ଭୁବନେଶ୍ୱର ୨୫/୧୦: ମଝିରାତିରେ ମାଡ଼ ହେଲା ବାତ୍ୟା ଦାନା । ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କରିଥିଲା ସ୍ଥଳଭାଗ। ରାତି ୧୨ଟା ୫ରୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା। ରାତି ପ୍ରାୟ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ବାତ୍ୟା ଦାନା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କରିଥିଲା ସ୍ଥଳଭାଗ।
ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ବହିଥିଲା ପବନ। ଫଳରେ ଟଳିପଡ଼ିଥିଲା ଅନେକ ଗଛ। ଭାଙ୍ଗି ଯାଇଥିଲା ଚାଳ ଛପର ଘର। ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ଏହା ଧାମରାଠାରୁ ଉତ୍ତରକୁ ୧୫ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି ।
ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିବା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ସ୍ଥଳଭାଗରେ ଘଣ୍ଟାପ୍ରତି ୧୦ କିମି ବେଗରେ ଗତି କରୁଛି ବାତ୍ୟା । ରାତି ୧୧ଟା ସୁଦ୍ଧା କେନ୍ଦୁଝରର ହାଟଡିହି ଅତିକ୍ରମ ରହିଛି । ଯାଜପୁର ଜିଲ୍ଲାର ଦୈତାରୀଖଣି ପାର୍ କରିବା ପରେ ତେଲକୋଇରେ ପ୍ରବେଶ କରିବ । ଏହା ପରେ ଧୀରେ ଧୀରେ ଦୁର୍ବଳ ହେବ ଦାନା । ତେବେ ଆସନ୍ତା ୨୪ ଘଣ୍ଟା ଯାଏଁ ଜାରି ରହିବ ଏହାର ପ୍ରକୋପ । ଅନେକ ସ୍ଥାନରେ ବର୍ଷା ନେଇ ଜାରି ହୋଇଛି ସତର୍କତା ।