ମୁମ୍ବାଇ ୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଆଶ୍ଚର୍ଯ୍ୟଜନକ ଫଳାଫଳ ଆସିଛି। ବିଜେପି ନେତୃତ୍ୱାଧୀନ ମହାଯୁତୀ ମେଣ୍ଟର ପ୍ରଚଣ୍ଡ ବିଜୟ ହୋଇଥିବା ବେଳେ ଏହି ନିର୍ବାଚନର ୧୦ ବଡ଼ ଚେହେରା ଯେଉଁମାନେ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପରାଜିତ ହୋଇଛନ୍ତି। ଏହି ହାରିଯାଇଥିବା ନେତାଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ, କଂଗ୍ରେସର ରାଜ୍ୟ ସଭାପତି ଓ ପୂର୍ବତନ ସିଏମଙ୍କ ପୁଅ ମଧ୍ୟ ସାମିଲ ଅଛନ୍ତି। ଏଥିରେ ନିକଟରେ ଦୁର୍ବୃତ୍ତଙ୍କ ଗୁଳିରେ ପ୍ରାଣ ହରାଇଥିବା ବାବା ସିଦ୍ଦିକୀଙ୍କ ପୁଅ ଜୀସାନ ସିଦ୍ଦିକୀଙ୍କୁ ସହାନୁଭୂତି ଭୋଟ ମଧ୍ୟ ମିଳି ନାହିଁ।
ଜୀସନ ସିଦ୍ଦିକୀ ବାନ୍ଦ୍ରେ ଇଷ୍ଟ ସିଟ୍ରେ ଶିବସେନା(ଉଦ୍ଧବ) ନେତା ବରୁଣ ସତୀଶ ସରଦେଶାୟୀଙ୍କଠାରୁ ହାରି ଯାଇଛନ୍ତି। ସେହିପରି ସ୍ୱରା ଭାସ୍କରଙ୍କ ସ୍ୱାମୀ ଫହାଦ ଅହମ୍ମଦ ମଧ୍ୟ ପରାଜିତ ହୋଇଛନ୍ତି। ଫହାଦ ଅହମ୍ମଦଙ୍କୁ ଏନସିପି (ଅଜିତ) ନେତ୍ରୀ ସନା ମଲ୍ଲିକ ହରାଇଛନ୍ତି। ସନା ନବାବ ମଲ୍ଲିକଙ୍କ ଝିଅ। ସନା ମଲ୍ଲିକ ଜିତିଯାଇଛନ୍ତି ହେଲେ ତାଙ୍କ ପିତା ନବାବ ଚତୁର୍ଥ ସ୍ଥାନରେ ରହିଛନ୍ତି। ନବାବ ମଲ୍ଲିକ ଶିବାଜୀ ମାନଖୁର୍ଦ୍ଦ ସିଟରେ ଅବୁ ଆଜମୀଙ୍କ ଠାରୁ ହାରି ଯାଇଛନ୍ତି।
ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳାଶ ରାଓ ଦେଶମୁଖଙ୍କ ପୁଅ ଧୀରଜ ଦେଶମୁଖ ମଧ୍ୟ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ଧୀରଜଙ୍କୁ ଲାଟୁର ଗ୍ରାମୀଣ ସିଟ୍ରେ ବିଜେପିର ରମେଶ କାଶୀରାମ କରାଡ ହରାଇଛନ୍ତି। ମାହିମ ସିଟ୍ରେ ରାଜ ଠାକରେଙ୍କ ପୁଅ ଅମିତ ଠାକରେ ହାରିଯାଇଛନ୍ତି। ଅମିତଙ୍କୁ ଶିବ ସେନା (ଉଦ୍ଧବ) ନେତା ମହେଶ ସାୱନ୍ତ ପରାସ୍ତ କରିଛନ୍ତି। ମୁମ୍ବାଦେବୀ ସିଟ୍ ରୁ ଶାଇନା ଏନସି ମଧ୍ୟ ନିର୍ବାଚନ ହାରିଛନ୍ତି। ଶାଇନା ଏନସିଙ୍କୁ କଂଗ୍ରେସର ଅମିନ ପଟେଲ ୩୫,୫୦୫ ଭୋଟରେ ପରାସ୍ତ କରିଛନ୍ତି।
ଶରଦ ପାୱାରଙ୍କ ନାତି ୟୁଗେନ୍ଦ୍ର ପାୱାର ବାରାମତୀରୁ ନିର୍ବାଚନ ହାରି ଯାଇଛନ୍ତି। ତାଙ୍କୁ ଦାଦା ଅଜିତ ପାୱାର ୧ଲକ୍ଷ ୮୯୯ ଭୋଟରେ ପରାସ୍ତ କରିଛନ୍ତି। ଏଠାରେ ୟୁଗେନ୍ଦ୍ରଙ୍କୁ ୮୦୨୩୩ଟି ଭୋଟ ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବସନ୍ତ ଦାଦା ପାଟିଲଙ୍କ ପାରିବାରିକ ସଦସ୍ୟ ଜୟଶ୍ରୀ ପାଟିଲ ସାଙ୍ଗଲୀରୁ ନିର୍ବାଚନ ହାରିଛନ୍ତି। ତାଙ୍କୁ ବିଜେପିର ସୁଧୀରଦାଦା ଗାଡଗିଲ ପରାସ୍ତ କରିଛନ୍ତି। ପରାଜିତ ପ୍ରାର୍ଥୀଙ୍କ ସୂଚୀରେ କଂଗ୍ରେସ ପ୍ରଦେଶ ସଭାପତି ନାନା ପଟୋଲେଙ୍କ ନାମ ମଧ୍ୟ ରହିଛି। ପଟୋଲେ ମାତ୍ର ୧,୬୦୭ଟି ଭୋଟରେ ବିଜେପିର ଅବିନାଶ ବ୍ରହ୍ମାନକରଙ୍କଠାରୁ ପରାସ୍ତ ହୋଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହାନ ମଧ୍ୟ କରାଡ ଦକ୍ଷିଣରୁ ନିର୍ବାଚନ ହାରିଯାଇଛନ୍ତି। ତାଙ୍କୁ ୩୯ହଜାର ୩୫୫ ଭୋଟରେ ବିଜେପିର ଅତୁଲବାବା ଭୋସଲେ ପରାସ୍ତ କରିଛନ୍ତି।