ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସିବା ସହ ରାଜ୍ୟରେ ରାଜନୀତି ସରଗରମ ହେବାରେ ଲାଗିଛି । ଏହାରି ଭିତରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଶରତ ପାୱାର) ମୁଖ୍ୟ ଶରତ ପାୱାରଙ୍କ ଘରେ ଆଶାୟୀ ଏବଂ ବରିଷ୍ଠ ନେତାଙ୍କ ଭିଡ଼ ଜମିବାରେ ଲାଗିଛି । ଦଳୀୟ ସୂତ୍ର ଅନୁସାରେ ଗତ ସପ୍ତାହ ମଧ୍ୟରେ ୨୫ ଜଣ ବରିଷ୍ଠ ନେତା ନିଜ ମଜଭୁତ ପ୍ରାର୍ଥୀତ୍ୱ ପାଇଁ ଦାବି ଉପସ୍ଥାପନ କରିଛନ୍ତି । ଏଥିରୁ କିଛି ସାର୍ବଜନୀନ ମଞ୍ଚରେ ଶରଦ ପାୱାରଙ୍କ ସହ ବୈଠକକୁ ସ୍ୱୀକାର କରିସାରିଛନ୍ତି ।
ଗତ ସୋମବାର ଛଅ ଥରର ବିଧାୟକ ବବନ ସିନ୍ଦେ, ଶରଦ ପାୱାରଙ୍କୁ ଭେଟି ନିଜ ପୁଅ ରଣଜୀତ ସିନ୍ଦେଙ୍କ ପାଇଁ ଟିକଟ୍ ଦାବି କରିଥିବା ଜଣାପଡ଼ିଛି । ବରିଷ୍ଠ ବିଧାୟକ କହିଥିଲେ, 'ଶରଦ ପାୱାରଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନକୁ ଆସିଥିଲି, ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି । କିଛି ଦିନ ପୂର୍ବେ ମାଧା ଭୋଟରଙ୍କୁ ନିଜ ପୁଅକୁ ନିର୍ବାଚିତ କରିବା ପାଇଁ ବବନ ଅପିଲ୍ କରିଥିଲେ ।
ସେହିପରି ପୂର୍ବତନ ବିଧାୟକ ବିଳାଶ ଲାଣ୍ଡେ ଏବଂ କଂଗ୍ରେସ ନେତା ଅବ୍ବା ବଗୁଲ ମଧ୍ୟ ଶରଦ ପାୱାରଙ୍କୁ ଭେଟି ବୈଠକ କରିଛନ୍ତି । ଅଜିତ୍ ପାୱାରଙ୍କ ଘନିଷ୍ଠ ସହଯୋଗୀ ରୂପେ ଦେଖାଯାଉଥିବା ଲାଣ୍ଡେ ଭୋସାରି ଆସନରୁ ଏନସିପି (ଏସପି) ଟିକଟ ପାଇଁ ଆଶାୟୀ ଅଛନ୍ତି । ଆସନ ବୁଝାମଣାରେ ଏହି ସିଟ୍ ବିଜେପି ଖାତାକୁ ଯାଇପାରେ । ବର୍ତ୍ତମାନ ଭୋସାରି ଆସନରୁ ବିଜେପିର ମହେଶ ଲାଣ୍ଡେ ବିଧାୟକ ଅଛନ୍ତି ।
ଏନସିପି (ଏସପି) ମୁଖପାତ୍ର ଅଙ୍କୁଶ କାକଡେ କହିଛନ୍ତି, 'ଏହା ସତ ଯେ ଗତ ଏକ ସପ୍ତାହ ଭିତରେ ୨୫ରୁ ଅଧିକ ନେତା ଶରଦ ପାୱାରଙ୍କୁ ଭେଟିଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଘଟଣାବଳୀ ଏବଂ ବିଭିନ୍ନ ରଣନୀତି ପାଇଁ ଦଳ ସୁପ୍ରିମୋଙ୍କ ସହ ଭେଟି ଆଲୋଚନା କରୁଛନ୍ତି । ଆମେ ଅନେକ ନେତାଙ୍କୁ ଦଳରେ ସାମିଲ କରିସାରିଛୁ, ଅନେକ ଲାଇନ୍ରେ ଅଛନ୍ତି ।'