ଯାଜପୁର ୧୬/୫: ଧର୍ମଶାଳା ତହସିଲ ଡଙ୍କାରି କଳାପଥର ଖାଦାନରେ ଅଘଟଣ । ପଥର ଖୋଳୁ ଖୋଳୁ ମାଟି ଅତଡା ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।ଏବେବି ୩ ଜଣଙ୍କ ପତ୍ତା ମିଳୁନଥିବାରୁ ସେମାନେ ପଥର ଚାପି ହୋଇରହିଥିବା ଆଶଙ୍କା କରାଯାଉଛି ।ଫସିଥିବା ୩ ଜଣ ଶ୍ରମିକଙ୍କ ଉଦ୍ଧାର ଉଦ୍ୟମ ଚାଲିଛି । ଉଦ୍ଧାର କାମରେ ଏନଡିଆରଏଫ, ଅଗ୍ନିଶମ ବିଭାଗର ଗୋଟିଏ ଲେଖାଏ ଟିମ୍ ସହ ୪ଟି ହାଇଡ୍ରୋ ମେସିନ ନିୟୋଜିତ କରାଯାଇଛି । ଧର୍ମଶାଳା ବିଜେପି ବିଧାୟିକା ପ୍ରାର୍ଥୀ ସ୍ମୃତିରେଖା ପହି ପହଞ୍ଚି ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରିବା ସହ ବେଆଇନ ଖାଦାନ ଚଳାଉଥିବା ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ମାଫିଆଙ୍କ ଭୟରେ ସ୍ଥାନୀୟ ଲୋକେ ଖାଦାନ ପାଖକୁ ଆସୁନାହାନ୍ତି । ମାଫିଆ ମାନେ ମୃତଦେହ ଉଠାଇ ନେବାକୁ ଉଦ୍ୟମ କରୁଥିବାବେଳେ କ୍ୟାମେରା ଭୟରେ କେମିତି ଦୌଡି ପଳାଉଛନ୍ତି ତାର ଭିଜୁଆଲ କଏଦ ହୋଇଛି । ବିଳମ୍ବିତ ରାତିରେ ବେଆଇନ ଭାବରେ ପଥର ଡ୍ରିଲ ହେଉଥିବାବେଳେ ମାଟି ଅତଡା ଧସି ପ୍ରାୟ ଶହେ ଟ୍ରିପ କଳାପଥର ଖସିପଡିଛି ।