୧୯୪୨ ଗାନ୍ଧିଜୀ ଲଗାଇଥିଲେ ବରଗଛ, ଚାରା ଏବେ ୨ ଏକରରେ ବ୍ୟାପ୍ତ

Published By : Prameya-News7 Bureau | July 06, 2024 IST

ନୂଆଦିଲ୍ଲୀ ୦୬/୦୭: ପରିବେଶ ସୁରକ୍ଷା ଓ ଭବିଷ୍ୟତ ପିଢ଼ି ପାଇଁ ବୃକ୍ଷରୋପଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱବାସୀଙ୍କୁ ଅହିଂସାର ଜ୍ଞାନ ବାଣ୍ଟିଥିବା  ମହାତ୍ମା ଗାନ୍ଧି ବ୍ରିଟିଶ ଶାସନ ବିରୋଧରେ ଆନ୍ଦୋଳନ କରିବା  ସମୟରେ ବୃକ୍ଷରୋପଣର ମୂଲ୍ୟ ବୁଝିଥିଲେ । ସ୍ୱାଧୀନତା ଆନ୍ଦୋଳନ ସମୟରେ ସେ ଯେଉଁ ସ୍ଥାନକୁ ଯାଉଥିଲେ, ସେଠାରେ ବୃକ୍ଷରୋପଣ କରୁଥିଲେ । 

୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନ  ଅଭିଯାନ ସମୟରେ ଗାନ୍ଧିଜୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଯାତ୍ରା  କରିଥିଲେ । ଏହି ସମୟରେ ରେଳ ଷ୍ଟେସନ୍‌ରେ ସେ ଏକ  ବରଗଛ ଚାରା ରୋପଣ କରିଥିଲେ । ଏହି  ଚାରା ଏବେ ବିଶାଳ ବୃକ୍ଷ ରୂପେ ସେ  ଦିନର ସ୍ମୃତିକୁ ବର୍ଣ୍ଣନା କରୁଛି । ଭାରତ ଛାଡ଼ ଆନ୍ଦୋଳନ ସମୟରେ ଗାନ୍ଧିଜୀ ଟ୍ରେନ୍‌ରେ ଦେଶ ଭ୍ରମଣ  କରୁଥିଲେ । ଏହି ସମୟରେ ସେ  ଶ୍ରୀକାକୁଲମ୍‌ ଜିଲ୍ଲାର ଦୁସି ରେଳ  ଷ୍ଟେସନ୍‌ରେ ଓହ୍ଲାଇଥିଲେ । 

ଏଠାରେ  ସେ ଏକ ବରଗଛ ଚାରା ରୋପଣ  କରିଥିଲେ । ଏହି ବୃକ୍ଷ ଏବେ ୨ ଏକରରୁ ଅଧିକ ସ୍ଥାନରେ  ବ୍ୟାପିଛି । ଏହି ବାଟ ଦେଇ ଯାଉଥିବା ପଥିକଙ୍କୁ  ଗଛଟି ଛାଇ  ପ୍ରଦାନ  କରୁଛି । ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଶ୍ରୀକାକୁଲମ ଜିଲ୍ଲା  ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଏହି ସ୍ଥାନର ସ୍ୱତନ୍ତ୍ର  ପରିଚୟ ରହିଛି । ଇତିହାସ କହେ, ଭାରତ ଛାଡ଼ ଆନ୍ଦୋଳନ ସମୟରେ ଗାନ୍ଧିଜୀ ସ୍ଥାନୀୟ ରେଳ ଷ୍ଟେସନ୍‌ରେ ଏକ ବିଶାଳ  ସମାବେଶକୁ ସମ୍ବୋଧନ କରିଥିଲେ । 

ସ୍ଥାନୀୟ ଲୋକଙ୍କ  ଅନୁସାରେ, କେବଳ ସେହି ଜିଲ୍ଲା ନୁହେଁ, ଏହି ବିଶାଳ ସମାବେଶରେ ଯୋଗ ଦେବାକୁ ଅନ୍ୟ ଜିଲ୍ଲାମାନଙ୍କରୁ ମଧ୍ୟ ଲୋକେ ଧାଇଁ ଆସିଥିଲେ । ଗାନ୍ଧିଜୀ ଲଗାଇଥିବା ବରଗଛ ଉକ୍ତ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର କଥା ବୋଲି ସ୍ଥାନୀୟ ଲୋକେ  କହୁଛନ୍ତି । ସେମାନେ ଏହି ବୃକ୍ଷକୁ ଖୁବ୍‌ ସମ୍ମାନ ଦେଉଛନ୍ତି । ଗାନ୍ଧିଜୀଙ୍କ ଦ୍ୱାରା ଲଗାଯାଇଥିବା ଏହି ବିଶାଳ ବୃକ୍ଷର ଗୁରୁତ୍ୱ  ଦର୍ଶାଇବାକୁ ଏବଂ ତା’ର ଉପଯୁକ୍ତ ଯତ୍ନ ଦେବାକୁ ପ୍ରଶାସନ  ପକ୍ଷରୁ ପଦକ୍ଷେପ ନେବା ଉଚିତ୍‌ ବୋଲି ଲୋକେ ଚାହୁଁଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.