କଂଗ୍ରେସର କିଏ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ? ସିଦ୍ଧରମେୟା କହିଲେ, ମୋର ଇଚ୍ଛା ଅଛି, ଶିବକୁମାରଙ୍କର ଇଚ୍ଛା ଥିଲେ ମୋର ଅସୁବିଧା ନାହିଁ
30/03/2023 at 4:24 PM

କର୍ଣ୍ଣାଟକ: କର୍ଣ୍ଣାଟକ ନିର୍ବାଚନ ତାରିଖ ଘୋଷଣା ସରିଛି। ମେ ୧୦ ତାରିଖରେ ଭୋଟଗ୍ରହଣ ହେବାକୁ ଥିବା ବେଳେ ୧୩ ତାରିଖରେ ଭୋଟ ଗଣତି ହେବ ବୋଲି ଗତକାଲି ଘୋଷଣା କରିଛନ୍ତି ନିର୍ବାଚନ କମିଶନ।
ଏଥର ରାଜ୍ୟରେ କଂଗ୍ରେସର ହାୱା ବହୁଛି ବୋଲି କୁହାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଦଳ ଦ୍ୱନ୍ଦ୍ୱରେ ଥିବା ଜଣାପଡ଼ୁଛି। ଦଳର ବରିଷ୍ଠ ନେତା ସିଦ୍ଧରମେୟାଙ୍କ ମନ୍ତବ୍ୟରେ କିଛି ଏଭଳି ଆଭାସ ମିଳିଛି।
ସିଦ୍ଧରମେୟା କହିଛନ୍ତି ଯେ ମୋର ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା ଅଛି। ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାରଙ୍କର ବି ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା ଅଛି। ତାଙ୍କର ଇଚ୍ଛା ଥିଲେ ମୋର କିଛି ଅସୁବିଧା ନାହିଁ ବୋଲି ସିଦ୍ଧ ରମେୟା କହିଛନ୍ତି।
ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତ୍କାର ଦେଇ ସିଦ୍ଧରମେୟା କହିଛନ୍ତି “୧୦୦ ପର୍ସେଣ୍ଟ ମୁଁ ମୁଖ୍ୟମନ୍ତ୍ରୀ ଆଶାୟୀ ପ୍ରାର୍ଥୀ। ବର୍ତ୍ତମାନର ସ୍ଥିତି ହେଲା ମୁଁ ଆଉ ଡି.କେ ଶିବକୁମାର ଦୁହେଁ ମୁଖ୍ୟମନ୍ତ୍ରୀ ଆଶାୟୀ ପ୍ରାର୍ଥୀ ଅଛୁ। ଜି. ପରମେଶ୍ୱରଙ୍କ କଥା ମୁଁ ଜାଣିନି। ହେଲେ ଅତୀତରେ ସେ ବି ଏଥିପ୍ରତି ଆଶାୟୀ ଥିଲେ। ଏଥିରେ ଭୁଲ୍ କିଛି ନାହିଁ।” ମୁଖ୍ୟମନ୍ତ୍ରୀ ହେବାକୁ ଏକାଧିକ ନେତା ଇଚ୍ଛା ପ୍ରକାଶ କରିବାରେ ଭୁଲ୍ କିଛି ନାହିଁ ବୋଲି ସିଦ୍ଧରମେୟା କହିଛନ୍ତି।
ସିଦ୍ଧରମେୟା ମହିଶୂରର ବରୁଣ ଆସନରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛି କଂଗ୍ରେସ। ତେବେ ଏହା ତାଙ୍କର ଶେଷ ନିର୍ବାଚନ ବୋଲି ସିଦ୍ଧରମେୟା ଘୋଷଣା କରିସାରିଛନ୍ତି। ଏଥର ରାଜ୍ୟରେ ବିଜେପି-କଂଗ୍ରେସ ଭିତରେ କଡ଼ା ଟକ୍କର ହେବାକୁ ଥିବା ବେଳେ ଜେଡିଏସ୍ ମୁଖ୍ୟ ଭୂମିକ ନିଭାଇପାରେ।
ଅନ୍ୟପଟେ ଶିବକୁମାରଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ସେ କହିଥିଲେ ଯେ କଂଗ୍ରେସରେ ସମସ୍ତେ ଏକ୍ ଅଛନ୍ତି। ସେ ମୁଖ୍ୟମନ୍ତ୍ରୀ ହେବା ପାଇ ଆଶା ରଖିବା ଭୁଲ୍ ନୁହେଁ। ନିର୍ବାଚିତ ବିଧାୟକ ଓ ହାଇକମାଣ୍ଡ ହିଁ ସେମାନଙ୍କର ନେତା ବାଛିବେ ବୋଲି ସିଦ୍ଧରମେୟା କହିଛନ୍ତି। ତେବେ ଏହା ତାଙ୍କର ଶେଷ ନିର୍ବାଚନ ହେବ ବୋଲି ସିଦ୍ଧରମେୟା କହିଛନ୍ତି।
ଅନ୍ୟପଟେ ଶିବକୁମାର ଭୋକାଲିଗା ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ହାତରେ ଭୋକାଲିଗା ସମ୍ପ୍ରଦାୟର ଭୋଟ ରହିଛି। ସେ ବି ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତେଣୁ ନିର୍ବାଚନ ଜିତିବା ପରେ ଦଳରେ କ୍ଷମତା ହାତେଇବା ପାଇଁ ଲଢ଼େଇ ଆରମ୍ଭ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ଆଉ ଯଦି ଲଢ଼େଇ ହେଲା ଗତଥର ଭଳି ଏଥର ବି ବିଜେପି ବାଜି ମାରିପାରେ। ଗତଥର ୨୦୧୮ରେ କଂଗ୍ରେସ ଓ ଜେଡିଏସର ମେଣ୍ଟ ସରକାର ଭାଙ୍ଗିବା ପରେ ବିଜେପି ସରକାର ଗଠନ କରିଥିଲେ। ଅନ୍ୟପଟେ ବିଜେପି ରାଜ୍ୟରେ ପୁଣିଥରେ ସରକାର ଗଠନ କରିବ ବୋଲି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି।