ନୂଆଦିଲ୍ଲୀ: ଭାରତରେ କୁଶଳୀ ଶ୍ରମିକଙ୍କ ଅଭାବ ରହିଛି। ବିଭିନ୍ନ ହାଇଟେକ୍ କାର୍ଯ୍ୟ ପାଇଁ ଯେତିକି କୁଶଳୀ ଶ୍ରମିକ ଆବଶ୍ୟକ ସେତିକି ମିଳୁ ନାହାନ୍ତି। ଦେଶରେ କୁଶଳୀ ଶ୍ରମିକଙ୍କ ଚାହିଦା ଓ ଯୋଗାଣ ମଧ୍ୟରେ ଏକ ବଡ଼ ବ୍ୟବଧାନ ରହିଛି ବୋଲି ଜାତୀୟ ଦକ୍ଷତା ବିକାଶ ନିଗମ ପକ୍ଷରୁ କରାଯାଇଥିବା ଗବେଷଣା ରିପୋର୍ଟରୁ ଜଣାପଡ଼ିଛି। ବର୍ତ୍ତମାନ କୁଶଳୀ ଶ୍ରମିକଙ୍କ ଚାହିଦା ୧୦୩ ମିଲିଅନ ରହିଥିବା ବେଳେ ଯୋଗାଣ ମାତ୍ର ୭୪ ମିଲିଅନ ରହିଛି। ତେଣୁ ଏଥିରୁ ସ୍ପଷ୍ଟ ଯେ ଦେଶରେ ବିଭିନ୍ନ କ୍ଷେତ୍ରରେ ଶ୍ରମିକଙ୍କୁ ପ୍ରଶିକ୍ଷଣ ଦେଇ ଦକ୍ଷ କରାଇବାର ଘୋର ଆବଶ୍ୟକତା ରହିଛି।
ଦକ୍ଷ ଶ୍ରମିକଙ୍କ ଅଭାବର ମୁଖ୍ୟ କାରଣ ହେଉଛି ଭାରତୀୟ ଅର୍ଥନୀତିର ପରିବର୍ତ୍ତିତ ରୂପ। କାରଣ ବର୍ତ୍ତମାନ ଭାରତରେ ସ୍ୱାସ୍ଥ୍ୟ, ସେମିକଣ୍ଡକ୍ଟର, ମାନୁଫେକ୍ଚରିଂ, ଗ୍ରୀନ ଜବ ଓ ସସଷ୍ଟେନବଲିଟି, ବର୍ଯ୍ୟ ପରିଚାଳନା, ସାରକୁଲାର ଇକୋନୋମି, ଫୁଡ୍ ପ୍ରୋସେସିଂ, ଡ୍ରୋନ ଟେକ୍ନୋଲୋଜୀ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଦ୍ରୁତ ବିକାଶ ହେଉଛି। ତେଣୁ ଏ ଦିଗରେ ଦକ୍ଷତା ରଖୁଥିବା ଶ୍ରମିକଙ୍କ ଆବଶ୍ୟକତା ବଢ଼ୁଛି। ଖୁବ୍ କମ ସମୟରେ ଦ୍ରୁତ ବିକାଶ ହେଉଥିବା ବେଳେ ଆବଶ୍ୟକ ଅନୁସାରେ ଭାରତରେ କୁଶଳୀ ଶ୍ରମିକଙ୍କ ଅଭାବ ଦେଖା ଦେଇଛି।
ଦେଶରେ ଏଭଳି ସ୍ଥିତି ନେଇ ଭାରତୀୟ ମାନବସମ୍ବଳ ଏବଂ ଦକ୍ଷତା ବିକାଶ ଦିଗରେ କାମ କରୁଥିବା ପ୍ରମୁଖ ସଂସ୍ଥା ଓ ବ୍ୟକ୍ତି ବିଶେଷମାନେ ଶୁକ୍ରବାର ଦିଲ୍ଲୀରେ ଏକ ବୈଠକ କରିଥିଲେ। ବର୍ତ୍ତମାନ ଦେଶରେ ସୃଷ୍ଟି ହେଉଥିବା ନିଯୁକ୍ତି ପାଇଁ ଦକ୍ଷ ଶ୍ରମିକଙ୍କ ଅଭାବକୁ କିଭଳି ଦୂର କରିହେବ ସେ ନେଇ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଛି। ପରସ୍ପର ସହୋଯୋଗୀତାରେ ଭାରତରେ ଦକ୍ଷ ଶ୍ରମିକ ତିଆରି କରି ବିଶ୍ୱ ବଜାରରେ ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି କରିବା ଦିଗରେ କାମ କରିବାକୁ ସଂସ୍ଥାମାନଙ୍କ ମଧ୍ୟରେ ବୈଠକ ହୋଇଛି।
ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଦକ୍ଷତା ବିକାଶ ନିଗମ (NSDC) ସୋସାଇଟି ଫର ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟ (SHRM) ଭାରତ ସହିତ ମିଳିତ ହୋଇ ଏ ଦିଗରେ କାମ କରିବାକୁ ସହମତି ହୋଇଛି। ଭବିଷ୍ୟତରେ ଦକ୍ଷ ଶ୍ରମିକ ତିଆରି କରିବା ପାଇଁ ଏକ ଫ୍ରେମ ୱାର୍କ ତିଆରି କରିବାକୁ ଯୋଜନା ହୋଇଛି।
ଏହି ବୈଠକରେ ଶିଳ୍ପପତି ଏବଂ ବରିଷ୍ଠ ଏଚଆର୍ ପ୍ରଫେସନାଲମାନେ ଏକତ୍ରିତ ହୋଇ କର୍ପୋରେଟ୍ ଏବଂ ଶିଳ୍ପ କ୍ଷେତ୍ରରେ ଶ୍ରମବଳକୁ ଦକ୍ଷ ଯୁଗୋପଯୋଗୀ କରାଇବା ଦିଗରେ ବିଚାରବିମର୍ସ କରାଯାଇଥିଲା।
ଏନେଇ ଏନଏସଡିସି ଓ ଏନଏସଡିସି ଅନ୍ତର୍ଜାତୀୟ ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ ବେଦ ମଣି ତିୱାରୀ କହିଛନ୍ତି ୨୦୨୫ ସୁଦ୍ଧା ଭାରତକୁ ୫ ଟ୍ରିଲିଅନ ଅର୍ଥନୀତିରେ ପରିଣତ କରିବାକୁ ହେଲେ ଆମକୁ ଦକ୍ଷତା ବିକାଶର ଗତିକୁ ବଢ଼ାଇବାକୁ ପଡ଼ିବ।
ବିଶ୍ୱ ଶ୍ରମ ବଳର ପ୍ରତ୍ୟୋକ ଚତୁର୍ଥ ବ୍ୟକ୍ତି ଭାରତୀୟ ହୋଇଥିବାରୁ ଆମ ଯୁବ ବର୍ଗଙ୍କର ସଠିକ ଦକ୍ଷତାର ବିକାଶ କରିବା ଜରୁରୀ। ଏହା କେବଳ ଅଭିବୃଦ୍ଧି ପାଇଁ ନୁହେଁ, ବରଂ ପ୍ରତ୍ୟେକ ଭାରତୀୟଙ୍କୁ ଏହି ଜନସଂଖ୍ୟାଗତ ଲାଭର ଲାଭ ମିଳିବା ପାଇଁ ଦକ୍ଷତାର ବିକାଶର ଆବଶ୍ୟକତା ରହିଛି।