ପଣ୍ଡ ହେଲା ମାଓ ଯୋଜନା, ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର

Published By : Prameya-News7 Bureau | August 18, 2023 IST

ରାଉରକେଲା ୧୮/୦୮: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଥମୁନି ନକ୍ସଲ ହିଂସା । କୋଇଡା ଥାନା ଟୋପାଡିହିରେ ନକ୍ସଲଙ୍କ ବଡଧରଣ ହିଂସାକାଣ୍ଡ ଯୋଜନା ପଣ୍ଡ । ଟୋପାଡିହି ରେଳଷ୍ଟେସନ ରେଳଧାରଣା ପାର୍ଶ୍ୱରୁ ଡିଭିଏଫ୍ ଯବାନମାନେ ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ ଜବତ କରିଛନ୍ତି । ସ୍ଥାନୀୟ ପୋଲିସ ଓ ଡିଭିଏଫ୍ ଯବାନ ମିଳିତ ସର୍ଚ୍ଚ ଅପରେସନ୍ ବେଳେ ଲ୍ୟାଣ୍ଡମାଇନ୍‌ ଠାବ କରିଥିଲେ ।

ବୋମା ନିଷ୍କ୍ରିୟ ଟିମ୍ ନିକଟସ୍ଥ ଜଙ୍ଗଲରେ ଜବତ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଦେଇଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜୋରଦାର କରାଯାଇଛି । ଗୁଇନ୍ଦା ସୂଚନା ଆଧାରରେ ରେଳବାଇ ପକ୍ଷରୁ ଟୋପାଡିହି ଷ୍ଟେସନମାଷ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ସତର୍କ କରି ଦିଆଯାଇଛି । ସିଆର୍‌ପିଏଫ୍ ଓ ଆର୍‌ପିଏଫ୍ ଯବାନଙ୍କୁ ଘଟଣାସ୍ଥଳରେ ମୁତୟନ କରାଯାଇଛି । ଝାଡ଼ଖଣ୍ଡ ପରେ ଓଡ଼ିଶା ପାର୍ଶ୍ୱରେ ନକ୍ସଲମାନଙ୍କ ହିଂସାକାଣ୍ଡ ଯୋଜନା । ଦୁର୍ଦ୍ଦାନ୍ତ ନକ୍ସଲ ନେତା ମିସ୍ରି ବେସ୍ରା କୋହ୍ଳାଣ, ସରଣ୍ଡା ପରେ ଓଡ଼ିଶା ପାର୍ଶ୍ୱରେ ନିଜର ଉପସ୍ଥିତି ଜାହିର କରିବାକୁ ପ୍ରୟାସ ଆରମ୍ଭ କରିଛି ।

ସୂଚନାଥାଉକି, ଗତ ସପ୍ତାହ ମଧ୍ୟରେ ନକ୍ସଲମାନଙ୍କ ଗୁଳିରେ ୩ ଯବାନ ସହିଦ ହୋଇଛନ୍ତି । ସହିଦମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶା ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ । ଅନ୍ୟ ଦୁଇଜଣ ବିହାର ଓ ଝାଡ଼ଖଣ୍ଡର । କେବଳ ଏତିକି ନୁହେଁ ଝାଡ଼ଖଣ୍ଡ ପାର୍ଶ୍ୱ ଜଙ୍ଗଲରୁ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ ହୋଇଛି । ଯବାନମାନେ ୧୧ରୁ ଅଧିକ ନକ୍ସଲ ବଙ୍ଗର ଧ୍ୱଂସ କରିଛନ୍ତି । ଭଉୟ ଝାଡ଼ଖଣ୍ଡ ଓ ଓଡ଼ିଶା ପୁଲିସ ମୋଷ୍ଟୱାଣ୍ଟେଡ୍ ତାଲିକାରେ ଥିବା ଦୁର୍ଦ୍ଦାନ୍ତ ନକ୍ସଲ ମିସ୍ରି ବେସ୍ରାକୁ ଧରିବାକୁ ସିଆର୍ପିଏଫ୍, ଝାଡ଼ଖଣ୍ଡ ଜାଗୁଆର ପୁଲିସ, ଡିଭିଏଫ୍ ଓ ସ୍ଥାନୀୟ ପୁଲିସ ପକ୍ଷରୁ ମିଳିତ ଭାବେ ଉଭୟ ପାର୍ଶ୍ବ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.