ଲୋକସଭାରେ ଏଥର ୨୮୦ ନୂଆ ଚେହେରା, ୨୬୩ ଜଣ ପୁଣି ହୋଇଛନ୍ତି ସାଂସଦ

Published By : Prameya-News7 Bureau | June 06, 2024 IST

ନୂଆଦିଲ୍ଲୀ: ୫୪୩ ଲୋକସଭା ଆସନର ପରିଣାମ ସାମନାକୁ ଆସି ସାରିଛି । ବିଜେପି ୨୪୦ ଆସନ ପାଇ ପୂର୍ଣ୍ଣ ବହୁମତ ନପାଇଲେ ସୁଦ୍ଧା ସବୁଠୁ ବଡ଼ ଦଳ ହୋଇଛି । ଅନ୍ୟପଟେ କଂଗ୍ରେସ ୯୯ ଆସନ ସହ ଦ୍ୱିତୀୟ ଏବଂ ସମାଜବାଦୀ ପାର୍ଟି ୩୭ ଆସନ ସହ ତୃତୀୟ ସବୁଠୁ ବଡ଼ ପାର୍ଟି ହୋଇଛି । ୧୮ତମ ଲୋକସଭାରେ ୨୮୦ ସଦସ୍ୟ ଏପରି ଅଛନ୍ତି, ଯେଉଁମାନେ ପ୍ରଥମ ଥର ସଂସଦ ପହଞ୍ଚିବେ । ୧୮ତମ ଲୋକସଭାରେ ୨୮୦ ନବନିର୍ବାଚିତ ଚେହେରାରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ଫିଲ୍ମ ତାରକା, ପୂର୍ବତନ କ୍ରିକେଟର ଏବଂ ନୂଆ ରାଜନୈତିକ ଚେହେରା ସାମିଲ ଅଛନ୍ତି । ଏହି ସମସ୍ତେ ନୂଆ ସଂସଦ ଭାବନରେ ପ୍ରବେଶ କରିବେ ।

୧୭ତମ ଲୋକସଭାରେ ୨୬୭ ଏପରି ସାଂସଦ ଥିଲେ, ଯେଉଁମାନେ ପ୍ରଥମ ଥର ସାଂସଦ ହୋଇ ଲୋକସଭା ଯିବାର ସୌଭାଗ୍ୟ ମିଳିଥିଲା । ନିର୍ବାଚନ ବିଶ୍ଲେଷଣ କରୁଥିବା କମ୍ପାନି ଥିଙ୍କା ଟାଙ୍କ୍ ପିଆରଏସ ଲେଜିସ୍ଲେଟିଭ୍ ରିସର୍ଚ୍ଚ ଏକ ରିପୋର୍ଟରେ କହିଛି ଯେ ୫୪୩ ସଦସ୍ୟଙ୍କ ମଧ୍ୟରୁ ୨୬୩ ସାଂସଦ ପୂର୍ବ ଲୋକସଭାର ସଦସ୍ୟ ରହିଥିଲେ । ୧୬ ସଦସ୍ୟ ଏପରି ଅଛନ୍ତି, ଯେଉଁମାନେ ରାଜ୍ୟସଭାର ସଦସ୍ୟ ରହିଥିଲେ । ଜଣେ ନବନିର୍ବାଚିତ ସାଂସଦ ୭ଥର ପାଇଁ ଲୋକସଭା ସଦସ୍ୟ ହୋଇଛନ୍ତି ।

ଦ୍ୱିତୀୟ ଥର ନିର୍ବାଚିତ ସଦସ୍ୟମାନଙ୍କୁ ମଧ୍ୟରୁ ୮ ସାଂସଦ ନିଜ ଆସନ ବଦଳାଇଥିଲେ । ୧୮ତମ ଲୋକସଭାରେ ସଦସ୍ୟଙ୍କ ହାରାହାରି ବୟସ ୫୬ ବର୍ଷ ରହିଛି, ଅନ୍ୟପଟେ ୨୦୧୯ରେ ସାଂସଦଙ୍କ ହାରାହାରି ବୟସ ୫୯ ବର୍ଷ ଥିଲା । ରିପୋର୍ଟ ଅନୁସାରେ ୧୧ ପ୍ରତିଶତ ସାଂସଦଙ୍କ ବୟସ ୪୦ରୁ କମ ଏବଂ ୩୮ ପ୍ରତିଶତ ସାଂସଦଙ୍କ ବୟସ ୪୧ରୁ ୫୫ ବର୍ଷ ମଧ୍ୟରେ ଥିଲା । ୫୨ ପ୍ରତିଶତ ସାଂସଦଙ୍କ ବୟସ ୫୫ ବର୍ଷରୁ ଅଧିକ ଅଟେ ।

୨୦୨୪ ଲୋକସଭାରେ ପୁଣି ଥରେ ନିର୍ବାଚିତ ହୋଇଥିବା ୯ ସାଂସଦ ୨୦୧୯ରେ ଅଲଗା ଦଳର ପ୍ରତିନିଧିତ୍ୱ କରିଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ୫୩ ପ୍ରାର୍ଥୀ ଏପରି ଥିଲେ ଯେଉଁମାନେ ମନ୍ତ୍ରୀ ରହିସାରିଛନ୍ତି । ଯେଉଁଥିରୁ କେବଳ ୩୫ ଜଣ ହିଁ ବିଜୟୀ ହୋଇଛନ୍ତି । ଅର୍ଜୁନ ମୁଣ୍ଡା ଏବଂ ସ୍ମୃତି ଇରାନୀଙ୍କ ପରି ଟାଣୁଆ କେନ୍ଦ୍ରମନ୍ତ୍ରୀ ନିର୍ବାଚନ ହାରିଛନ୍ତି ।

  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.