ଶ୍ରୀମନ୍ଦିରରେ ଯୁବତୀଙ୍କୁ ଅସଦାଚରଣ କରିଥିବା ସେବାୟତ ଗିରଫ
11/06/2018 at 11:34 PM

ଶ୍ରୀମନ୍ଦିରରେ ଯୁବତୀଙ୍କୁ ଅସଦାଚରଣ କରିଥିବା ସେବାୟତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ସଂପୃକ୍ତ ସେବାୟତ ସନ୍ତୋଷ କର ଗତକାଲି ରବିବାରରେ ଶ୍ରୀମନ୍ଦିର ଅଧିକ ଭିଡ଼ ଥିବାରୁ ଏହାର ସୁଯୋଗ ନେଇ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ଗତକାଲି ଦ୍ୱିପ୍ରହରରେ ଶ୍ରୀଜୀଉଙ୍କ ଆଲଟଲାଗି ନୀତି ଆରମ୍ଭ ସମୟରେ ଗର୍ଭଗୃହ, ଜଗମୋହନ ଓ ନାଟମଣ୍ତପର ଆଲୋକ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା। ତେବେ ବ୍ରହ୍ମପୁରରୁ ନିଜ ପରିବାର ସହ ଆସିଥିବା ଏହି ଯୁବତୀଙ୍କୁ ସଂପୃକ୍ତ ସେବାୟତ ବାରମ୍ୱାର ଅସଦାଚରଣ କରିଥିଲେ। ପ୍ରଥମେ ଯୁବତୀ ଜଣକ ପ୍ରତିବାଦ ନକରି ଚୁପ୍ ରହିଥିବାବେଳେ ପରେ ସେ ପ୍ରତିବାଦ କରିବା ସହ ପାଟି କରିଥିଲେ। ମନ୍ଦିର ଭିତରେ ଥିବା କାର୍ଯ୍ୟରତ ପୋଲିସ ଓ ଜେଟିପି ସେଠାରେ ପହଞ୍ଚି ଯୁବକକୁ କାବୁ କରିଥିଲେ। ସିଂହଦ୍ୱାର ଥାନାରେ ଏନେଇ ମାମଲା ରୁଜୁ ହେବାପରେ ସଂପୃକ୍ତ ସେବାୟତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଶ୍ରୀମନ୍ଦିର ଭିତରେ ଭକ୍ତଙ୍କୁ ଏଭଳି ଦୁର୍ବ୍ୟବହାର ନେଇ ସାଧାରଣରେ ବେଶ୍ ଅସନ୍ତୋଷ ପ୍ରକାଶ ପାଇଛି।