ସାବିତ୍ରୀରେ ସ୍ୱାମୀଙ୍କ ମୃତ୍ୟୁ
15/05/2018 at 11:34 PM

ସାବିତ୍ରୀ ଅମାବାସ୍ୟା ଦିନ ଅଘଟଣ। ସାବିତ୍ରୀ ବ୍ରତ କରିବାକୁ, ସାହିର ସବୁ ମହିଳା ଅପେକ୍ଷା କରି ରହିଥିବା ବେଳେ, ସମ୍ବଲପୁର କମିଶନରେଟ କଲୋନୀରେ ଘଟିଛି ହୃଦୟବିଦାରକ ଘଟଣା। ସାବିତ୍ରୀବ୍ରତ ପାଇଁ ସବୁ ଯୋଗାଡ କରିବା ପରେ, ସ୍ତ୍ରୀ ତରତର ହୋଇ ବାହାରୁଥିଲେ ପୂଜା ପାଇଁ। ହେଲେ ହଠାତ୍, ଘରେ କାମକରୁଥିବା ମହିଳାଙ୍କ ଚିକ୍ତାର ଶୁଣିଲେ। କଣ ହୋଇଛି ଦେଖିବାକୁ ଗଲାବେଳେ, ଲାଗୁଶୁଖାଇବା ପାଇଁ ଟଣାଯାଇଥିବା ତାରରେ ବିଦ୍ୟୁତ ପ୍ରବାହ ହୋଇଯାଇଥିବାରୁ ସେଥିରେ, ଲଟ୍କି ରହି, ମହିଳା ଜଣକ ଚିକ୍ତାର କରୁଥିଲେ। ତାଙ୍କୁ ଉଦ୍ଧାର କରିବାକୁ, ସାଙ୍ଗେସାଙ୍ଗେ,ମୃତ ବୃନ୍ଦାବନ ପ୍ରଧାନଙ୍କ ସ୍ତ୍ରୀ, ଘରୋଇ ସହାୟିକାଙ୍କୁ ଟାଣିବାରେ ଲାଗିଲେ। ହେଲେ ସେ ମଧ୍ୟ ସେଥିରେ ଲଟ୍କି ଯାଇ, ଉଦ୍ଧାର ପାଇଁ ଚିକ୍ତାର କରିବାକୁ ଲାଗିଲେ। ଘରେ ବସି ଟିଭି ଦେଖୁଥିବା ସ୍ବାମୀ ବୃନ୍ଦାବନ ପ୍ରଧାନ ସାଙ୍ଗେସାଙ୍ଗେ ବାରିପଟକୁ ଯାଇ ଦେଖନ୍ତି ତ, ସ୍ତ୍ରୀ ଓ ଘରୋଇ ସହାୟିକା ବିଦ୍ୟୁତ୍ ତାରରେ ଗୁଡାଇ ହୋଇଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ସେ କୌଣସି ଉପାୟ ନପାଇ, ବିଦ୍ୟୁତ ତାରକୁ ଛିଣ୍ଡାଇବାକୁ ଉଦ୍ୟମ କରିଥିଲେ। ହେଲେ ସେଥିରେ ଲାଗିଯାଇ ଯାଇଥିଲେ। ବିଦ୍ୟୁତ ତାରଟି ଛିଡି ଯିବାରୁ, ସ୍ତ୍ରୀ ଓ ଘରୋଇ ସହାୟିକା ଉଦ୍ଧାର ପାଇଯାଇଥିଲେ। ହେଲେ ବୃନ୍ଦାବନ ସବୁଦିନ ପାଇଁ ଆଖିବୁଜି ଦେଇଥିଲେ। ମାତ୍ର କିଛି ମୁହୂର୍ତ୍ତ ମଧ୍ୟରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ସାବିତ୍ରୀ ବ୍ରତ ପାଇଁ ଅପେକ୍ଷା କରିଥିବା ମହିଳା ମାନେ, ତିନିଜଣଙ୍କୁ ଉଦ୍ଧାର କରି, ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେତେବେଳକୁ ସବୁ ସରିଯାଇଥିଲା, ଡାକ୍ତର ବୃନ୍ଦାବନଙ୍କୁ ମୃତ ଘୋଷଣା କରିଥିଲେ।