‘ଅପରେସନ ସିନ୍ଦୂର’ ବେଳେ ଯବାନଙ୍କୁ କରୁଥିଲେ ସାହାଯ୍ୟ , ଏବେ ଇଣ୍ଡିଆନ ଆର୍ମି କଲା ସମ୍ମାନିତ

Published By : Prameya-News7 Bureau | July 20, 2025 IST

ଚଣ୍ଡିଗଡ଼ - ପଞ୍ଜାବର ଜଣେ କୁନି ପିଲା ଶ୍ରବଣ ସିଂହଙ୍କୁ ଭାରତୀୟ ସେନା କରିଛି ସାଲ୍ୟୁଟ୍‌। ତାଙ୍କୁ କରିଛି ସମ୍ମାନିତ। ଆପଣ ନିଶ୍ଚୟ ଭାବୁ ଥିବେ , କେଉଁଥି ପାଇଁ। ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ହମଲା ପରେ, ଭାରତୀୟ ସେନା ପାକିସ୍ତାନ ବିରୁଦ୍ଧରେ ଆରମ୍ଭ କରିଥିଲା ଅପରେସନ ସିନ୍ଦୂର । ଏତିକି ବେଳେ ଫିରୋଜପୁରରେ ମୁତୟନ ସେନା ଯବାନକୁ ଚା, ପାଣି, ବରଫ , କ୍ଷୀର ଓ ଲସି ଭଳି ଜିନିଷ ପହଞ୍ଚାଇ ଥିଲେ ଏହି କୁନି ପିଲା ଶ୍ରବଣ ସିଂହ। ଖାଲି ଏତିକି ନୁହେଁ , ଏବେ ଭାରତୀୟ ସେନାର ଗୋଲଡେନ ଏରୋ ଡିଭିଜନ ରିଟର୍ନ ଗିଫ୍ଟ ସ୍ୱରୂପ ଏହି ସାହାସୀ ପିଲାଙ୍କୁ ଶ୍ରବଣଙ୍କର ପାଠପଢା ଖର୍ଚ୍ଚ ବହନ କରିବାକୁ କଥା ଦେଇଛି। ଆଜି ଫିରୋଜପୁର କ୍ୟାଣ୍ଟନମେଣ୍ଟରେ ଆୟୋଜିତ ଏକ ସମାରୋହରେ ୱେଷ୍ଟର୍ଣ୍ଣ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ –ଇନ-ଚିଫ୍‌ ଲେଫ୍ଟେନାଣ୍ଟ ଜେନେରାଲ ମନୋଜ କୁମାର କଟିୟାର ଏହି ଘୋଷଣା କରିଛନ୍ତି। ଏହି ସମୟରେ ସେ କୁନି ଶ୍ରବଣଙ୍କୁ ସମ୍ମାନିତ ମଧ୍ୟ କରିଛନ୍ତି। ସେ କହିଛନ୍ତି ଶ୍ରବଣଙ୍କର ଏହି କାହାଣୀ ଦେଶରେ ଥିବା ସେହି ନୀରବ ନାୟକଙ୍କ କଥା ମନେପକାଉଛି , ଯେଉଁମାନେ ମାନ୍ୟତା ଓ ସମର୍ଥନ ପାଇଁ ଯୋଗ୍ୟ। 

ଫିରୋଜପୁର ଜିଲ୍ଲାର ମମଡୋଟ ଅଞ୍ଚଳର ତାରା ୱାଲି ଗାଁର ବାସିନ୍ଦା ଶ୍ରବଣ ଚତୁର୍ଥ ଶ୍ରେଣୀରେ ପଢନ୍ତି। ତାରା ୱାଲି ଗାଁ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାଠାରୁ ଦୁଇ କିଲୋମିଟର ଦୂରରେ । ମେ ମାସରେ ଅପରେସନ ସିନ୍ଦୂର ସମୟରେ ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ଶୀର୍ଷରେ ଥିଲା , ଗରମ ମଧ୍ୟ ଭୀଷଣ ହେଉଥିଲା। ଗାଁରେ ଭାରତୀୟ ସେନାର ଯବାନ ପାକିସ୍ତାନୀ ସେନାକୁ ଦୃଢ ଜବାବ ଦେଉଥିଲେ। ଏହି ମାହୋଲରେ ଏକ ଛୋଟ ପିଲା ଶ୍ରବଣ ସିଂହ ପ୍ରତିଦିନ ନିଜର ଛୋଟ ଛୋଟ ହାତରେ କ୍ଷୀର , ଲସି , ଥଣ୍ଡା ପାଣି  ଓ ବରଫ ନେଇ ଯବାନଙ୍କ ପାଖରେ ପହଞ୍ଚି ଯାଉଥିଲେ। ଚତୁର୍ଥ ଶ୍ରେଣୀରେ ପଢୁଥିବା ଶ୍ରବଣ ନିଜ ଇଚ୍ଛାରେ ସୈନିକଙ୍କ ପାଇଁ ପାଇଁ ଏସବୁ କରୁଥିଲେ। ତାଙ୍କୁ ଏହା କରିବାକୁ କେହି କହି ନଥିଲେ। 

ଉତ୍ତେଜନାପୂର୍ଣ୍ଣ ସ୍ଥିତି ଓ ଗୁଳିର ଗୁଞ୍ଜରଣ ସତ୍ତ୍ୱେ ତାଙ୍କର ସାହସ ଓ ସମର୍ପଣ ଦୋହଲି ଯାଇନଥିଲା। ତାଙ୍କର ପିତା ସୋନା ସିଂହ କୁହନ୍ତି ପ୍ରଥମ ଦିନରୁ ହିଁ ଶ୍ରବଣ ଯବାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଥିଲେ। ଆମେ ତାକୁ ଏ କାମରେ ରୋକି ନଥିଲୁ ବରଂ ତାର ଉତ୍ସାହ ବଢାଇ ଥିଲୁ।

ଶ୍ରବଣ ସିଂହଙ୍କ ସ୍ୱପ୍ନ ବଡ଼ ହୋଇ ସେନାରେ ସାମିଲ ହେବା। ମେ ମାସରେ ୭ମ ପଦାତିକ ଡିଭିଜନର ଜେନେରାଲ ଅଫିସର କମାଣ୍ଡିଂ ମେଜର ଜେନେରାଲ ରଣଜିତ ସିଂହ ମାନରାଲ ନିଜେ ତାଙ୍କୁ ସାର୍ବଜନିକ ଭାବେ ସମ୍ମାନିତ କରିଥିଲେ। ଏହି ସମୟରେ ତାଙ୍କୁ ତାଙ୍କର ପ୍ରିୟ ଆଇସକ୍ରିମ୍‌ ମଧ୍ୟ ଖୁଆଯାଇ ଥିଲା। ସେତେବେଳେ ଶ୍ରବଣ କହିଥିଲେ ମୁଁ ବଡ଼ ହୋଇ ସୈନିକ ହେବାକୁ ଚାହୁଁଛି । ମୁଁ ଦେଶ ସେବା କରିବାକୁ ଚାହୁଁଛି। ତାଙ୍କର ପିତା ସୋନା ସିଂହ କହିଥିଲେ ଯେ, ଆମକୁ ନିଜର ପୁଅ ଉପରେ ବହୁତ ଗର୍ବ ଅନୁଭବ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.