‘ଯାହା ହେଉ..ପାଣି ଉପରେ ଜରିମାନା ଲଗାଇନ’, ପୋଲିସ ଉପରେ ବର୍ଷିଲେ ହାଇକୋର୍ଟ, ଦିଲ୍ଲୀ କୋଚିଂ ସେଣ୍ଟର ଦୁର୍ଘଟଣାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ

Published By : Prameya-News7 Bureau | August 02, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ କୋଚିଂ ସେଣ୍ଟର ଦୁର୍ଘଟଣାକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି । କୋର୍ଟ ଦୁର୍ଘଟଣା ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ମାମଲାର ଗମ୍ଭୀରତାକୁ ଦେଖି ଏହା ନିଷ୍ପତ୍ତି ନେଇଛନ୍ତି । ଆଦେଶ ଜାରି କରି ହାଇକୋର୍ଟ ଏକ ଆଶଂକା ମଧ୍ୟ ପ୍ରକାଶ କରିଛନ୍ତି । କୋର୍ଟଙ୍କ ଆଶଂକା ଅନୁସାରେ ଏଥିରେ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ମଧ୍ୟ ସାମିଲ ଥାଇପାରେ । ଉଲ୍ଲେଖଯୋଗ୍ୟ ଯେ ଗତ ଶନିବାର ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଏକ କୋଚିଂ ସେଣ୍ଟରରେ ଅଘଟଣ ଘଟିଥିଲା । ବେସମେଣ୍ଟରେ ପାଣି ଭରିଯିବା ଯୋଗୁଁ ତିନି ଜଣ ୟୁପିଏସସି ଆଶାୟୀଙ୍କ ମୃତ୍ୟୁ ହୋଇଥିଲା । ଏବେ ଏହି ମାମଲାର ତଦନ୍ତ ସିବିଆଇ କରିବ । ଏହାସହ କୋର୍ଟ କହିଛନ୍ତି ଯେ ସିବିଆଇ ତଦନ୍ତ ଉପରେ ନଜର ରଖିବେ ଜଣେ ବରିଷ୍ଠ ଅଧିକାରୀ, ଏଥିପାଇଁ ସିଭିସିକୁ ନିର୍ଦ୍ଦେଶ ଦିଆଯାଇଛି । 

ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ପୂରା ଘଟଣାକ୍ରମରେ ପୋଲିସ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଆଜି ଯାଏ କରାଯାଇଥିବା ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନମୋହନଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କୋଚିଂ ସେଣ୍ଟର ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାଖଲ ଆବେଦନ ଉପରେ ଶୁଣାଣି କରିଛନ୍ତି ।

ଶୁଣାଣି ବେଳେ କୋର୍ଟ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି । ଜଜ୍ ଦିଲ୍ଲୀ ପୋଲିସର ଆଇନଜୀବୀଙ୍କୁ ତାତ୍ସଲ୍ୟ କରି କହିଛନ୍ତି, ବଡ଼ କଥା ଏହା ଯେ ଆପଣ ବେସମେଣ୍ଟରେ ପଶିବା ଯୋଗୁଁ ବର୍ଷା ପାଣି ଉପରେ ଚାଲାଣ କାଟି ନାହାନ୍ତି । କୋର୍ଟ ଛାତ୍ରଛାତ୍ରୀଙ୍କ ମୃତ୍ୟୁକୁ ନେଇ ପୋଲିସ ଦ୍ୱାରା ଜଣେ ଏସୟୁଭି ଡ୍ରାଇଭରଙ୍କ ଗିରଫଦାରୀ କଥା ଉଲ୍ଲେଖ କରୁଥିଲେ, ଯାହାଙ୍କ ବିରୋଧରେ ବର୍ଷା ପାଣିରେ ଭର୍ତ୍ତି ରାସ୍ତା ଉପରେ ସ୍ପିଡରେ ଗାଡ଼ି ଚଲାଇବା ଅଭିଯୋଗ ଲଗାଇଛି ପୋଲିସ । ଅଭିଯୋଗ ଥିଲା ଯେ ଗାଡ଼ି ସେହି ବାଟ ଦେଇ ସ୍ପିଡ୍‌ରେ ଯିବା ଯୋଗୁଁ ପାଣିର ପରିମାଣ ବଢିଥିଲା ଏବଂ ଗେଟ୍ ଭାଙ୍ଗି ବେସମେଣ୍ଟରେ ପଶିଥିଲା । ଏସୟୁଭି ଡ୍ରାଇଭରଙ୍କ ଗିରଫକୁ କୋର୍ଟ ବେଆଇନ ବୋଲି କରିଥିଲେ । 

ପୋଲିସ ଦ୍ୱାରା ଡ୍ରାଇଭରଙ୍କ ବିରୋଧରେ ଉଦ୍ଦେଶ୍ୟ ନଥିଇ ହତ୍ୟା ଅଭିଯୋଗ ହଟାଯିବା ପରେ ମନୁଜ କଥୁରିଆଙ୍କୁ ଗୁରୁବାର ଜାମିନରେ ମୁକ୍ତ କରାଯାଇଥିଲା । କୋର୍ଟ ଶୁଣାଣି ବେଳେ ବିଲ୍ଡିଂ ପ୍ଲାନକୁ ମଞ୍ଜୁରି କିଏ ଦେଇଥିଲା ବୋଲି ପ୍ରଶ୍ନ କରିଥିଲେ । ଯାହାର ଜବାବରେ ଦିଲ୍ଲୀ ପୋଲିସ କହିଥିଲା ଯେ ଏହି ବିଷୟରେ ଏବେ ତଥ୍ୟ ମଗାଯାଇଛି । ଉତ୍ତର ଶୁଣି ହାଇକୋର୍ଟ କହିଥିଲେ, 'ଆପଣ ଏପରି କଥା କହୁଛନ୍ତି ଯେପରି ଆପଣଙ୍କ ପାଖରେ କୌଣସି ଶକ୍ତି ନାହିଁ । ଆପଣ ହେଉଛନ୍ତି ପୋଲିସ । ଆପଣଙ୍କୁ ସବୁ କିଛି ମିଳିବ । ଆପଣ ଏମସିଡି ଅଫିସ୍ ଯାଇ ଫାଇଲ୍ ଜବତ କରିପାରିବେ । କିପରି କରିବେ ଏହା କଣ ଆପଣଙ୍କୁ କହିବାକୁ ପଡ଼ିବ ? ଆପଣଙ୍କ ଅଧିକାରୀ ନୂଆ ନୁହନ୍ତି । ସେମାନେ ଜାଣିବା ଦରକାର ଯେ କିପରି କରାଯିବ । କ'ଣ ଆପଣ ଭାବୁଛନ୍ତି କୌଣସି ଅଧିକାରୀ ଆପଣଙ୍କ ପାଖକୁ ଆସି ନିଜ ଅପରାଧକୁ ସ୍ୱୀକାର କରିବ ?'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.