୨୦୨୨ ରେ ଦେଶକୁ ୧୦୦ ବିଲିୟନ ଡଲାର ପଠାଇଛନ୍ତି ପ୍ରବାସୀ ଭାରତୀୟ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Published By : Prameya-News7 Bureau | January 10, 2023 IST

ନୂଆଦିଲ୍ଲୀ, ୧୦/୦୧: ଗତବର୍ଷ ଦେଶକୁ ଅଧିକ ଅର୍ଥ ପଠାଇଛନ୍ତି ପ୍ରବାସୀ ଭାରତୀୟ। ୨୦୨୨ ରେ ପ୍ରବାସୀଙ୍କ ଦ୍ବାରା ଦେଶକୁ ପଠାଯାଇଥିବା ଅର୍ଥରେ ବୃଦ୍ଧି ହୋଇଛି। ୨୦୨୧ ତୁଳନାରେ ୨୦୨୨ ରେ ଏହି ଅର୍ଥ ୧୨ ପ୍ରତିଶତ ବଢ଼ି ପ୍ରାୟ ୧୦୦ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇନ୍ଦୋରରେ ‘ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ’ ରେ ଉଦବୋଧନ ଦେଇ ଏନେଇ କହିଛନ୍ତି ।

ଅର୍ଥମନ୍ତ୍ରୀ ଦେଶର ବିକାଶରେ ପ୍ରବାସୀ ଭାରତୀୟଙ୍କ ଯୋଗଦାନ ବିଷୟରେ କହିଛନ୍ତି। ସେ କହିଛନ୍ତି କୋଭିଡ ମହାମାରୀ ଆରମ୍ଭ ହେବା ପରେ ୨୦୨୨ ରେ ପ୍ରବାସୀ ଭାରତୀୟ ବିଦେଶରୁ ଦେଶକୁ ପ୍ରାୟ ୧୦୦ ବିଲିୟନ ଡଲାର ପଠାଇଛନ୍ତି ଯାହା ୨୦୨୧ ତୁଳନାରେ ୧୨ ପ୍ରତିଶତ ଅଧିକ।

ଅର୍ଥମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କ ‘ଭାରତର ପ୍ରକୃତ ରାଜଦୂତ’ ବୋଲି କହିଛନ୍ତି। ଏହାସହ ଅପିଲ୍ କରିଛନ୍ତି ଯେ, ପ୍ରବାସୀ ଭାରତରେ ନିର୍ମିତ ଉତ୍ପାଦ ଏବଂ ସେବାର ବ୍ୟବହାର କରନ୍ତୁ ଫଳରେ ଦେଶର ବିଭିନ୍ନ ବ୍ରାଣ୍ଡ୍‌ର ଦୁନିଆରେ ପ୍ରଚାର ହୋଇପାରିବ। ସୀତାରମଣ ଏହା ମଧ୍ୟ କହିଛନ୍ତି ଯେ ‘ଚୀନ ପ୍ଲସ ଓ୍ବାନ୍‌’ ନୀତି ପରେ ଦୁନିଆ ଏବେ ’ୟୁରୋପୀୟ ସଂଘ ପ୍ଲସ ଓ୍ବାନ୍‌’ ନୀତି ଉପରେ ଚର୍ଚ୍ଚା କରୁଛି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ବହୁରାଷ୍ଟ୍ରୀୟ କମ୍ପାନୀଙ୍କୁ ଭାରତରେ କାରଖାନା ଲଗାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।  ସେ ସୂଚନା ପ୍ରଯୁକ୍ତିବିଦ୍ୟା, ଡିଜିଟାଲ ଟେକ୍ନୋଲୋଜୀ, ଅଟୋମୋବାଇଲ୍, ସେମିକଣ୍ଡକ୍ଟର ଡିଜାଇନ୍‌, ଔଷଧ ନିର୍ମାଣ ଏବଂ ଅନ୍ୟ କ୍ଷେତ୍ରରେ ଭାରତୀୟ ଅଭିଜ୍ଞତାର ଉଦାହରଣ ଦେଇ କହିଛନ୍ତି, ଦେଶ ଜ୍ଞାନ ଏବଂ ପ୍ରଗତିକୁ ନେଇ ବିଶ୍ବ ସ୍ତରରେ ଉଭା ହୋଇଛି।

ସେ ଆହୁରି କହିଛନ୍ତି ଆଜାଦୀ କା ଅମୃତ କାଳରେ ଆକାଂକ୍ଷାରେ ଭରା ଭାରତ ୪ ଆଇ(4I) ଉପରେ ଗୁରୁତ୍ବ ଦେଉଛି। ଯେଉଁଥିରେ ଇନଫ୍ରାଷ୍ଟ୍ରକଚର(ମୌଳିକ ଭିତ୍ତିଭୂମି), ଇନଭେଷ୍ଟମେଣ୍ଟ(ନିବେଶ), ଇନୋଭେସନ ଏବଂ ଇନକ୍ଲୁଜନ ସାମିଲ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.