ମହିଳାଙ୍କ ଅଳଙ୍କାର ଉପରେ ଅନ୍ୟ କାହାର ଅଧିକାର ନାହିଁ, ଦେଇଥିବା ବାପାଙ୍କ ବି ହକ୍ ନାହିଁ: ସୁପ୍ରିମକୋର୍ଟ

Published By : Prameya-News7 Bureau | August 30, 2024 IST

ନୂଆଦିଲ୍ଲୀ: ମହିଳାଙ୍କ ପାଖରେ ଥିବା ସ୍ତ୍ରୀଧନ ଉପରେ କେବଳ ସେମାନଙ୍କ ଅଧିକାର । ତାହା ଉପରେ ମହିଳାଙ୍କ ପରିଜନ ଅର୍ଥାତ୍ ମାଆ ଏବଂ ବାପା ମଧ୍ୟ ଦାବି କରିପାରିବେ ନାହିଁ । ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । କୋର୍ଟ କହିଛନ୍ତି, ଜଣେ ଝିଅକୁ ବିବାହ ସମୟରେ ତାଙ୍କ ମାଆ-ବାପା ଅଳଙ୍କାର ଦେଇଥାନ୍ତି, କିନ୍ତୁ ପରେ ସେହି ଅଳଙ୍କାରକୁ ମାଗି ପାରିବେ ନାହିଁ । ସେହି ଧନ ଉପରେ କେବଳ ସେହି ଝିଅର ଅଧିକାର ରହିବ । କୋର୍ଟ କହିଛନ୍ତି ଯେ ମହିଳାଙ୍କ ଛାଡ଼ପତ୍ର କ୍ଷେତ୍ରରେ ବି ତାଙ୍କ ସ୍ୱାମୀ ସ୍ତ୍ରୀଧନକୁ ଫେରସ୍ତ କରିବାକୁ କହିପାରିବେ ନାହିଁ ।

ପି.ବୀରଭଦ୍ର ୧୯୯୯ ମସିହାର ନିଜ ଝିଅଙ୍କ ବିବାହ କରାଇଥିଲେ । ଏହାପରେ ଝିଅ ଏବଂ ଜ୍ୱାଇଁ ଆମେରିକା ଚାଲି ଯାଇଥିଲେ । ୧୬ ବର୍ଷ ପରେ ଝିଅ ଛାଡ଼ପତ୍ର କେସ୍ ଫାଇଲ୍ କରିଥିଲେ । ଆମେରିକାର ଲୁଇସ୍ କାଉଣ୍ଟି ସର୍କିଟ୍ କୋର୍ଟ ୨୦୧୬ ଫେବ୍ରୁଆରିରେ ଉଭୟଙ୍କ ସହମତିରେ ଛାଡ଼ପତ୍ରକୁ ମଞ୍ଜୁରି ଦେଇଥିଲେ । ଏକ ବୁଝାମଣା ଅନୁସାରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଘର, ଟଙ୍କା କଥା ଛଡ଼ିଥିଲା । ଏହାପରେ ମହିଳା ଜଣକ ୨୦୧୮ ମସିହାରେ ଦ୍ୱିତୀୟ ବିବାହ କରିଥିଲେ । ତିନି ବର୍ଷ ପରେ ମହିଳାଙ୍କ ବାପା ତାଙ୍କ ଶାଶୁ ଘର ବିରୋଧରେ ଏଫ୍‌ଆଇଆର୍ ଦେଇଥିଲେ । ଏଥିରେ ଝିଅର ଅଳଙ୍କାର ଫେରାଇବା ପାଇଁ ଦାବି କରାଯାଇଥିଲା । ଏହି ଏଫ୍‌ଆଇଆର୍ ବିରୋଧରେ ମହିଳାଙ୍କ ପ୍ରଥମ ଶାଶୁ ଘର ଲୋକ ତେଲଙ୍ଗାନା ହାଇକୋର୍ଟ ପହଞ୍ଚିଥିଲେ, କିନ୍ତୁ ଆବେଦନ ଖାରଜ ହୋଇଥିଲା ।

ଏହାପରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଜଷ୍ଟିସ୍ ଜେକେ ମହେଶ୍ୱରୀ ଏବଂ ସଞ୍ଜୟ କରୋଲଙ୍କ ଖଣ୍ଡପୀଠ ଶାଶୁ-ଶ୍ୱଶୁରଙ୍କୁ ଆଶ୍ୱସ୍ତି ଦେଇଥିଲେ । କୋର୍ଟ କହିଥିଲେ ଯେ ଝିଅର ଅଳଙ୍କାର ଫେରାଇବା ଲାଗି ଦାବି କରିବାର ଅଧିକାର ବାପଙ୍କ ପାଖରେ ନାହିଁ । ଏହି ଅଧିକାର କେବଳ ସେହି ମହିଳାଙ୍କ ପାଖରେ ଅଛି, ଯାହାର ସେହି ସ୍ତ୍ରୀଧନ । ଏଠାରେ ସ୍ତ୍ରୀଧନ ଅର୍ଥ ସୁନା-ରୁପା ଏବଂ ମହିଳାଙ୍କ ସହ ଜଡ଼ିତ ଅନ୍ୟ ସାମଗ୍ରୀ । ଜଷ୍ଟିସ୍ ସଞ୍ଜୟ କରୋଲ ନିଜ ନିଷ୍ପତ୍ତିରେ ଲେଖିଛନ୍ତି, ଏହା ଏକ ସାମାନ୍ୟ ନିୟମ ଏବଂ ଆଇନ ମଧ୍ୟ ଏକଥାକୁ ସ୍ୱୀକାର କରୁଛି ଯେ ଜଣେ ମହିଳାଙ୍କ ପାଖରେ ଥିବା ସ୍ତ୍ରୀଧନର ସେ ପୂର୍ଣ୍ଣ ମାଲିକ । ତାହାକୁ କେହି ଭାଗ ବାଣ୍ଟି ପାରିବେ ନାହିଁ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.