ଲୋକସଭା ନିର୍ବାଚନ ପରେ ଏହି ସବୁ ରାଜ୍ୟରେ ରାଜ୍ୟସଭାର ୧୦ ସିଟ୍ ହେଲା ଖାଲି

Published By : Prameya-News7 Bureau | June 11, 2024 IST

ନୂଆଦିଲ୍ଲୀ ୧୧।୬: ଲୋକସଭା ନିର୍ବାଚନ ସମାପ୍ତ ହେବା ପରେ ଏନଡିଏ ସରକାରଙ୍କ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି। ଏହା ସହ ରାଜ୍ୟସଭାର ୧୦ ଆସନ ଖାଲି ହୋଇଯାଇଛି। ଏହି ଆସନଗୁଡିକ ରାଜ୍ୟସଭା ସଦସ୍ୟ ଲୋକସଭା ନିର୍ବାଚନରେ ଅଂଶଗ୍ରହଣ କରିବା ଯୋଗୁ ଖାଲି ହୋଇଛି। ଏବେ ଏହି ରିକ୍ତ ସ୍ଥାନଗୁଡିକର ପୂରଣ ନିମନ୍ତେ ରାଜ୍ୟସଭା ସଚିବାଳୟ ଅଧିସୂଚିତ କରିଛନ୍ତି। ଏଥିରେ ଆସାମ, ବିହାର ଓ ମହାରାଷ୍ଟ୍ରରେ ୨ଟି ଲେଖାଏଁ ଆସନ ଖାଲି ହୋଇଥିବା ବେଳେ ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତ୍ରିପୁରାରେ ଗୋଟିଏ ଲେଖାଏଁ ଆସନ ଖାଲି ହୋଇଛି। 

ଆସାମରେ ବିଜେପିର ରାଜ୍ୟସଭା ସଦସ୍ୟ କାମାକ୍ଷା ପ୍ରସାଦ ତାସା କାଜିରଙ୍ଗା ଲୋକସଭା ଆସନରେ ପୂର୍ବତନ କଂଗ୍ରେସ ବିଧାୟକ ରୋଜଲିନ ତିର୍କୀଙ୍କୁ ହରାଇଛନ୍ତି। ଏହା ଛଡା ବିଜେପି ରାଜ୍ୟସଭା ସାଂସଦ ସର୍ବାନନ୍ଦ ସୋନୱାଲ ମଧ୍ୟ ଲୋକସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ସୋନୱାଲଙ୍କୁ କେନ୍ଦ୍ରମନ୍ତ୍ରୀମଣ୍ଡଳରେ ତୃତୀୟବାର ସ୍ଥାନ ମିଳିଛି। ସେ ମଙ୍ଗଳବାର ତାଙ୍କ ମନ୍ତ୍ରାଳୟ ଦାୟିତ୍ୱ ମଧ୍ୟ ଗ୍ରହଣ କରିଛନ୍ତି। କାମାକ୍ଷା ପ୍ରସାଦ ତାସା ଓ ସର୍ବାନନ୍ଦ ସୋନୱାଲ ରାଜ୍ୟସଭାରୁ ଇସ୍ତଫା ଦେବା ଯୋଗୁ ଆସାମର ଦୁଇଟି ରାଜ୍ୟସଭା ଆସନ ଖାଲି ହୋଇଛି। 

ବିହାରରେ ମଧ୍ୟ ରାଜ୍ୟସଭାର ୨ଟି ଆସନ ଖାଲି ହୋଇଛି। ଏଠାରେ ଆରଜେଡି ନେତା ତଥା ପାର୍ଟି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ଝିଅ ମିସା ଭାରତୀ ପାଟଳିପୁତ୍ର ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନ ଲଢିବା ପାଇଁ ମିସା ଭାରତୀ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ସେହିପରି ଦ୍ୱିତୀୟ ଆସନଟି ବିଜେପି ସାଂସଦ ବିବେକ ଠାକୁର ଲୋକସଭା ନିର୍ବାଚନ ଜିତିବା ପରେ ଖାଲି ହୋଇଛି। ହରିୟାଣାରେ କଂଗ୍ରେସ ସାଂସଦ ଦୀପେନ୍ଦ୍ର ସିଂହ ହୁଡ୍ଡା ଲୋକସଭା ନିର୍ବାଚନ ଜିତିବା ପରେ ତାଙ୍କ ରାଜ୍ୟସଭା ଆସନ ଖାଲି ହୋଇଛି। 

ମଧ୍ୟପ୍ରଦେଶରେ ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଲୋକସଭା ନିର୍ବାଚନରେ ବିଜୟୀ ହେବାରୁ ତାଙ୍କ ରାଜ୍ୟସଭା ଆସନଟି ଖାଲି ହୋଇଛି। ମହାରାଷ୍ଟ୍ରରେ ବିଜେପିର ଦୁଇ ସାଂସଦ ଲୋକସଭା ନିମନ୍ତେ ନିର୍ବାଚିତ ହେବା ଯୋଗୁ ସେମାନଙ୍କ ରାଜ୍ୟସଭା ଆସନଗୁଡିକ ଖାଲି ହୋଇଛି। ଏଠାରେ ବିଜେପିର ଉଦୟନ ରାଜେ ଭୋସଲେ ସତାରାରୁ ଓ ପିୟୁଷ ଗୋୟଲ ଉତ୍ତର ମୁମ୍ବାଇରୁ ଲୋକସଭା ନିର୍ବାଚନ ଜିତିଛନ୍ତି। ସେହିପରି କେ.ସି.ବେଣୁଗୋପାଲ ଲୋକସଭା ନିର୍ବାଚନ ଜିତିବା ପରେ ତାଙ୍କ ରାଜସ୍ଥାନ ରାଜ୍ୟସଭା ଆସନଟି ଖାଲି ହୋଇଛି। ବେଣୁ ଗୋପାଲ କେରଳର ଆଲ୍ଲାପୁଝା ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି। ବିଜେପି ସାଂସଦ ବିପ୍ଲବ କୁମାର ଦେବ ଲୋକସଭା ନିର୍ବାଚନ ଜିତିବା ପରେ ତାଙ୍କ ତ୍ରିପୁରା ରାଜ୍ୟସଭା ଆସନଟି ଖାଲି ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.