ସଫଳତା ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
21/05/2018 at 10:20 AM

ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ମନ୍ତ୍ରୀ ପରିଷଦ ବୈଠକ ପରେ ସରକାରଙ୍କ ସଫଳତା ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରଙ୍କ ୧୦ଟି ସଫଳତା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଆକୁ ସରକାରୀ ଭାଷା ଆଇନର ମାନ୍ୟତା ମିଳିଛି । ଲୋକଙ୍କୁ ପକ୍କା ଘର ଯୋଗାଇଦେବା ସହ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ମିଳିଛି । ରାଜ୍ୟରେ ୨୫ ହଜାର ୫ଶହ ଗ୍ରାମାଞ୍ଚଳକୁ ରାସ୍ତା ନିର୍ମାଣ ହୋଇଛି । ୭ ଲକ୍ଷ ହେକ୍ଟର ଜଳସେଚନ ହୋଇଛି । ୨୦୧୯ ଏପ୍ରିଲ ସୁଦ୍ଧା ୧୦ ଲକ୍ଷ ହେକ୍ଟର ଜମିରେ ଜଳସେଚନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥି ସହ ଦକ୍ଷତା ବିକାଶ ଯୋଜନାରେ ୯ ଲକ୍ଷ ଛାତ୍ରଙ୍କୁ ତାଲିମ ଦିଆଯାଇଛି । ରାଜ୍ୟରେ ୪ଟି ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିବା ବେଳେ ୫ଟି ନୂଆ ମେଡିକାଲ କଲେଜ ପାଇଁ ଯୋଜନା ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ହୋଇଛି । ୭୦ ଲକ୍ଷ ମହିଳାଙ୍କୁ SHG ଗ୍ରୁପରେ ସାମିଲ କରାଯାଇଛି । ଏଥି ସହ ଭୁବନେଶ୍ବର ବିଶ୍ବର କ୍ରିଡା ରାଜଧାନୀ ମାନ୍ୟତା ପାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ଛଡା ପାରିଷଦଙ୍କୁ ଥ୍ରି-ଡି ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେଗୁଡିକ ହେଲା ଡିଟର୍ମିନେସନ, ଡିଭୋସନ, ଡେଡିକେସନ । ୧୮ ବର୍ଷ ପୂରଣ କରି ୧୯ ବର୍ଷରେ ପାଦ ଦେଇଛି ନବୀନ ସରକାର । ଯାହାକୁ ନେଇ ଶାସକ ବିଜେଡି ବେଶ ଉତ୍ସାହିତ ।