ଶ୍ରୀମନ୍ଦିର ପାଇଁ କର୍ପସ ଫଣ୍ଡ
31/05/2018 at 8:33 PM

ଶ୍ରୀମନ୍ଦିରର ଉନ୍ନତି, ବିଭିନ୍ନ ଯୋଜନାର ସଫଳ ରୂପାୟନ ଓ ସେବାୟତଙ୍କ କଲ୍ୟାଣ ପାଇଁ ଏକ କର୍ପସ ଫଣ୍ତ ଗଠନ କରାଯିବ। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୬୬ ହଜାର ,କର ଜମିରୁ ଏହି ଅର୍ଥ କର୍ପସ ଫଣ୍ଡରେ ଜମାହେବ। ଏଥିସହ ଶ୍ରୀମନ୍ଦିରରେ ସେବାପୂଜା, ରୀତି, ନୀତି ଓ ପରିମଳ ବ୍ୟବସ୍ଥାର ସୁଧାର ପାଇଁ ଏକ କମିଟି ଗଠନ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା। ସୁଆର ମହାସୁଆର ନିଯୋଗ ପକ୍ଷରୁ ଆୟୋଜିତ ବୈକୁଣ୍ଠ ସେବା ସମ୍ମାନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ଉତ୍ସବରେ ୨୦୦ରୁ ଅଧିକ ତଥା ଛତିଶା ନିଯୋଗର ସଭାପତି, ସଂପାଦକ, ବରିଷ୍ଠ ସେବାୟତଙ୍କୁ ମାନପତ୍ର, ରୌପ୍ୟମୁଦ୍ରା ଥିବା ତୁଳସୀ ମାଳ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ସମ୍ମନ୍ବୟ ରକ୍ଷା କରି ପୂର୍ବବର୍ଷ ଭଳି ଚଳିତବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ମଧ୍ୟ ମତ ପ୍ରକାଶ ପାଇଥିଲା। ସୁଆର ମହାସୁଆର ନିଯୋଗର ସଭାପତି ଦାମୋଦର ମହାସୁଆର, ସଂପାଦକ କୃଷ୍ଣଚନ୍ଦ୍ର ସାମନ୍ତରାୟ, ବାର କାଉନସିଲ୍ ଅଧ୍ୟକ୍ଷ, ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ପ୍ରଶାସକ ଉପସ୍ଥିତ ଥିଲେ।