ବିଧାନସଭା ନିର୍ବାଚନ ଜିତିବା ପରେ ୧୦ ବିଜେପି ସାଂସଦ ଦେଲେ ଇସ୍ତଫା, ବିଧାୟକ ହୋଇ ରହିବେ

Published By : Prameya-News7 Bureau | December 06, 2023 IST

ନୂଆଦିଲ୍ଲୀ: ଦେଶର ପାଞ୍ଚ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ବିଜେପିର ୧୦ ସାଂସଦ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ବୁଧବାର ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଇସ୍ତଫା ଦେଇଥିବା ସାଂସଦଙ୍କ ମଧ୍ୟରେ ଛତିଶଗଡ଼ର ଗୋମତୀ ସାଇ, ମଧ୍ୟ ପ୍ରଦେଶର ନରେନ୍ଦ୍ର ସିଂ ତୋମାର, ରାକେଶ ସିଂ, ପ୍ରହ୍ଲାଦ ପଟେଲ, ରୀତି ପାଠକ ଓ ଉଦୟ ପ୍ରତାପ ସିଂ ସାମିଲ ଅଛନ୍ତି । ଅନ୍ୟପଟେ ରାଜସ୍ଥାନରୁ ସାଂସଦ ଦୀୟା କୁମାରୀ, ରାଜ୍ୟବର୍ଦ୍ଧନ ରାଠୋର ମଧ୍ୟ ଇସ୍ତଫା ଦେଇଛନ୍ତି । ସେହିପରି କିରୋଡୀ ଲାଲ୍ ମିଣା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଇସ୍ତଫା ଦେଇଛନ୍ତି ।

ଇସ୍ତଫା ଦେଇଥିବା ୧୦ ସାଂସଦଙ୍କ ମଧ୍ୟରେ ମଧ୍ୟ ପ୍ରଦେଶରୁ ୫, ରାଜସ୍ଥାନରୁ ୩ ଓ ଛତିଶଗଡ଼ରୁ ୨ ଜଣ ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବିଜେପି ୨୧ ସାଂସଦଙ୍କୁ ବିଧାନସଭା ନିର୍ବାଚନ ଓହ୍ଲାଇଥିଲା । ଏଥିରୁ ୧୨ ଜଣ ବିଜୟୀ ହୋଇଥିବା ବେଳେ ୯ ଜଣ ପରାଜିତ ହୋଇଥିଲେ । ଏଥିରୁ ୧୦ ଜଣ ଆଜି ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେଇଛନ୍ତି, ଏହାପରେ ସମସ୍ତେ ବିଧାୟକ ହୋଇ ରହିବେ । ଅନ୍ୟପଟେ ନିର୍ବାଚନ ଜିତିଥିବା ଅନ୍ୟ ଦୁଇ ସାଂସଦ ବାବା ବାଳକନାଥ ଓ ରେଣୁକା ସିଂ ଆଜି ଇସ୍ତଫା ଦେବାକୁ ପହଞ୍ଚି ନାହାନ୍ତି । ଏହାକୁ ନେଇ ଅନୁମାନ କରାଯାଉଛି ଯେ ରାଜସ୍ଥାନରୁ ବାବା ବାଳକନାଥ ଓ ଛତିଶଗଡ଼ରୁ ରେଣୁକା ସିଂଙ୍କୁ ବିଜେପି ସାଂସଦ ଭାବେ ରଖିବାକୁ ଚାହୁଁଛି । ଦୁଇ ସାଂସଦଙ୍କ ନାଁ ରାଜସ୍ଥାନ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ଚର୍ଚ୍ଚା ହେଉଛି ।

wp:html /wp:html

ଇସ୍ତଫା ଦେଇଥିବା ଅନେକ ସାଂସଦ ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ହେବା ଦୌଡରେ ଅଛନ୍ତି । ପାର୍ଟି ଖୁବଶୀଘ୍ର ଏହି ତିନି ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି । କିଛି ମିଡିଆ ରିପୋର୍ଟ ଅନୁସାରେ ମଧ୍ୟ ପ୍ରଦେଶରେ ଶିବରାଜ ସିଂ ଚୌହାନଙ୍କ ପଞ୍ଚମ କାର୍ଯ୍ୟକାଳକୁ ଖାରଜ କରି ବିଜେପି ନୂଆ ଚେହେରା ଦେଇପାରେ । ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘରେ ପ୍ରାୟ ୫ ଘଣ୍ଟା ଯାଏ ବୈଠକ ହୋଇଥିଲା । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା ସାମିଲ ଥିଲେ ।

Also Read: ରାଜ୍ୟ ବିଜେପି ସଭାପତିଙ୍କୁ ଦିଲ୍ଲୀ ଡାକରା, ୨୦୨୪ ନିର୍ବାଚନ ପାଇଁ ବ୍ଲୁପ୍ରିଣ୍ଟ ଦେବେ ଜେ.ପି. ନଡ୍ଡା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.