ସ୍ତ୍ରୀ’କୁ ହତ୍ୟା ପରେ ଥାନାରେ ଆତ୍ମସମର୍ପଣ, ପରକୀୟା ପ୍ରୀତି ସନ୍ଦେହରେ ସ୍ବାମୀ ଘଟାଇଲା ଜଘନ୍ୟ କାଣ୍ଡ
29/03/2023 at 10:47 PM

ଯାଜପୁର, ୨୯/୦୩: ତଣ୍ଟି ଚିପି ସ୍ତ୍ରୀ’କୁ ହତ୍ୟା କଲା ସ୍ବାମୀ। ଅନ୍ୟ ଜଣେ ଯୁବକ ସହ ସ୍ତ୍ରୀ’ର ସଂପର୍କ ଥିବା ସନ୍ଦେହ କରି ଏଭଳି ନାରକୀୟ କାଣ୍ଡ ଘଟାଇଲା ସ୍ବାମୀ। ଆଉ ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧଗାଁ ଅଞ୍ଚଳରେ ।
ସୂଚନାନୁସାରେ, ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତ ଵୁରୁ ସାହିର ବସନ୍ତ ବେହେରା ନିଜ ପତ୍ନୀ ପିଙ୍କିଙ୍କର ପରକୀୟା ପ୍ରୀତି ସନ୍ଦେହରେ ତଣ୍ଟି ଚିପି ହତ୍ୟା କରିଛି। ପତ୍ନୀକୁ ହତ୍ୟା କରିବା ପରେ ସ୍ବାମୀ ବସନ୍ତ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ବିଗତ କିଛିଦିନ ହେବ ନିଜ ପତ୍ନୀ ପିଙ୍କିର ଚରିତ୍ରକୁ ନେଇ ସନ୍ଦେହ କରୁଥିଲେ ସ୍ୱାମୀ ବସନ୍ତ। ବସନ୍ତ ଭୁବନେଶ୍ବରରେ ରହି ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ସେ ଘରେ ରହୁନଥିବାର ସୁଯୋଗ ନେଇ ସ୍ତ୍ରୀ ପିଙ୍କି ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ରଖିଥିବା ନେଇ ସନ୍ଦେହ କରୁଥିଲେ ସ୍ୱାମୀ । ଏନେଇ ପୂର୍ବରୁ ପତି ପତ୍ନୀଙ୍କ ମଧ୍ୟରେ ଅନେକ ଥର ବଚସା ମଧ୍ୟ ହୋଇଛି ।
ତେବେ ସାମାନ କଥାକୁ କେନ୍ଦ୍ର କରି ଆଜିବି ବସନ୍ତ ଓ ପିଙ୍କିଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ତେବେ ରାଗରେ ଜର୍ଜରିତ ସ୍ୱାମୀ ପିଙ୍କିଙ୍କୁ ମାଡ ମାରିବା ସହ ତାଙ୍କ ତଣ୍ଟି ଚିପି ଜୀବନରୁ ମାରିଦେଇଥିବା ଥାନାରେ ମାନିଛନ୍ତି। ସ୍ତ୍ରୀକୁ ହତ୍ୟା କରିବା ପରେ ସୁକିନ୍ଦା ଥାନାରେ ପହଞ୍ଚି ନିଜ ପତ୍ନୀକୁ ହତ୍ୟା କରିଥିବା ଘଟଣା ସ୍ବୀକାର କରିଛନ୍ତି ବସନ୍ତ।
ବସନ୍ତଙ୍କ ବୟାନ ଆଧାରରେ ସୁକିନ୍ଦା ଥାନାରେ ୬୩/୨୦୨୩ରେ ଏକ ହତ୍ୟା ମାମଲା ରୁଜୁ କରି ତାଙ୍କୁ ଗିରଫ କରିବା ସହ ବସନ୍ତର ବଡ଼ଭାଇକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ। ଅନ୍ୟପଟେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।