ନୂଆଦିଲ୍ଲୀ: ବରିଷ୍ଠ ସିପିଏମ୍ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ୮୦ ବର୍ଷ ବୟସରେ ନିଧନ ହୋଇଛି । ବୁଦ୍ଧଦେବଙ୍କ ଜୀବନ ସରଳତା ଏବଂ ପ୍ରଖର ବୈଚାରିକ ପରିଚୟର ଉଦାହାରଣ । ୨୦୧୧ରେ ରାଜ୍ୟରେ ଟିଏମସି ସରକାର ଆସିବା ପରଠୁ ସେ ସକ୍ରିୟ ରାଜନୀତିରୁ ଦୂରେଇ ଗଲେ । ଏହାସହ ରାଜନୀତିର ମୈଦାନକୁ ଯୁବପିଢିଙ୍କ ପାଇଁ ଛାଡ଼ିଗଲେ । ସିପିଏମ୍ ରାଜ୍ୟ ସମ୍ପାଦକ ମହମ୍ମଦ ସଲୀମ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ମରଣୋତ୍ତର ଶରୀର ଦାନ ପାଇଁ ସଂକଳ୍ପ ନେଇଥିଲେ । ତାଙ୍କ ପ୍ରତିଜ୍ଞା ଅନୁସାରେ ତାଙ୍କ ଶରୀରର ଦାନ ପ୍ରକ୍ରିୟା ଶେଷ କରାଯିବ । ଗୁରୁବାର ତାଙ୍କର ଚକ୍ଷୁ ଦାନ ପରେ ଶୁକ୍ରବାର ଦେହ ଦାନ କରାଯିବ । ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଶରୀର ଦାନ ଶୁକ୍ରବାର ଅପରାହ୍ଣରେ ନୀଳରତନ ହସ୍ପିଟାଲରେ କରାଯିବ ।
ବୁଦ୍ଧବେଦ ଭଟ୍ଟାଚାର୍ଯ୍ୟ ସିପିଏମର ପ୍ରଥମ ନେତା ନୁହନ୍ତି ଯିଏ ମରଣୋତ୍ତର ଶରୀର ଦାନ ପାଇଁ ପ୍ରତିଜ୍ଞା ନେଇଛନ୍ତି । ତାଙ୍କ ପୂର୍ବରୁ ସିପିଏମର ଅନେକ ବରିଷ୍ଠ ନେତା ମଧ୍ୟ ଏହିପରି ସଂକଳ୍ପ ନେଇସାରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ, ସୋମନାଥ ଚାଟାର୍ଜୀ, ମାନବ ମୁଖୋପାଧ୍ୟାୟ, ଖ୍ୟାମଲ ଚକ୍ରବର୍ତ୍ତୀ, ସମର ମୁଖାର୍ଜୀ, ଅନିଲ ବିଶ୍ୱାସ, ବିନୟ ଚୌଧୁରୀ ପରି ଅନେକ ବିଖ୍ୟାତ ସିପିଏମ୍ ନେତା ନିଜ ଶରୀର ଦାନ କରିସାରିଛନ୍ତି । ଏପରିକି ବିମାନ ବୋଷ, ବିକାଶରଞ୍ଜନ ଭଟ୍ଟାଚାର୍ଯ୍ୟ, ସୂର୍ଯ୍ୟକାନ୍ତ ମିଶ୍ରା ପରି ନେତା ମଧ୍ୟ ଶରୀର ଦାନର ପରମ୍ପରାକୁ ବଜାୟ ରଖିବା ପାଇଁ ସଂକଳ୍ପ ନେଇଛନ୍ତି ।
କମ୍ୟୁନିଷ୍ଟ ନେତାଙ୍କ ଏହି ଶରୀର ଦାନ ପ୍ରଥା ପଛରେ ଏକ ସାମାଜିକ ବିଚାରଧାରା ରହିଛି । ଯାହା ସାମାଜିକ ଆନ୍ଦୋଳନର ଦାନ । ଏହି ପରମ୍ପରା ଗନ୍ଦର୍ପଣ ନାମକ ଏକ ଅଣ-ସରକାରୀ ସଂସ୍ଥାର ଅଭିଯାନ ସହ ଆରମ୍ଭ ହୋଇଥିଲା । ୧୯୭୭ ମସିହାରେ ଏହାର ସ୍ଥାପନା ହୋଇଥିଲା । ଏହି ସଂସ୍ଥା ସହ ଅନେକ ପ୍ରତିଷ୍ଠିତ ଲୋକ ଜଡ଼ିତ ଥିଲେ । କିନ୍ତୁ ସେମାନଙ୍କ ମଧ୍ୟରେ ଜଣେ ଥିଲେ-ବ୍ରଜ ରାୟ । ମାତ୍ର ୨୧ ବର୍ଷ ବୟସରେ ବ୍ରଜ ରାୟ ୧୯୫୭ ମସିହାରେ ଅବିଭାଜିତ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ହେଲେ । ସେ ତିନି ଦଶନ୍ଧି ପରେ ମରଣୋତ୍ତର ଦେହଦାନ ଆନ୍ଦୋଳନ ଅଭିଯାନ ଆରମ୍ଭ କରିଥିଲେ । ଶରୀର ଦାନ ଆନ୍ଦୋଳର ଉଦ୍ଦେଶ୍ୟ ଚିକିତ୍ସା ବିଜ୍ଞାନରେ ଅନୁସନ୍ଧାନ ଏବଂ ଅଧ୍ୟୟନ ପାଇଁ ଶରୀର ଉପଲବ୍ଧ କରାଇବା । ସେ ଏହି ଉଦ୍ଦେଶ୍ୟରେ ସାରା ପଶ୍ଚିମବଙ୍ଗରେ ଅଭିଯାନ ଚଲାଇଲେ । ପଶ୍ଚିମବଙ୍ଗରେ କମ୍ୟୁନିଷ୍ଟ ପାର୍ଟିର ପୂର୍ବେ ଅଧିକ ପ୍ରଭାବ ଥିଲା, ତେଣୁ ଏହି ଆନ୍ଦୋଳନର ପ୍ରଭାବ ତୃମମୂଳ ସ୍ତରରେ ମଧ୍ୟ ପଡ଼ିଲା ।
ବାମପନ୍ଥୀ ନେତାଙ୍କ ଶରୀର ଦାନ ପ୍ରଥା ପଛରେ ରାଜନୈତିକ ବିଚାରଧାରାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସାଧାରଣତଃ ଜଣେ ବ୍ୟକ୍ତିର ନିଧନ ପରେ ତାଙ୍କ ସଂସ୍କୃତି-ପରମ୍ପରା ଅନୁସାରେ ଅନ୍ତିମ ସଂସ୍କାର କରାଯାଏ । କିନ୍ତୁ କମ୍ୟୁନିଷ୍ଟ ଧାର୍ମିକ ଆଧାରକୁ ବିଶ୍ୱାସ କରନ୍ତି ନାହିଁ ତେଣୁ ଧାର୍ମିକ ରୀତିନୀତିରେ ଅନ୍ତିମ ସଂସ୍କାରର ବିଧିକୁ ମାନନ୍ତି ନାହିଁ । ଏହାର ପରିମାଣ ସ୍ୱରୁପ ସେମାନେ ଶରୀର ଦାନ ବିକଳ୍ପକୁ ଗ୍ରହଣ କରନ୍ତି । କମ୍ୟୁନିଷ୍ଟଙ୍କ ବିଚାରରେ ଜଣେ ବ୍ୟକ୍ତି ସମାଜରେ ବଡ଼ ହୋଇଥାଏ, ମୃତ୍ୟୁ ପରେ କଣ ତାର ସେହ ଶରୀର ସମାଜର କାମରେ ଆସିବା ଉଚିତ ନୁହେଁ ? ଏହି ବିଚାରଧାରାରେ କମ୍ୟୁନିଷ୍ଟ ନେତା ଚିକିତ୍ସା ଅନୁସନ୍ଧାନ ପାଇଁ ଶରୀର ଦାନ କରିବାକୁ ନିଷ୍ପତ୍ତି ନେଇଥାନ୍ତି ।