‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା, SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ସହ ଆଲୋଚନା ପରେ ଗାଁ ସଭାପତିଙ୍କ ସୂଚନା

Published By : Prameya-News7 Bureau | December 05, 2020 IST

ନୟାଗଡ ୫।୧୨: ପରୀ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା । ହତ୍ୟାକାରୀଙ୍କ ସୂଚନା ଦେଲେ ଲକ୍ଷେ ଟଙ୍କାର ପୁରସ୍କାର ମିଳିବ । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗ୍ରାମବାସୀଙ୍କ ସହ ବୈଠକ କରିବା ପରେ ଏହି ଅର୍ଥ ରାଶି ଘୋଷଣା କରିଛନ୍ତି । ଏ ନେଇ ଯଦୁପୁର ଗାଁ ସଭାପତି ଜୟକୃଷ୍ଣ ପରିଡା ସୂଚନା ଦେଇଛନ୍ତି ।

ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି ରାଜ୍ୟ ସରକାର । ବରିଷ୍ଠ ଆଇପିଏସ୍ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ଜଣିଆ ଟିମ୍ ଏହି ଘଟଣାର ତଦନ୍ତ କରୁଛନ୍ତି । ଟିମ୍‌ରେ କ୍ରାଇମବ୍ରାଞ୍ଜ ଏସପି ଆର. କେ ଦୋରା, ଅତିରିକ୍ତ ଏସପି ଆର.ସି ଥମ୍ବଙ୍କ ସହ କ୍ରାଇମବ୍ରାଞ୍ଜ ଇନ୍ସପେକ୍ଟର ନରେନ୍ଦ୍ର ବେହେରା, ମମତା ପଣ୍ଡା ସଦସ୍ୟ ଅଛନ୍ତି ।

ନୟାଗଡର ୬ବର୍ଷର ଶିଶୁ କନ୍ୟା ପରୀର ମୃତ୍ୟୁକୁ ନେଇ ଜୁଲାଇ ୧୭ରେ ଥାନାରେ ମାମଲା ରୁଜୁ କରିଥିଲା ପୋଲିସ । ଜୁଲାଇ ୨୩ରେ ଗଳିତ ଶବ ମିଳିଥିବା ପରେ ପୋଷ୍ଟମର୍ଟମ କରାଯାଇଥିଲା । ଶବ ନଷ୍ଟ ହୋଇଯାଇଥିବାରୁ ରିପୋର୍ଟରେ ମୃତ୍ୟୁର କାରଣ ଜଣାପଡିନଥିଲା ।  ତେବେ ୬ବର୍ଷ କୁନି ଝିଅକୁ  କିଏ ଓ କାହିଁକି ହତ୍ୟା କଲା ?  ଏଥିରେ ପ୍ରକୃତ ଦୋଷୀ କିଏ ?  କାହିଁକି ୪ମାସ ହେଲା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରିନି ? ଏସବୁ ପ୍ରଶ୍ନର ଉତ୍ତର ଏବେ ଖୋଜୁଛି ଏସଆଇଟି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.