ରାମଜେଠମଲାନୀଙ୍କ ଅଧା ସୁଟ୍‌କେସ୍‌ରେ ଆସି ଯାଇଥାନ୍ତା ୧ କୋଟି ଟଙ୍କା, ନୋଟବନ୍ଦୀ କେସ୍‌ର ଶୁଣାଣି ସମୟରେ ଏମିତି କାହିଁକି କହିଲେ ଚିଦାମ୍ବରମ

Published By : Prameya-News7 Bureau | November 24, 2022 IST

ନୂଆଦିଲ୍ଲୀ: ଉଚ୍ଚତମ ନ୍ୟାୟାଳୟରେ ନୋଟ୍‌ବନ୍ଦୀକୁ ନେଇ ଶୁଣାଣି ସମୟରେ ନରେନ୍ଦ୍ର ମୋଦୀ ସରକାର ଉପରେ ଶାଣିତ ସ୍ଵରରେ ହମଲା କରିଛନ୍ତି ବରିଷ୍ଠ ଆଇଜନୀବୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମ। ସେ କହିଛନ୍ତି, ସରକାର ଯୁକ୍ତି ବାଢୁଥିଲେ ଯେ କଳାଧନ ଉପରେ ନିୟନ୍ତ୍ରଣ ପାଇଁ ସରକାର ନୋଟବନ୍ଦୀ ପରି ପଦକ୍ଷେପ ନେଇଛନ୍ତି। ମାତ୍ର ଦୁଇ ହଜାର ଟଙ୍କିଆ ନୋଟ୍‌ର ପ୍ରଚଳନ ଆରମ୍ଭ ହେବା ପରେ କଳାଧନ ସଞ୍ଚୟ କରିବା ତ ଆହୁରି ସହଜ ହୋଇଗଲା। ଏହି ସମୟରେ ସେ ଦିବଙ୍ଗତ ଖ୍ୟାତାନାମା ଓକିଲ ରାମ  ଜେଠମଲାନୀଙ୍କ ସଂପର୍କିତ ଏକ ମାମଲାର ଉଦାହରଣ ଦେଇଛନ୍ତି। ଜେଠମଲାନୀ ନିଜ ମାମଲା ଲଢିବା ସମୟରେ  ନିଜ ଯୁକ୍ତିକୁ ସଠିକ୍ ସାବ୍ୟସ୍ତ କରିବା ପାଇଁ କହିଥିଲେ ଯେ, ଗୋଟିଏ ସୁଟକେସ୍‌ରେ ଏକ କୋଟି ଟଙ୍କା ଆସି ପାରିବ। ଚିଦାମ୍ବରମଙ୍କ କହିବା କଥା ଏବେ ତ ଦୁଇ ହଜାର ଟଙ୍କିଆ ନୋଟ୍ ଆସିବାପରେ ଜେଠମଲାନୀଙ୍କୁ ଏକ କୋଟି ଟଙ୍କା ରଖିବା ପାଇଁ ଅଧା ସୁଟକେସ୍‌ ବି ପର୍ଯ୍ୟାପ୍ତ।

ହର୍ଷଦ ମେହଟ୍ଟା ସ୍କାମରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କୁ ଏକ କୋଟି ଟଙ୍କାର ଲାଞ୍ଚ ସୁଟକେସ୍‌ରେ ଦିଆଯିବାର ଅଭିଯୋଗ  ହୋଇଥିଲା। ତେବେ ପ୍ରତିପକ୍ଷ ଯୁକ୍ତି ବାଢିଥିଲେ ଯେ, ଏତେ ବଡ ରାଶି ଗୋଟିଏ ସୁଟକେସ୍‌ରେ ଆଣିବା ସମ୍ଭବ ନୁହେଁ। ଏହାପରେ ରାମଜେଠ ମଲାନୀ କୋର୍ଟରୁ ଗୋଟିଏ ଦିନ ସମୟ ମାଗିଥିଲେ ଏବଂ ପରବର୍ତ୍ତୀ ଦିନ ଯେବେ ଆସିଲେ ତାଙ୍କ ହାତରେ ଏକ ସୁଟକେସ୍ ଥିଲା। ତାଙ୍କ କହିବା କଥା ବ୍ୟାଗ୍‌ରେ ଏକ କୋଟି ଟଙ୍କା ସହଜରେ ଅଣା ଯାଇପାରିବ। ଏହି ଦୃଶ୍ୟ ଦେଖି ବିଚାରପତି ଅସନ୍ତୋଷ ପ୍ରକାଶ କରି କହିଥିଲେ, ଆପଣଙ୍କୁ କୋର୍ଟ ଭିତରକୁ ଏକ କୋଟି ଟଙ୍କା ଆଣିବାର କଣ ଆବଶ୍ୟକତା ଥିଲା ? ଆପଣ ଏମିତି ବି କହି ପାରିଥାନ୍ତେ ଯେ ଏହା ସମ୍ଭବ। ଜେଠମଲାନୀଙ୍କ ଯୁକ୍ତି ଏହା ଥିଲା ଯେ, କୋର୍ଟ ଦଲିଲଠୁ ଅଧିକ ପ୍ରମାଣ ଉପରେ ଅଧିକ ବିଶ୍ଵାସ କରନ୍ତୁ।

ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଚିଦାମ୍ବରମ କହିଛନ୍ତି, ୨୦୧୬ରେ ମୋଦୀ ସରକାରଙ୍କ ନୋଟବନ୍ଦୀ  ନିଷ୍ପତ୍ତି ସଂପୂର୍ଣ୍ଣ ଭୁଲ୍ ଥିଲା। ଯାହା ଘଟିବା କଥା ଘଟି ସାରିଛି। କୋର୍ଟଙ୍କୁ ଏହା ଦେଖିବା ଉଚିତ୍ ଯେ, ଏମିତି ନିଷ୍ପତ୍ତି ଯେମିତି ପୁନର୍ବାର ନ ନିଆଯାଏ। ଚିଦାମ୍ବରମ କହିଛନ୍ତି, ଆତଙ୍କବାଦ, ଡ୍ରଗ୍ସ ଚାଲାଣ ଏବଂ କଳାଧନ ଉପରେ ନିୟନ୍ତ୍ରଣ ପାଇଁ ନୋଟବନ୍ଦୀ ନିଷ୍ପତ୍ତି ନିଆଯାଇଥିବା ସରକାର କହିଥିଲେ। ହେଲେ ଡ୍ରଗ୍ସ କାରବାର ତ ଓଲଟା ବଢିଛି। ସରକାର ନିଜ ସପକ୍ଷରେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ତାହା ହାସ୍ୟାସ୍ପଦ। ଏଥିରେ ଉଲ୍ଲେଖ ନାହିଁ ଯେ, ନୋଟବନ୍ଦୀ ନିଷ୍ପତ୍ତି ନିଆଯିବା ସମୟରେ କିଏ କିଏ ଉପସ୍ଥିତ ଥିଲେ। ଏତେ ବଡ ନିଷ୍ପତ୍ତିରେ ରିଜର୍ଭ ବ୍ୟାଙ୍କର କଣ ଭୂମିକା ଥିଲା। ଯେଉଁ ବୈଠକ ବସିଥିଲା, ତାହା ପ୍ରକ୍ରିୟା ଅନୁସାରେ ଥିଲା ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.