ଲାଲୁଙ୍କ ପୁରୁଣା ଫାଇଲ ଖୋଲିବ ସିବିଆଇ: ରେଳବାଇରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ସାମିଲ୍ ଅଛନ୍ତି ପୁଅ ଓ ଝିଅ
26/12/2022 at 11:36 AM

ନୂଆଦିଲ୍ଲୀ: ବିହାର ରାଜନୀତି ପୁଣି ଏକ ରାଜନୈତିକ ଝଡ଼ ଆସିବାକୁ ଯାଉଛି। କାରଣ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କର ଏକ ବହୁ ପୁରୁଣା ଫାଇଲ ପୁଣିଥରେ ଖୋଲିବାକୁ ଯାଉଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ।
ନିକଟରେ ନୀତୀଶଙ୍କ ଜେଡିୟୁ ବିଜେପିରୁ ବାହାରି ଆର୍ଜଜେଡିରୁ ମିଳିଛି। ଦୁହେଁ ମିଶି ରାଜ୍ୟରେ ଶାସନ କରୁଛନ୍ତି। ଆଉ ଏତିକିବେଳେ ଲାଲୁଙ୍କ ମାମଲା ପୁଣି ଥରେ ଖୋଲିବା ଆର୍ଜେଡିକୁ ଘାଟା କରିପାରେ ବୋଲି କୁହାଯାଉଛି।
ସିବିଆଇ ଏବେ ଯେଉଁ ମାମଲା ଖୋଲିବ ତାହା ରେଳବାଇ ଦୁର୍ନୀତି ସମ୍ପର୍କିତ ଏକ ମାମଲା। ୟୁପିଏ ପ୍ରଥମ ସରକାରରେ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ବେଳେ ରେଳବାଇ ପ୍ରୋଜେକ୍ଟ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ଯାହାକୁ ୨୦୧୮ରେ ତଦନ୍ତ ଆରମ୍ଭ କରିଥିଲା ସିବିଆଇ। ପୁଣି ୨୦୨୧ ମେ ମାସରେ ଏହି ତଦନ୍ତକୁ ବନ୍ଦ କରିଦିଆଯାଇଥିଲା। ଦୁର୍ନିତି ନେଇ କୌଣସି ଅଭିଯୋ ନଥିବା କହି ସିବିଆଇ ମାମଲା ବନ୍ଦ କରିଦେଇଥିଲା।
ସବୁଠାରୁ ବଡ଼ କଥା ହେଲା ଏହି ଦୁର୍ନିତି ମାମଲାରେ କେବଳ ଲାଲୁ ନାହାନ୍ତି ତାଙ୍କ ପୁଅ ତଥା ବର୍ତ୍ତମାନ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଓ ତାଙ୍କ ଝିଅ ଚନ୍ଦା ଓ ରାଗିଣୀ ଯାଦବଙ୍କ ନାଁ ମଧ୍ୟ ଏହି ଦୁର୍ନୀତିରେ ସାମିଲ ଅଛି। ଆଉ ସିବିଆଇ କ୍ୟାସ୍ ରିଓପନ୍ କଲେ ଏମାନେ ସମସ୍ତେ ଅସୁବିଦାରେ ପଡ଼ିପାରନ୍ତି।
ଏହି ମାମଲାରେ ହୋଇଥିବା ଅଭିଯୋଗ ଅନୁସାରେ, ମୁମ୍ବାଇର ବାନ୍ଦ୍ରା ରେଳ ପ୍ରୋଜେକ୍ଟ ଲିଜ୍ରେ ନେବା ସହ ନୂଆ ଦିଲ୍ଲୀ ରେଳଷ୍ଟେସନକୁ ସୁଧାର କରିବା ପାଇଁ ଡିଏଲ୍ଏଫ୍ ଗ୍ରୁପ ଚାହୁଥିଲା। ଏଥିପାଇଁ ସେ ଲାଲୁଙ୍କୁ ଦକ୍ଷିଣ ଦିଲ୍ଲୀର କିଛି ପ୍ରପର୍ଟି ଲାଞ୍ଚ ସ୍ୱରୁପ ଦେଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ ଏଥିପାଇଁ ଡିଏଲ୍ଏଫ୍ ପାଣ୍ଠି ପ୍ରଦତ୍ତ ଏକ କମ୍ପାନୀ ଦିଲ୍ଲୀର ସମ୍ପତ୍ତିକୁ ଅତି ଶସ୍ତା ମୂଲ୍ୟ ମାତ୍ର ୫ କୋଟିରେ କିଣିଥିଲା। ଯଦିଓ ସେତେବେଳେ ଏହାର ବଜାର ମୂଲ୍ୟ ୩୦ କୋଟି ଥିଲା। ଏହାପରେ ଏହି କମ୍ପାନୀକୁ ତେଜସ୍ୱୀଓ ପରିବାରର କମ୍ପାନୀ ମାତ୍ର ୪ ଲକ୍ଷ ଟଙ୍କାରେ କିଣିଥିଲା। ଏହିପରି ଭାବେ ଦକ୍ଷିଣ ଦିଲ୍ଲୀର ବଙ୍ଗଲା ତେଜସ୍ୱୀଙ୍କ ନାଁରେ ହୋଇଯାଇଥିଲା।
ସୂଚନା ଥାଉକି ନିକଟରେ ୭୩ ବର୍ଷୀୟ ଲାଲୁଙ୍କର କୀଡନି ଟ୍ରାନ୍ସପ୍ଲାଣ୍ଟ ହୋଇଛି। ସେ ଧୀରଧୀରେ ସୁସ୍ଥ ହେଉଛନ୍ତି। ଏପଟେ ନୀତୀଶ ଓ ତେଜସ୍ୱୀଙ୍କ ମିଶିଯିବାକୁ ସହଜରେ ହଜମ କରିପାରିନି ବିଜେପି। ଏଥିପାଇଁ ବିଜେପି ଲାଲୁଙ୍କ ଦୁର୍ନୀତିର ପୁରୁଣା ପୃଷ୍ଠା ଖୋଲିଛି ବୋଲି କୁହାଯାଉଛି।