ସ୍ତ୍ରୀକୁ ମାରି ମାଟି ତଳେ ପୋତିଦେଲା ସ୍ୱାମୀ, ଅଭିଯୋଗ ପରେ ଉଦ୍ଧାର ହେଲା ମୃତଦେହ
17/12/2022 at 12:48 PM

ବଡବିଲ ୧୭/୧୨: ବଡବିଲ ଯୋଡ଼ା ଥାନା, ଭାଗଲପୁର ମୁଣ୍ଡା ସାହିରେ ଚାଞ୍ଚଲ୍ୟ । ସ୍ତ୍ରୀକୁ ହତ୍ୟା କରି ପୋତି ଦେଇଥିବା ଅଭିଯୋଗ ହେବାପରେ ମାଟି ତଳୁ ମୃତଦେହକୁ ଉଦ୍ଧାର କରିଛି ଯୋଡ଼ା ପୋଲିସ୍ । ମୃତକ ହେଉଛନ୍ତି ଭାଗଲପୁର ମୁଣ୍ଡା ସାହିର ରାମ ସିଂ ମୁଣ୍ଡାଙ୍କ ଦ୍ଵିତୀୟ ପତ୍ନୀ ବୁଧୁନି ମୁଣ୍ଡା । ବୁଧୁନିକୁ ହତ୍ୟା କରାଯାଇଥିବା ନେଇ ବାପ ଘର ଲୋକେ ଅଭିଯୋଗ କରିବା ପରେ ଆଜି ସକାଳୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବରକୁ ଖୋଳାଯାଇ ବୁଧୁନିଙ୍କ ମୃତଦେହ ବାହାର କରାଯାଇଛି । ଇନକ୍ୱେଷ୍ଟ ପରେ ମୃତ ଦେହକୁ ପୋଷ୍ଟ ମର୍ଟମ୍ ପାଇଁ ପଠାଇଛି ପୋଲିସ୍ ।
ସୂଚନା ଅନୁଯାୟୀ, ୪ ବର୍ଷ ତଳେ ରାମ ସିଂ ମୁଣ୍ଡାଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଝାଡଖଣ୍ଡ, ଜଗନ୍ନାଥପୁର ଅଞ୍ଚଳର ଲଖନ୍ ହିସାଙ୍କ ଝିଅ ବୁଧୁନିକୁ ବିବାହ କରିଥିଲେ । ତେବେ ସ୍ୱାମୀ ରାମ ସିଂ ମୁଣ୍ଡା ବିଭିନ୍ନ ସମୟରେ ସ୍ତ୍ରୀ ବୁଧୁନିକୁ କରୁଥିଲେ ମାଡ଼ପିଟ୍ । ଏମିତି ଦାବି କରିଛନ୍ତି ମୃତକର ପରିବାର ଲୋକ । ଗତ ଗୁରୁବାର, ଘର ଠାରୁ ଅଳ୍ପ ଦୂରରେ ଥିବା ଏକ ପଣସ ଗଛରେ ରସି ଲଗାଇ ବୁଧୁନି ଆତ୍ମହତ୍ୟା କରିଥିବା ନେଇ ରାମ ସିଂ ଫୋନ ଯୋଗେ ୱାର୍ଡ ମେମ୍ବରଙ୍କୁ ଜଣାଇବା ପରେ ମୃତଦେହକୁ କବର ଦେଇଥିଲେ ।
ଏନେଇ ସେ ପୋଲିସକୁ କିମ୍ବା ବୁଧୁନିଙ୍କ ବାପାଘର ଲୋକଙ୍କୁ ଜଣାଇ ନଥିବା ଅଭିଯୋଗ ହୋଇଛି ପରିବାର ଲୋକ । ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କ ଠାରୁ ବାପ ଘର ଲୋକେ ଜାଣିବାକୁ ପାଇବା ପରେ ବୁଧୁନିଙ୍କ ମୃତ୍ୟୁକୁ ନେଇ ତାଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଶୁକ୍ରବାର ବୁଧୁନିଙ୍କ କକା ସୁରେଶ ହୀସା ଯୋଡ଼ା ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ପୋଲିସ୍ ଘଟଣାକୁ ଗୁରୁତ୍ଵ ଦେଇ ତଦନ୍ତ ଆରମ୍ଭ କରିବା ସହ ସ୍ୱାମୀ ରାମ ସିଂ ମୁଣ୍ଡାକୁ ଅଟକ ରଖି ପଚରା ଉଚରା ଚଳାଇଛି । ପୋଷ୍ଟ ମର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁପଛର କାରଣ ସ୍ପଷ୍ଟ ହୋଇପାରିବ ବୋଲି ପୋଲିସ କହିଛି ।