ବାଇକ୍ରେ ୩୦ କିମି ପର୍ଯ୍ୟନ୍ତ ଆଖିବୁଜା ଗୁଳି ଚଳାଇଲେ ଦୁର୍ବୃତ୍ତ; ୧ ମୃତ ୧୦ ଆହତ
13/09/2022 at 9:41 PM

ପାଟନା: ଗୁଣ୍ଡା ମାଫିଆଙ୍କ ପାଇଁ ପୂର୍ବରୁ ବଦନାମ ଥିବା ବିହାର ଦିନକୁ ଦିନ ଆହୁରି ତଳକୁ ଖସିଯାଉଛି। ଆଜି ବେଗୁସରାଇରେ ପ୍ରାୟ ଘଣ୍ଟାଏ କାଳ ଜାତୀୟ ରାଜପଥରେ ୩୦ କିମି ପର୍ଯ୍ୟନ୍ତ ଗୁଳି ଚାଳନା କରିଛନ୍ତି ଅଜଣା ବାଇକ ଚାଳକ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି।
ଆଜି (ସେପ୍ଟେମ୍ବର୧୩) ବେଗୁସରାଇ ଜିଲ୍ଲା ବରୌନୀ ଛକରୁ ଗୁଳି ଚାଳନା ଆରମ୍ଭ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଦୁଇଟି ବାଇକ୍ରେ ୫ ଦୁର୍ବୃତ୍ତ ବସି ଥର୍ମାଲ ଛକରେ ୩ ଜଣଙ୍କୁ ଗୁଳି ମାରି ଥିଲେ। ଏହାପରେ ସେମାନେ ନ୍ୟାସ୍ନାଲ ହାଇୱେର ବିହଟ ଆଡ଼କୁ ଚାଲିଯାଇଥିଲେ।
ରାସ୍ତାରେ କିଛିବାଟ ଯିବା ପରେ ପୁଣି ମହ୍ଲିପୁର ଛକରେ ମଧ୍ୟ ଦୁଇ ଜଣଙ୍କୁ ଗୁଳି ମାରିଥିଲେ ଅପରାଧି। ତାପରେ ବରୌନୀର ରାଜରାସ୍ତା ଉପରେ ଆଉ ୨ ଜଣ ପରେ ଅଯୋଦ୍ଧ୍ୟା ଓ ଆଧାରପୁର ମଝିରେ ୨ ଜଣ, ଗୋଧନା ପାଖରେ ୨ ଜଣଙ୍କୁ ଗୁଳି ମାରିଥିଲେ। ବରୌନୀ ଥର୍ମଲରୁ ଗୋଧନା ପାଖାପାଖି ୩୦ କିମି ବାଇକ ଚଳାଇଲା ବେଳେ ରାସ୍ତାରେ ଯାହାକୁ ଦେଖିଲେ ଗୁଳିମାରିଥିଲେ ଅପରାଧି।
ଅପରାଧିକଙ୍କର ଏଭଳି ଆଖିବୁଜା ଗୁଳି ଚାଳନାରେ ବରୌନୀରେ ଚନ୍ଦନକୁମାରଙ୍କର ମୃତ୍ୟୁ ହୋଇଛି। ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ବିରୋଧୀ ବିହାର ସରକାରଙ୍କୁ ଟାର୍ଗେଟ୍ କରିଛି।