କେରଳ: ବିଷାକ୍ତ ଖାଦ୍ୟ ଖାଇ ୧ ମୃତ, ଶତାଧିକ ଅସୁସ୍ଥ, ଆକ୍ସନରେ ସରକାର, ୪୩ ହୋଟେଲ ବନ୍ଦ
4/01/2023 at 8:03 PM

ତିରୁଅନନ୍ତପୁରମ ୪।୧: ବିଷାକ୍ତ ଭୋଜନର ସନ୍ଦିଗ୍ଧ ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ବିଭାଗ ସାରା ରାଜ୍ୟରେ ଚଢଉ କରିଛି। ଏହି ଚଢଉରେ ୪୨୯ଟି ପ୍ରତିଷ୍ଠାନର ନିରୀକ୍ଷଣ କରାଯାଇଥିବା ବେଳେ ୪୩ ହୋଟେଲଙ୍କୁ ବନ୍ଦ କରାଯାଇଛି। କେରଳ କୋଟ୍ଟାୟମର ଏକ ହୋଟେଲରେ ଜନୈକ ଯୁବତୀ ଖାଦ୍ୟ ଖାଇବା ପରେ ତାଙ୍କର ଅଚାନକ ମୃତ୍ୟୁ ହୋଇଥିଲା। ଯୁବତୀଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ହୋଟେଲ ଓ ରେଷ୍ଟୁରାଣ୍ଟ ଉପରେ ଚଢଉ କରାଯାଇଥିବା ବେଳେ ଏଥିରୁ ୪୩ଟିକୁ ବନ୍ଦ କରାଯାଇଛି।
ବନ୍ଦ ହୋଇଥିବା ୪୩ ହୋଟେଲ ମଧ୍ୟରୁ ୨୧ଟିର ଖାଦ୍ୟ ବିକ୍ରି ଲାଇସେନ୍ସ ନଥିଲା। ସେହିପରି ୨୨ଟି ଅନୁଷ୍ଠାନ ସଫାସୁତରା ଅବହେଳା କରିଥିବାର ଦେଖାଯାଇଥିଲା। ଏଣୁ ଏହି ହୋଟେଲ ଗୁଡିକୁ କାରବାର କରିବାରୁ ନିବୃତ୍ତ କରାଯାଇଛି। ସେହିପରି ଖାଦ୍ୟ ସୁରକ୍ଷା ବିଭାଗ ୧୩୮ଟି ଅନୁଷ୍ଠାନକୁ ନୋଟିସ୍ ଜାରି କରିଥିବା ବେଳେ ୪୪ଟି ଖାଦ୍ୟ ପଦାର୍ଥର ନମୁନା ଯାଞ୍ଚ ଲାଗି ପଠାଯାଇଛି।

ବିଷାକ୍ତ ଭୋଜନ ଘଟଣା ସମ୍ପର୍କରେ ଅଭିଯୋଗ ମିଳିବା ପରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିଣା ଜର୍ଜ ମଙ୍ଗଳବାର ରାଜ୍ୟର ସମସ୍ତ ୧୪ଟି ଜିଲ୍ଲାରେ ବ୍ୟାପକ ନିରୀକ୍ଷଣ ଲାଗି ନିର୍ଦ୍ଦେଶ ଦେଇଥିବା ବେଳେ ବିନା ଲାଇସେନ୍ସ, ଭେଜାଲ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ପଦାର୍ଥ ବିକୁଥିବା ଦୋକାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ପଥନମଥିଟ୍ଟା ଓ କୋଟ୍ଟାୟମ ଜିଲ୍ଲାରେ ବିଷାକ୍ତ ଖାଦ୍ୟ ଭୋଜନର ଅଭିଯୋଗ ମିଳିଥିଲା। ପରେ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି।
ଏହି ଘଟଣା ୨୯ ଡିସେମ୍ବର ଗୁରୁବାର ହୋଇଥିଲା। କୋଟ୍ଟାୟମରେ ଅନୁଷ୍ଠିତ ବାପଟିଜିମ ସମାରୋହକୁ ଆସିଥିବା ଲୋକେ ବିଷାକ୍ତ ଭୋଜନ କରି ଅସୁସ୍ଥ ହୋଇପଡିଥିଲେ। ଏଥିରେ ଅସୁସ୍ଥ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ଲୋକଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସମାରୋହକୁ ଖାଦ୍ୟ ଯୋଗାଣ କରିଥିବା କ୍ୟାଟରିଂ କମ୍ପାନୀ ବିରୋଧରେ ପୋଲିସ ମୋକଦ୍ଦମା ରୁଜୁ କରିଛି।