ଚାଷୀଙ୍କ ୮ ଡିସେମ୍ବର ‘ଭାରତ ବନ୍ଦ’ ଆହ୍ୱାନକୁ ୧୦ ଟ୍ରେଡ୍ ୟୁନିୟନଙ୍କ ସମର୍ଥନ, ହେବ ଚକ୍କା ଜାମ୍
5/12/2020 at 10:08 PM

ନୂଆଦିଲ୍ଲୀ ୫।୧୨: ମିଳିତ କିସାନ ମଞ୍ଚ ଚାଷୀ ଆନ୍ଦୋଳନ ପ୍ରଥମରୁ ଅଣ ରାଜନୈତିକ ଆନ୍ଦୋଳନ କହିଆସୁଛି। ତେବେ ଏହି ଆନ୍ଦୋଳନକୁ ବିଭିନ୍ନ ବିରୋଧୀ ଦଳ ଓ ଟ୍ରେଡ ୟୁନିୟନଙ୍କ ଭରପୁର ସମର୍ଥନ ମିଳିବାରେ ଲାଗିଛି। କଳା ଆଇନ ପ୍ରତ୍ୟାହାର ଲାଗି ସରକାରଙ୍କୁ ବାଧ୍ୟ କରିବା ଲାଗି ଚାଷୀମାନେ ୮ ଡିସେମ୍ବର ମଙ୍ଗଳବାର ଭାରତ ବନ୍ଦ ଆହ୍ୱାନ ଦେଇଛନ୍ତି। ଚାଷୀଙ୍କ ଆହ୍ୱାନଙ୍କୁ ଦେଶର ପ୍ରମୁଖ ୧୦ ଟ୍ରେଡ ୟୁନିୟନ ନିଜର ସମର୍ଥନ ଜଣାଇଛନ୍ତି।
ଏହି ଟ୍ରେଡ ୟୁନିୟନଙ୍କ ମିଳିତ ମଞ୍ଚ ଗତ ନଭେମ୍ବର ୨୬ ତାରିଖରେ ସଂଶୋଧିତ କୃଷି ଆଇନ ସମେତ ସଂଶୋଧିତ ଶ୍ରମ ସଂହିତା ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଆହ୍ୱାନ ଦେଇଥିଲା। ଏହି ସବୁ ଶ୍ରମ ସଙ୍ଗଠନରେ ଇଣ୍ଡିୟାନ ନ୍ୟାସନାଲ ଟ୍ରେଡ ୟୁନିୟନ କଂଗ୍ରେସ୍ (ଆଇଏନଟିୟୁସି),ଅଲ ଇଣ୍ଡିଆ ଟ୍ରେଡ ୟୁନିୟନ କଂଗ୍ରେସ (ଏଟିସି),ହୀନ୍ଦ ମଜଦୂର ସଭା (ଏଚଏମଏସ୍), ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ ୟୁନିୟନସ (ସିଆଟିୟୁ), ଏଆଇଟିୟୁସି ଆଦି ୧୦ଟି ସଙ୍ଗଠନ ଅଛନ୍ତି।
ଏହି ସବୁ ସଙ୍ଗଠନମାନେ ଶନିବାର ଦିଲ୍ଲୀରେ ଏକ ମିଳିତ ବିବୃତ୍ତି ଜାରି କରିଛନ୍ତି। ଯେଉଁଥିରେ ସେମାନେ ଓ ସେମାନଙ୍କ ରାଜ୍ୟ ୟୁନିଟି ମାନେ କେନ୍ଦ୍ର ସରକାରଙ୍କ ସଂଶୋଧିତ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିବା କହିଛନ୍ତି। ଏହି ସମର୍ଥନ ଅନୁସାରେ ସଙ୍ଗଠନମାନେ ମିଳିତ ଚାଷୀ ସଂଗ୍ରାମ ସମିତିଙ୍କ ୮ ଡିସେମ୍ବର ଭାରତ ବନ୍ଦ ଆହ୍ୱାନକୁ ମଧ୍ୟ ସମର୍ଥନ କରୁଥିବା ଜଣାଇଛନ୍ତି। ସେହିପରି ଆଇନ ବିରୋଧରେ ଦେସବ୍ୟାପୀ ସଂଘର୍ଷ ଲାଗି ଚାଷୀଙ୍କ ସଂକଳ୍ପକୁ ମଧ୍ୟ ସଙ୍ଗଠନମାନେ ସ୍ୱାଗତ କରିଛନ୍ତି।