ମୋଦୀ ସରକାରଙ୍କୁ ଆଶ୍ଵସ୍ତି: କୃଷି ଆଇନ ସମର୍ଥନରେ ଆଗକୁ ଆସିଲେ ୧୦ କୃଷକ ସଂଗଠନ, କୃଷି ମନ୍ତ୍ରୀଙ୍କୁ ଭେଟିଲେ, କହିଲେ- ଆଇନ ପ୍ରତ୍ୟାହାର କରନ୍ତୁ ନାହିଁ

Published By : Prameya-News7 Bureau | December 14, 2020 IST

ନୂଆଦିଲ୍ଲୀ ୧୪।୧୨: କେନ୍ଦ୍ରର ତିନି ନୂତନ କୃଷି ଆଇନ୍‌ ବିରୋଧରେ କୃଷକଙ୍କ ଆନ୍ଦୋଳନ ସୋମବାର ୧୯ତମ ଦିନରେ ପହଞ୍ଚିଛି। ଏହା ମଧ୍ୟରେ ବିଭିନ୍ନ ରାଜ୍ୟର ୧୦ କୃଷକ ସଂଗଠନ କୃଷି ଆଇନ୍‌କୁ କିଷାନ  ହିତୈଷୀ ଦର୍ଶାଇଛନ୍ତି। ଏହି ସଂଗଠନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟି ନିଜର ସମର୍ଥନ ପତ୍ର ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ହରିୟାଣା ଓ ଉତ୍ତରାଖଣ୍ଡର କୃଷକଙ୍କ ପ୍ରତିନିଧିମଣ୍ଡଳ ମଧ୍ୟ କୃଷି ମନ୍ତ୍ରୀଙ୍କୁ  ଭେଟି ସାରିଛନ୍ତି। ରବିବାର ଉତ୍ତରାଖଣ୍ଡର ୧୦୦ରୁ ଅଧିକ କୃଷକଙ୍କ ପ୍ରତିନିଧି ମଣ୍ଡଳ ତୋମାରଙ୍କୁ ସାକ୍ଷାତ କରି ଏହି ଆଇନ୍‌କୁ ପ୍ରତ୍ୟାହାର ନକରିବାକୁ ଅନୁରୋଧ କରିଛନ୍ତି। ଅନ୍ୟପଟେ ଆନ୍ଦୋଳନରତ କୃଷକ ଆଇନ୍ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି।

ଉତ୍ତର ପ୍ରଦେଶ, କେରଳ, ତାମିଲନାଡୁ, ତେଲେଙ୍ଗାନା, ବିହାର ଓ ହରିୟାଣା ପରି ରାଜ୍ୟଗୁଡିକର ୧୦ କୃଷକ ସଂଗଠନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ସାକ୍ଷାତ କରିଛନ୍ତି। ଅଲ ଇଣ୍ଡିଆ କିଷାନ କୋର୍ଡିନେସନ କମିଟି(ଏଆଇକେସିସି)ର ବ୍ୟାନର ତଳେ ଏହି କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ଏହି ତିନି କୃଷି ଆଇନ୍‌କୁ ଖୋଲାଖୋଲି ସମର୍ଥନ ଦେଇଛନ୍ତି। ସଂଗଠନ କହିଛି ତିନି ଆଇନ୍ କୃଷକଙ୍କ ହିତରେ ରହିଛି ଏବଂ ଏହାକୁ ପ୍ରତ୍ୟାହାର କରାଯିବା ଉଚିତ୍ ନୁହେଁ।

{"id":377434,"sizeSlug":"large","linkDestination":"none"}

ବୈଠକ ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ତାମିଲନାଡୁ, ତେଲେଙ୍ଗାନା, ମହାରାଷ୍ଟ୍ର, ବିହାରରୁ ଅଲ ଇଣ୍ଡିଆ କିଷାନ କୋର୍ଡିନେସନ କମିଟି(ଏଆଇକେସିସି)ର ସଦସ୍ୟ ଆସିଥିଲେ। ସେମାନେ କହିଛନ୍ତି ମୋଦୀ ସରକାର କୃଷକଙ୍କ କଲ୍ୟାଣ ପାଇଁ ଏହି ଆଇନ କରିଛନ୍ତି ଏବଂ ଏହାକୁ ଆମେ ସଂପୂର୍ଣ୍ଣ ସମର୍ଥନ କରୁଛୁ।

କୃଷି ମନ୍ତ୍ରୀ ତୋମାର କହିଛନ୍ତି, କୃଷକଙ୍କ ସହିତ ଆଲୋଚନା ପାଇଁ ପରବର୍ତ୍ତୀ ତାରିଖ ସ୍ଥିର କରିବା ପାଇଁ ଯୋଗାଯୋଗ କରାଯାଉଛି। ଆନ୍ଦୋଳନରତ କୃଷକଙ୍କ ସହିତ  ବୈଠକ ନିଶ୍ଚିତ ରୂପେ ହେବ। ଆମେ ସେମାନଙ୍କ ସହ ଯୋଗାଯୋଗରେ ଅଛୁ। ସରକାର କୌଣସି ପ୍ରକାରର ଆଲୋଚନା ପାଇଁ ପ୍ରସ୍ତୁତ। ଆମେ କୃଷକ ଏବଂ କୃଷକଙ୍କ ନେତାଙ୍କୁ ମନାଇବାକୁ ଚେଷ୍ଟା କରିବୁ। ଆମେ ଚାହୁଁଛୁ ସେମାନେ ପ୍ରତିଟି ଖଣ୍ଡ ପାଇଁ ଆଲୋଚନା କରନ୍ତୁ। ଯଦି ସେମାନେ ପ୍ରତିଟି ଖଣ୍ଡ ପାଇଁ ଆଲୋଚନା କରିବାକୁ ପ୍ରସ୍ତୁତ ତେବେ ଆମେ ବିଚାର ବିମର୍ଶ ପାଇଁ ପ୍ରସ୍ତୁତ ବୋଲି କୃଷି ମନ୍ତ୍ରୀ ତୋମାର କହିଛନ୍ତି।

ପ୍ରଦର୍ଶନକାରୀ କୃଷକଙ୍କ ୪୦ ସଂଗଠନର ପ୍ରତିନିଧିଙ୍କ ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଲୋଚନାର ନେତୃତ୍ଵ ନେଉଛନ୍ତି ତୋମାର। ତାଙ୍କ ସହ କେନ୍ଦ୍ର ବାଣିଜ୍ୟ ତଥା ଉଦ୍ୟୋଗ ଓ ଖାଦ୍ୟ ମନ୍ତ୍ରୀ ପିୟୂଷ ଗୋଏଲ ଏବଂ ବାଣିଜ୍ୟ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ ସାମିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.