୧୦୦ତମ ଏପିସୋଡରେ ମୋଦୀଙ୍କ ‘ମନ କି ବାତ୍’, ମିଳିତ ଜାତିସଂଘ ମୁଖ୍ୟାଳୟରୁ ହେବ ସିଧା ପ୍ରସାରଣ

Published By : Prameya-News7 Bureau | April 29, 2023 IST

ନୂଆଦିଲ୍ଲୀ ୨୯।୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତି ମାସର ଶେଷ ରବିବାରରେ ‘ମନ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀକୁ ସମ୍ବୋଧିତ କରିଥାନ୍ତି । ଚଳିତ ମାସ ରବିବାର ଅର୍ଥାତ୍ ଆସନ୍ତାକାଲି ମୋଦୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମର ୧୦୦ତମ ଏପିସୋଡ୍ ପ୍ରସାରିତ ହେବ ।  ସେଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଏଥିରେ ଆଉ ଏକ ଐତିହାସିକ ମୁହୂର୍ତ୍ତ ଯୋଡି ହୋଇଛି । କାର୍ଯ୍ୟକ୍ରମର ୧୦୦ତମ ଏପିସୋଡ ମିଳିତ ଜାତିସଂଘର ମୁଖ୍ୟାଳୟରେ ସିଧା ପ୍ରସାରଣ ହେବ । ଏପ୍ରିଲ୍ ୩୦ ଅର୍ଥାତ୍ ଆସନ୍ତାକାଲି @UN HQରେ ଟ୍ରଷ୍ଟିସିପ୍ କାଉନସିଲ୍ ଚାମ୍ବରରେ ଲାଇଭ୍ ହେବାକୁ ଯାଉଛି  । ଏନେଇ ‘ଜାତିସଂଘ ସ୍ଥାୟୀ ମିଶନ ଅଫ୍ ଇଣ୍ଡିଆ’ ଟୁଇଟ୍ କରି ସୂଚନା ଦେଇଛନ୍ତି ।

ମୋଦୀଙ୍କ ରେଡିଓ କାର୍ଯ୍ୟକ୍ରମର ୧୦୦ତମ ଏପିସୋଡ୍ ଏପ୍ରିଲ୍ ୩୦ ସକାଳ ୧୧ଟାରେ ପ୍ରସାରିତ ହେବ । ଯାହାକି ନ୍ୟୁୟର୍କରେ ରବିବାର ସକାଳ ୧.୩୦ରେ ହୋଇଥିବ । ଜାତିସଂଘର ଟ୍ରଷ୍ଟିସିପ୍ କାଉନସିଲ୍ ଚାମ୍ବରରେ ଏହା ପ୍ରସାରିତ ହେବ। କାର୍ଯ୍ୟକ୍ରମକୁ ନେଇ ସ୍ଥାୟୀ ମିଶନ କହିଛନ୍ତି ଯେ ’ମନ୍ କି ବାତ୍’ ଏକ ଜାତୀୟ ପରମ୍ପରାରେ ପରିଣତ ହୋଇଛି । ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ଭାରତର ବିକାଶ ଯାତ୍ରାରେ ଭାଗ ନେବାକୁ ପ୍ରେରଣା ଯୋଗାଇଥାଏ ।

‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ସବୁ ବର୍ଗର ଲୋକଙ୍କ ଉଦେଶ୍ୟରେ ବିଭିନ୍ନ ପ୍ରସଙ୍ଗରେ ସମ୍ବୋଧିତ କରିଥାନ୍ତି । ଏହା ପ୍ରଥମେ ୨୦୧୪ ଅକ୍ଟୋବର ୩ରେ ପ୍ରସାରିତ ହୋଇଥିଲା ।  ଏହା ପ୍ରତ୍ୟେକ ମାସର ଶେଷ ରବିବାର  ସକାଳ ୧୧ଟାରେ ଅଲ୍ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନରେ ପ୍ରସାରିତ ହୋଇ ଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.