'ଆଗାମୀ କିଛି ବର୍ଷରେ ଡାୟନାସୋର ପରି ବିଲୁପ୍ତ ହୋଇଯିବ କଂଗ୍ରେସ', ରାଜନାଥ ସିଂଙ୍କ ବଡ଼ ହମଲା

Published By : Prameya-News7 Bureau | April 12, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ବିଜେପି ନିଜର ପ୍ରଚାରକୁ ଜୋରଦାର କରିଛି । ଏହାରି ଭିତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରାଖଣ୍ଡର ପୋଡି ଗଡୱାଲରେ ଏକ ରାଲିକୁ ସମ୍ୱୋଧନ କରି କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି ଯେ କିଛି ବର୍ଷରେ ଡାୟନାସୋର ପରି କଂଗ୍ରେସ ପାର୍ଟି ମଧ୍ୟ ବିଲୁପ୍ତ ହୋଇଯିବ । ଏହାସହ ସେ କଂଗ୍ରେସର ଦଳୀୟ କନ୍ଦଳର ତୁଳନା ଟେଲିଭିଜନ ରିୟଲିଟି ସୋ’ ବିଗ୍ ବସ'ର ଘର ସହ କରି କହିଛନ୍ତି ଯେ ପାର୍ଟିର ନେତା ପ୍ରତିଦିନ ପରସ୍ପରର କପଡ଼ା ଚିରୁଛନ୍ତି ।

ସେ କହିଛନ୍ତି ଯେ କଂଗ୍ରେସ ନେତାଙ୍କ ପଳାୟନ ଜାରି ରହିଛି । ଜଣେ ପରେ ଜଣେ ନେତା ପାର୍ଟି ଛାଡ଼ୁଛନ୍ତି ଏବଂ ବିଜେପିରେ ସାମିଲ ହେଉଛନ୍ତି । ମୋତେ ଭୟ ଯେ ଆଗାମୀ କିଛି ବର୍ଷରେ କଂଗ୍ରେସ ଡାୟନାସୋର ପରି ବିଲୁପ୍ତ ହୋଇଯିବ । ରାଜନାଥ ସିଂ କହିଛନ୍ତି, ସ୍ୱାଧୀନ ଭାରତର ପ୍ରଥମ ଦୁର୍ନୀତି, ଜିପ୍ ଦୁର୍ନୀତି କଂଗ୍ରେସ ଅମଳରେ ହୋଇଥିଲା । କଂଗ୍ରେସ ଶାସନ କାଳରେ ଦୁର୍ନୀତି ଯୋଗୁଁ ମନ୍ତ୍ରୀମାନଙ୍କୁ ଜେଲ ବି ଯିବାକୁ ପଡ଼ିଥିଲା ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଦୁନିଆର କେହି ବି ଜଣେ ମୋଦୀ ସରକାରଙ୍କ କୌଣସି ବି ମନ୍ତ୍ରୀ ଉପରେ ଅଙ୍ଗୁଳି ଉଠାଇ ପାରିବ ନାହିଁ । ଗତ ୧୦ ବର୍ଷରେ ମୋଦୀଙ୍କ ସରକାରର କୌଣସି ବି ମନ୍ତ୍ରୀ ଉପରେ ଦୁର୍ନୀତିର ଗୋଟିଏ ବି ଅଭିଯୋଗ ନାହିଁ ।

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.