେ ସୁସ୍ଥ ହୋଇ ଫେରିଥିଲେ। ମାରିଆ ସୁସ୍ଥ ହେବା ପରେ ଡାକ୍ତର ଏହାକୁ ଏକ ବଡ଼ ସଫଳତା ବୋଲି କହିଥି​‌ଲେ ବୋଲି ତାଙ୍କ ଝିଅ କାର୍ଲା କହିଛନ୍ତି।

ମାରିଆ ନିଜର ୧୦୧ ତମ ଜନ୍ମ ଦିନ ଜୁଲାଇରେ ମନାଇଥିଲେ। ସେପ୍ଟେମ୍ବରରେ ମାରିଆଙ୍କୁ ଭୀଷଣ ଜ୍ବର ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୧୮ ଦିନ ଡାକ୍ତରଖାନରେ ଚିକିତ୍ସିତ ହୋଇଥିବା ମାରିଆଙ୍କ କରୋନା ପରୀକ୍ଷା କରାଯାଇଥିଲା। ପୁଣି ଥରେ ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଡାକ୍ତର ଓ ନର୍ସଙ୍କ ଯତ୍ନ ପରେ ପୁଣି ଥରେ ସୁସ୍ଥ ହୋଇଥିଲେ ମାରିଆ। ମାରିଆ ବଧିର ହୋଇଥିବାରୁ ସେ ପିଲାମାନଙ୍କ ସହ କଥା ହେବାରୁ ବଞ୍ଚିତ ହେଉଛନ୍ତି। ଏପରିକି ଏବେ ସେ ଶଯ୍ୟାଶାୟୀ ଥିବା ଜଣାପଡ଼ିଛି।

୨୧ ଜୁଲାଇ ୧୯୧୯ରେ ଜନ୍ମ ଗ୍ରହଣ କରିଥିବା ମାରିଆଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି। ତାଙ୍କ ଶରୀର ଦୁର୍ବଳ ଥିବାରୁ ସେ ପୁରା ବିଶ୍ରାମ କରୁଛନ୍ତି। ଏପରିକି ୯ ମାସ ମଧ୍ୟରେ ସେ ୩ ଥର କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ତାଙ୍କ ଝିଅ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.