ନୂଆଦିଲ୍ଲୀ : ଅଗଷ୍ଟ ମାସରେ ମୋଟ ସେବା ଓ ସାମଗ୍ରୀ କର (ଜିଏସଟି) ସଂଗ୍ରହ ୧୦ ପ୍ରତିଶତ ବଢି ୧.୭୫ ଲକ୍ଷ କୋଟି ଟଙ୍କାକୁ ପହଞ୍ଚିଛି। ରବିବାର ଜାରି ସରକାରୀ ତଥ୍ୟରେ ଏହି ସୂଚନା ଦିଆଯାଇଛି। ଗତବର୍ଷ ଅଗଷ୍ଟ ମାସରେ ଜିଏସଟି ରାଜସ୍ୱ ସଂଗ୍ରହ ୧.୫୯ ଲକ୍ଷ କୋଟି ଟଙ୍କା ଥିଲା। ତେବେ ଗତ ଜୁଲାଇ ମାସରେ ଏହି କର ସଂଗ୍ରହ ୧.୮୨ ଲକ୍ଷ କୋଟି ଟଙ୍କାକୁ ପହଞ୍ଚିଥିଲା। ଅଗଷ୍ଟ ୨୦୨୪ରେ ଘରୋଇ ରାଜସ୍ୱ ସଂଗ୍ରହ ୯.୨ ପ୍ରତିଶତ ବଢି ପାଖାପାଖି ୧.୨୫ ଲକ୍ଷ କୋଟି ଟଙ୍କା ହୋଇଯାଇଛି।
ସାମଗ୍ରୀ ଆମଦାନୀରେ ମୋଟ ଜିଏସଟି ୧୨.୧ ପ୍ରତିଶତ ବଢି ୪୯,୯୭୬ କୋଟି ଟଙ୍କା ହୋଇଯାଇଛି। ସମୀକ୍ଷାଧୀନ ମାସରେ ୨୪,୪୬୦ କୋଟି ଟଙ୍କା ରିଫଣ୍ଡ ଜାରି କରାଯାଇଛି, ଯାହା ବାର୍ଷିକ ଆଧାରରେ ୩୮ ପ୍ରତିଶତ ଅଧିକ। ରିଫଣ୍ଡ ଆଡଜଷ୍ଟ ବାଦେ ନିଟ୍ ଜିଏସଟି ରାଜସ୍ୱ ଆଲୋଚ୍ୟ ମାସରେ ୬.୫ ପ୍ରତିଶତ ବଢି ୧.୫ ଲକ୍ଷ କୋଟି ଟଙ୍କା ହୋଇଛି।
ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସହିତ ଅଗଷ୍ଟ ୨୦୨୪ ସୁଦ୍ଧା ହୋଇଥିବା ସେଟେଲର ତଥ୍ୟ ଦେଖା ଗଲେ ରାଜ୍ୟମାନଙ୍କର ମୋଟ ଏସଜିଏସଟିରେ ବୃଦ୍ଧି ଦେଖାଯାଇଛି। ଏହା ଅଗଷ୍ଟ ୨୦୨୩ରେ ୧୯୪,୯୪୯ କୋଟି ଟଙ୍କା ବଢି ଅଗଷ୍ଟ ୨୦୨୪ରେ ୨୧୩,୨୧୯ କୋଟି ଟଙ୍କା ହୋଇଯାଇଛି। ଏହି ପ୍ରି ସେଟଲମେଣ୍ଟ ଏସଜିଏସଟି ବାର୍ଷିକ ଆଧାରରେ ୯ ପ୍ରତିଶତ ହାରରେ ବୃଦ୍ଧି ହୋଇଛି। ତେବେ ପୋଷ୍ଟ ସେଟେଲମେଟ୍ ଏସଜିଏସଟି ୫୭,୫୪୨ କୋଟି ଟଙ୍କାରୁ ବଢି ୩୯୫,୮୬୭ କୋଟି ଟଙ୍କାକୁ ପହଞ୍ଚିଛି। ଏହିଭଳି ଏଥିରେ ବାର୍ଷିକ ଆଧାରରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି।